Unknown

 

 

 

 

 

 

 

 

 

 

 

ଋଷ୍ୟ ଶୃଙ୍ଗ

ଶ୍ରୀ ହରିବନ୍ଧୁ ଦାସ

 

ପ୍ରଥମ ସର୍ଗ

(ବଙ୍ଗଳା ଶ୍ରୀ)

 

ନାଚେ ଶତ ଶତ ଆଶା ମରୀଚିକା

ହୃଦୟ ମରୁ-କାନ୍ତାରେ,

ଗୋପନେ ଯାତନା ଯା’ ଅନ୍ତର ଦହେ

ଅନ୍ୟ କି ତା ବୁଝିପାରେ ?

ଖେଳେ ବେଳେ ବେଳେ ମାନସେ ମୋହନେ

ସୁଖ ଛବି ଅନୁପମ,

ଅର୍ଦ୍ଧ ନିଶୀଥରେ ଶୟନ କକ୍ଷରେ

ଅଧ ଭୁଲା ସ୍ପପ୍ନ ସମ ।

ଅସ୍ପଷ୍ଟ ଅତୀତ ହୁଅଇ ସେ, ପରେ

ସଲିଳ–ବୁଦ୍ ବୁଦ୍ ପରି

ସହସା ସାହସ- ଶିଳା ବନ୍ଧ ଭାଙ୍ଗେ,

ହୃଦୟ ଯାଅଇ ଥରି ।

ଆଜି ସଂସାରରେ ଉଠେ ଯା ଉତ୍କଟ

ଦୁଃ ସହ ମୋହ-ବାସନା,

ଚାହୁଁ ଚାହୁଁ କାଲି ପୁରି ମନ ମୂଳେ

ହୁଏ ତା ମନ୍ଦ କାମନା ।

ଜାଗି ଉଠେ ହିଁସା ଜାଗି ଉଠେ ଦ୍ୱେଷ,

ଜାଗେ କ୍ରୋଧ ଅମଙ୍ଗଳ,

ହତ୍ୟା ଲାଗି ଖୋଜି ଉଠେ କେତେ କେତେ

ଦୁର୍ନୀତିର ପଶୁ-ବଳ ।

ବିଶ୍ୱ-ସ୍ୱୟମ୍ୱର- ଅପୂର୍ବ-ଉତ୍ସବ

ଆନନ୍ଦେ ହୋଇ ସରସ,

ଫୁଲି ଉଠେ ମନ ଥରେ ଥରେ ପାଇ

ମାୟା-କୁହୁକିନୀ-ରସ ।

ନିମିଷକେ ସେହି ଆନନ୍ଦ ଉତ୍ସବ

ମାୟା-ମୋହ-ମନ-ଫୁଲା,

ଲୁଚିଯାଏ ରସ ହୀନ ହୁଏ ମନ

ରସ ହୀନ ଯଥା ଠୋଲା ।

ସଂସାରର ଏହି ତ୍ରାସୁଁ ଉଦ୍ଧାରିବା

ଆଶେ ପୂର୍ବେ ଗୁଣି ଗଣେ,

ଗମୁ ଥିଲେ ପୁତ ତପସ୍ୟା ସାଧନେ

ଶ୍ୱାପଦ ସଂକୁଳ ବନେ ।

ସୁରପତି ଶୀରି ପାଇ ମଧ୍ୟ ତିଳେ

ତେଜନ୍ତି ନାହିଁ ଆସନ,

ଦୃଢ଼ା ତପା ମନ ଟଳଇ କି କେବେ

ଲଭିଲେ ମଣି-କାଞ୍ଚନ ?

ବିଶ୍ୱ ସୃକ ସୁତ ମହର୍ଷି, ‘‘ମଋତ’’

ସିଦ୍ଧ ତପା ମହାଜନ—

ପଞ୍ଚ ଭୂତ ହୀନ ସଗୁଣ, ନିର୍ଗୁଣ

ବ୍ରହ୍ମେ ସଦା ଯାର ମନ ।

ଉଦାନ, ସମାନ, ପ୍ରାଣା, ପାନ, ବ୍ୟାନ

ସଙ୍ଗତେ ପଞ୍ଚ ଅନଳ,

ନାସିକା, ରସନା ନୟନ, ଶ୍ରବଣ

ତ୍ୱକ ବୁଦ୍ଧି ମନ ସ୍ଥଳ,

ପୃଥ୍ୱୀ, ବାତ, ନଭ, ତେଜ, ନୀର, ମନ

ବୃଦ୍ଧି ସହ ମିଶି ସାତ—

ଗନ୍ଧ ରୂପ ରସ ଶବଦ, ପରଶ,

ଦ୍ୱିଧା, ନିଷ୍ଠା ତହୁଁ ଜାତ ।

ବ୍ରହ୍ମରୁ ଉତ୍ପତ୍ତି ବ୍ରହ୍ମେ ଶେଷେ ସ୍ଥିତି

ଭାବି ତପୋନିଷ୍ଠ କୁଳ,

ଭୌତିକ-ନଶ୍ୱର- ଶରୀରକୁ କେବେ

ନ ଧରନ୍ତି କରି ମୂଳ ।

ନିଦାଘ ତପନ ତପତ କିରଣ,

ତାପେ ନୋହି ସନ୍ତାପିତ,

ତପସ୍ୟାରେ ନିତି ନିଶ୍ଚଳେ ବସନ୍ତି

ନିବେଶି ଧିଆନେ ଚିତ୍ତ ।

ଘୋର ଭୟ ପ୍ରଦ ସ୍ତନିତ ନିନାଦ,

କରକା ସଙ୍ଗେ ଆସାର,

କଳା ମେଘ ବକ୍ଷେ ବିଜୁଳି ଚମକ—

ସତତ ଶଙ୍କା ଆଧାର;

ଶିଶିରର ଶୀତ ପୂରିତ ସମୀର,

ବୀଭାବରୀ ବିଭୀଷିକା,

ବିପିନ ଶ୍ୱାପଦ ବିକଟ ହୁଁକାର

ନ କରିଲା ମନ ଫିକା ।

ବିତିଗଲା କେତେ କାଳ ଏହି ଭଳି

ଘୋର ତପ ଆଚରଣେ,

ସୁରପତି ଭୂତି ସରିବ ସଂପ୍ରତି

ଚିନ୍ତି ଥରିଗଲେ କ୍ଷଣେ ।

ସଲିଳ ପ୍ରଦାନେ ସରିତର ସ୍ରୋତ

ବୁହାଇଲା ପରବଳେ,

ପାପୀନର ମନ ଯେସନେ ପ୍ରସନ୍ନ

ପାପକର୍ମେ ନିରନ୍ତରେ ।

ପଶୁ ପକ୍ଷୀ କୁଳ ହୋଇଲେ ଆକୁଳ

ହୁଅନ୍ତେ ପଥ ଦୁର୍ଗମ,

ନର ନାରୀ ଗଣ ବାରିରାଶି ଚାହିଁ

ସନ୍ତାପିତ କଲେ ମର୍ମ ।

ପ୍ରାଣୀଗଣ ସିନା ବ୍ୟାକୁଳିତ ହେଲେ

ନିରଦ ବାରି ବର୍ଷଣେ,

ବିଭାଣ୍ଡକ-ତପ ଭଗନେ ସମର୍ଥ

ନ ହେଲା ତା, ଘୋଟି ବନେ ।

ବରଷାର ପରେ ଆସିଲା ସତ୍ୱରେ

ଶିଶିର ଶୀତ ସଞ୍ଚରୀ,

ହିମ ବିନ୍ଦୁ ଧରି ମୁକୁତା ବ୍ୟାଜରେ

ଶୋଭିଲେ ଗୁଳ୍ମ-ବଲ୍ଲରୀ ।

ଉତ୍ତରା ପବନ ଯୋଗେ ଅପଘନ

କମ୍ପି ଉଠେ ଘନ ଘନ,

ସେ ଦାଉରୁ ଉଦ୍ଧ- ରିବା ଆଶେ କଲେ

ସର୍ବେ ଅଙ୍ଗ ଆଚ୍ଛାଦନ ।

ଘୋର ଶୀତେ ତିଳେ ନୋହିଲେ କାତର

କସ୍ୟପ ତାପସ ବାଳ,

ଉତ୍ତୁଙ୍ଗ ଶିଖରୀ ଟଳଇ କି କେବେ ?

ପାଇ ପ୍ରବାହିନୀ-ହାର ।

ଧରା-ବନ୍ଦି-ଘରେ ମାୟା ଅନ୍ଧକାରେ

ପଡ଼ି ସଦା ପଥ ହୀନ-

ମାନବେ ପାର୍ଥବ ବିପଦେ ହୋଇବେ

ସିନା ଇନ୍ଦ୍ରିୟ ଅଧୀନ ।

ଅଭିଶପ୍ତ ସେ ତ, କପାଳେ ତାଙ୍କର

ଲେଖା ଅଛି ଶତ ଜ୍ୱାଳା,

କେତେ ତ୍ୱରା ସତେ ! ହେଉଥାନ୍ତି ପାଇ

ସଂସାର ବିଷୟ ଧାରା ।

ଶତ ବ୍ୟଥା, ଶତ ପରାଭବ ପ୍ରାଣେ

ସହନ୍ତି ନିଶି ବାସରେ,

କି ନ ଘଟେ ଆସି ସଂସାରର ଧରା –

ବନ୍ଧା କର୍ମ ଚକ୍ର ତଳେ ?

ଯେ, ଜନ ବରଜି ମାୟା କୁହୁକିନୀ

କ୍ଷଣକ ମୋହ-ଭାବନା,

ନିତ୍ୟ ରସ ମୟ ଗୋଲକ ଧାମରେ

ରଖଇ ସ୍ୱୀୟ ବାସନା;

ତାରେ କି କରିବ ବିଷମ ଯନ୍ତ୍ରଣା

ଭୀଷଣ ପ୍ରକୃତି ଛବି ?

କ୍ଷୁଧା, ତୃଷା, ତୃଷ୍ଣା, ଅତନୁ ବାଧାକି

ପାରଇ ସହଜେ ଦ୍ରବି ?

ମାୟା କବଳରୁ ଉଦ୍ଧରି ମାନବ

କଲେ ତପ ଆଚରଣ,

ଅମରା ବତୀରେ ସୁନାସୀର ମନ

ହେଉ ଥାଇ ଅପ୍ରସନ୍ନ ।

ନାକ-ନୃପ ଭୋଗ ନୁହେତ ନୀରତେ

ପରମ୍ପରା ଅନୁସରି,

ମର୍ତ୍ତ୍ୟବାସୀ ବହୁ ଧରମ ଆଚରି

ଥାନ୍ତି ଉପଭୋଗ କରି ।

ପୁରାଣ ପ୍ରସିଦ୍ଧ ଭକ୍ତ ପ୍ରହଲାଦ

ପାଇ ଧରା ଧର୍ମ ବଳ,

ମର ଧାମେ ବହୁ ପୁଣ୍ୟ ଆଚରଣେ

ହେଲେ ସ୍ୱର୍ଗେ ଅଧୀଶ୍ୱର ।

ଧ୍ୟାନେ ରଖି ଚିତ୍ତ ତେଜି ରାଜ୍ୟ ବିତ୍ତ

ସାବତ ଜନନୀ ଛଳେ,

ସର୍ବ ଲୋକ ପରେ ନିତ୍ୟ ସୁଖ ଭୋଳେ

ରହିଲେ ଧ୍ରୁବ ନିଶ୍ଚଳେ ।

ଏବେ ବିଭାଣ୍ଡକ ବିଷମ ତପସ୍ୟା-

ସିନ୍ଧୁରେ ଥିବା ମଗନ—

ନିରେଖି ସ୍ୱର୍ଗରେ ସୁନାସିର ହେଲେ

ମାନସେ ଅତି ବିଷର୍ଣ୍ଣ ।

ଯେବେ ମର୍ତ୍ତ୍ୟ ଲୋକ ଆଚରଣେ ତପ

ଆସିବ ଅମରା ବତୀ,

ବିଜନ ବିପିନ ବିହାରୀ ମାନବେ

ମିଳିବ ସୁର ସମ୍ପତ୍ତି ।

ବୁଭୁକ୍ଷୁ ଅବସ୍ଥା ମେଣ୍ଟାଇବା ପାଇଁ

ବନଫଳ ଯେହୁ ଆଣେ,

ନିବାରଇ ତୃଷା ଭ୍ରମି ସେ ଚୌଦିଗ,

ନିର୍ଝର-ସଲିଳ-ପାନେ ।

ଶୁଷ୍କ କାଠ ଦଗ୍ଧ ଅବଶେଷ ଅଙ୍ଗେ

ବୋଳି ଯେ ହୁଏ ନିରତେ,

କର୍ପୁର ଚନ୍ଦନ ପାଇବ ଏ ପୁରେ—

କି ଭାଗ୍ୟ ତାହାର ସତେ !

ଦେଖି ସମକ୍ଷରେ ଅମରା ବତୀର

ସୁଖ-ସମ୍ପଦ ଅତୁଳ,

ରତ୍ନ ହାର କଣ୍ଠ ଦେଶରେ ଭରିବ

କରି ରୁଦ୍ରାକ୍ଷକୁ ଦୂର ।

ପୂର୍ବ ପରିଧାନ ପାଦପ ବକ୍କଳ

ଫିଙ୍ଗି ସରୁ ଝୀନ-ବାସ,

ପହରି ପୁଲକେ ବିହରିବ ନାକେ

ମୁଖେ ଭରି ମନ୍ଦ ହାସ ।

କାନନ ନିବାସ ଦୁଃଖ ପାଶୋରିବ

ସରଗ ସୁଖ ଉତ୍ସଙ୍ଗେ,

ଅମର ସଙ୍ଗତେ ଭୁଞ୍ଜିବ ପୀୟୁଷ

ଖେଳି ବୁଲି ନାନା ରଙ୍ଗେ ।

ଆଜନମୁ ବନ ବିଟପୀ ସଂଗତେ

ଆଚରୁ ଥିଲା ଯେ, ରୀତି

ଘୋଟକ, ମର୍କଟ ମୃଗ ଶିଶୁ ମେଳେ

କଟାଇ ସମୟ ନିତି ।

ସେ ଯେବେ ଅମର ସମେତ ଭୂଞ୍ଜିବ

ଏବେ ସ୍ୱର୍ଗେ ସୁଖ-ରାଶି,

ମର୍ତ୍ତ୍ୟଲୋକମନେ ସୁର ସୁଖ ଆଶା

ଖେଳିଯିବ ହେଳେ ଆସି,

ଭାବି ମନେ ଏହା ‘‘ସଚୀ’’ ଦେବୀ ନାହା

ହକାରି ଜଳଦ ଗଣ,

ଆଦେଶିଲେ ଘୋର ବାରି ବରଷଣେ

ହେବାକୁ ତପ-ଖଣ୍ଡନ ।

‘‘ଆହେ, ‘ସମ୍ୱର୍ତ୍ତକ,’ ‘ଅମ୍ୱର୍ତ୍ତକ’, ‘ଦ୍ରୋଣ’,

‘ପୁସ୍କର’ ମେଘ ପୁଙ୍ଗବ,

ବିଭାଣ୍ଡକ ଘୋର- ତପସ୍ୟା ସତ୍ୱରେ

କରିବ ଯାଇ ଲାଘବ ।

ହୋଇ ମୋ ବାହନ ଦେଇଥାଅ ମନ

ମୋର ହିତେ ଅବିରତେ,

କ୍ଷଣକେ ପ୍ରଳୟ ଏ ଧରା-ଆଳୟ

ରଚି ପାରିବ ତ ସତେ !

ଦେଖ ମର୍ତ୍ତ୍ୟ ଲୋକ କରୁଅଛି ତପ

ସରଗ-ସମ୍ପଦ ଆଶେ,

ଶତ ଚେଷ୍ଟା କଲେ ପାଶବ ଧରମୁ

ପଶୁ କି ଉଡ଼େ ଆକାଶେ ?

ବହି କେକୀ ପୁଚ୍ଛ ବାୟସ କି କେବେ

ବୋଲାଏ ଲୋକେ କଳାପୀ ?

ଚଞ୍ଚୁ ଚରଣକୁ ଲୋହିତ କରିଲେ

ହୁଅଇ କି ହଂସ ବକୀ ?

ପିପୀଲିକା ସ୍ୱୀୟ କ୍ଷୁଦ୍ର କଳେବରେ

ସାହସ ବାନ୍ଧିବ ଯେବେ,

ଜ୍ୱଳନ୍ତ ପ୍ରଦୀପ ସ୍ଥିତ ରୂଖା ପରେ

ଉଠି ପାରଇ କି କେବେ ?

ମଣ୍ଡୁକି ବିଚାରି ଅଙ୍ଗ ଫୁଲାଇଲେ

ହେବ କାହୁଁ କରୀବର ?

ନଜ ଅବସ୍ଥାରେ ସନ୍ତୋଷ ନରହି

ଯିବ ସିନା ଯମ-ଘର !

ଚଳ ହେ ଜଳଦ ! ବିଳମ୍ୱ ନ କରି

ବରଷିବ ଘୋର ଜଳ,

କଥା ଥାଉ କାଳେ ବିଭାଣ୍ଡକ ତପ

ଭାଙ୍ଗିଥିଲେ ମେଘ-ଦଳ ।’’

ସୁନାସିର ବାଣୀ ଶ୍ରୂତି ପଥେ ଶୁଣି

ନୀରବେ କରି ଗର୍ଜନ,

ଚଳିଲେ କାନନା— ଶ୍ରମେ କରିବାକୁ

ତପୀ-ତପ ବିନାଶନ ।

ଖେଳିଲା ଚପଳେ ନୀଳ ନଭାଙ୍ଗଣେ

କ୍ଷଣପ୍ରଭା କ୍ଷଣା ଲୋକେ,

ଆଣିଲା ଆତଙ୍କ କରାଳ ସ୍ତନିତ

ଗରଜନେ ମର୍ତ୍ତ୍ୟଲୋକେ ।

ବହିଲା ବିଷମେ ଘୋର ପ୍ରଭଞ୍ଜନ

କରି ବିକଟ ଗର୍ଜନ,

ମୂଷଳ ଧାରାରେ ବିହାୟସ କୋଳୁ

ହେଲା ବାରି ବରଷଣ ।

କେଡ଼େ ବେଗେ ସତେ ଲୁଚାଇ ପ୍ରକୃତି

ତା’ ଚାରୁ ଶୋଭା ମାଣିକ,

ଜଗତ ନିବାସୀ ସମକ୍ଷେ ସର୍ଜିଲା

ମରଣ ବ୍ୟଥା କ୍ଷଣିକ !

ଲୁଚିଗଲେ କାହିଁ ବିଧୁ, ଦିବାକର

ଭିଷଣ-ବଉଦ-ମାଳେ,

ସଂସାରର ଶୋଭା ପସରା କେ ନେଲା

ଦୁର୍ଦ୍ଦିନ କରାଳ ଜାଲେ ?

ନ ତୋଜିଲା ଆଉ ଅମୃତ ଲହରୀ

ଅନନ୍ତ-ବିସାରୀ-ସିନ୍ଧୁ,

ଜରି ଗଲା କ୍ରମେ ଆତଙ୍କର ବିଷ

ନର ରକ୍ତ ପ୍ରତି ବିନ୍ଦୁ ।

କି ହେଲା କି ହେବ ଭାବି ନ ପାରିଲେ

କାତର ପ୍ରାଣୀ ସକଳ,

ଯେ, ଯାର ନିବାସେ ମଉନେ ରହିଲେ

ହୋଇ ପରାଣ ବିକଳ ।

ପ୍ରକୃତିର ଉଗ୍ର ଠାଣିକରେ ସିନା

ମାୟିକ ଲୋକେ ଅବଶ,

ତପୀ-ତପ ଭଗେ ସେ କାହୁଁ ପାରିବ ?

ଜଡ଼ିଛି ବ୍ରହ୍ମେ ମାନସ ।

ଚେତନ, ସୁଷୁପ୍ତି ସପନ, ସମାଧି,

ଭେଦେ ଏ ଚାରି ଅବସ୍ଥା,

ସମାଧିସ୍ଥ ତପୀ ନୁହେ ପରିଣପି

ପାଇ ଧରା-ଦୂରାବସ୍ଥା ।

ଫେରିଲେ ନୀରଦେ ଅତି ଅପ୍ରମୋଦେ

ଯହିଁ ଥିଲେ ଆଖଣ୍ଡଳ,

ଭୂମଣ୍ଡଳ ବାସୀ ତାପସ-ଦୃଢ଼ତା

ନଭାଙ୍ଗି ହୋଇ ବିକଳ ।

ଅବଗତ କଲେ ସୁର ସଭା ମଧ୍ୟେ

ସୁରପତି ସମକ୍ଷରେ,

‘‘ଭୋ ଦେବ ! ତାପସ ନ ଭାଙ୍ଗିଲା ତପ

ବର୍ଷା କରକା ଯୋଗରେ ।

ଦେଲୁ ତା ଶ୍ରବଣେ ବିଜୁଳୀ ଚମକେ

ସ୍ତନିତ ଘୋର ଟମକ,

କି ହେବ ତ, ବେଳେ ନଚାହିଁଲା ଡୋଳେ,

ନ ଲଭିଲା ତିଳେ ଦକ ।’’

ସୁଧର୍ମା ସଭାରେ ସୁରପତି ଇନ୍ଦ୍ର

ଭାଷିଲେ କରି ଶ୍ରବଣ,

‘‘ମର୍ତ୍ତ୍ୟ ଲୋକୁ ବଳି ନପାରି ଫେରିଲେ

ଜୀବନେ କି ପ୍ରୟୋଜନ ?

ଅମର ହୋଇ ହେ ! ସକଳେ ଏଠାବେ,

କରିପାର ମହାକର୍ମ,

ମର୍ତ୍ତ୍ୟବାସୀ ପରା ପାଳୁଥାନ୍ତି ନିତି

ତବ ଆଦରଶ ଧର୍ମ ।

ତବ କାୟ-ଦାହ ନାଶନେ ନିରତେ

ବହଇ ସ୍ୱଚ୍ଛ ଜାହ୍ନବୀ,

ବ୍ୟାଧି ନାଶେ ସର୍ବ ମହୌଷଧି ଧରି

ଶୋଭେ ନନ୍ଦନ ଅଟବୀ ।

ବାରଣ ପୁଙ୍ଗବ ଐରାବତ ଦେଖି

କିଏ ନହୁଏ ଚକିତ,

ଘୋଟକ ଅଗ୍ରଣୀ, ଉଚ୍ଚୈଶ୍ରବା ଧ୍ୱନି,

କରେ ମନ ହେଳେ ଭୀତ ।

ସରଗ ସୁମନ ସାର ପାରିଜାତ—

ସୁଷମାର ନିକେତନ,

ବିତରି ସୌରଭ ମୋହି ନେଉଥାଏ

ନାକପୁର ବାସୀ ଗଣ ।

ସାଗର ମନ୍ଥନ ସୁଧା ପିଇ ତୁମ୍ଭେ

ହେବାରୁ ସ୍ୱର୍ଗେ ଅମର,

ମର୍ତ୍ତ୍ୟପୁର ବାସୀ ସେ ସୁଖ ଆଶାରେ

କରୁଛନ୍ତି ତପ ଘୋର ।

କସ୍ୟପ କୁମର ବିଭାଣ୍ଡକ ଯତି

ଜୀବନେ ନ ରଖି ଆଶା,

କରଇ କଠୋର ତପସ୍ୟା କାନନେ

ନ ହେଜି କ୍ଷୁଧା-ପିପାସା ।

ଯେବେ ସେ ଲଭିବ ସିଦ୍ଧି, ସାଧନାରେ

ଆସିବ ଅମରାବତୀ,

ଭୋଗିବ ବିପୁଳ ବିଳାସ ଉଲ୍ଲାସେ

ଅମୂଲ୍ୟ ସ୍ୱର୍ଗ-ସଂପତ୍ତି ।

ଖଟାଇବ ଖରେ ସକଳ ଅମରେ

ତେଜି ଅମଙ୍ଗଳ ଭୟ,

ସୁର ପୁର ବାସୀ ହିତ ବିଚାରରେ

ନଦେବ ଆପଣା ଲୟ ।

ଶଚୀ ଅଙ୍କ ସୁଖ ପାଇ ଶରଧାରେ

ଯାପିବ ଦିବା ଯାମିନୀ,

ସୁରସ ଆଶାରେ ହୋଇ ଲାଳାୟିତ

ଭ୍ରମିବ ଘେନି କାମିନୀ ।

କୌଣପ କରାଳ ତ୍ରାସ ନାଶେ ଚିତ୍ତ

ନଦେବ ଥାପିରେ ବସି,

ଅତୀତ କରମ କଳାପ ଭୁଲିବ

ସ୍ୱର୍ଗ ସଂପଦେ ବିଳସି ।’’

ଶଚୀ-ପତି-ବାଣୀ- ଶିଶିର-ନିହାର

ଯୋଗେ ସୁର-ମୁଖ-ପଦ୍ମ,

ମ୍ରୀୟାମାଣ ହେଲା ମର୍ତ୍ତ୍ୟଲୋକେ ବହି

ଈର୍ଷା ସ୍ୱୀୟ ହୃଦ-ସଦ୍ମ ।

ପଡ଼ିଲା ଭାଳେଣି କେହୁ ଯାଇ ପୁଣି

ଭାଙ୍ଗିବ ତପୀ ସାଧନା

ତେବେ ସିନା ଯିବ ବକ୍ରମନୁ ଏହି

ଘୋର ଶଙ୍କା ବିଡ଼ମ୍ୱନା ।

କିନ୍ନର, ଗନ୍ଧର୍ବ, ଯକ୍ଷ, ସର୍ବ ଦେବ

ଚିନ୍ତି ଶେଷ କଲେ କାଳ,

କେ ଯାଇ କେସନେ ଭାଙ୍ଗିବ କୌଶଳେ

ତାପସ-ତପସ୍ୟା-ଜାଳ ।

ଅମର-ଭାବନା ଜାଣି ମନୋରମା

ଉର୍ବସୀ ସନ୍ନିଧେ ଆସି,

ବିନୟ ଅମୀୟ ବାଣୀରେ କହିଲା

ଭକତି ଧୀରେ ପ୍ରକାଶି;—

‘‘ଅଟ ସିନା ଛାମୁ ! ଅମରାବତୀରେ

ସୁର-ଭବନର ମୂଳ,

ସମତା ନିକିତି ଧରା ପରା ନିତି

ରାଇଜ-ଶାସନ-ତୁଳ ।

ସାରା ସୁର ରାଜ୍ୟେ ନିରେଖିବ ଯେବେ

ଫେଇ ଆପଣା ନୟନ,

ଅବିରାମ ଶୋଭା- ସଲିଳ ତରଙ୍ଗେ

ହେଉଥିବ ମନ ମଗ୍ନ ।

ଦିନେ ନ ଦେଖିଛି ଦୀନ ବେଶେ ‘ସୁର’

ନୟନୁ ଲୋତକ ଝରେ,

ତାହାର କି କେବେ କାମନା-କୋରକ

ଅକାଳେ ଝାଉଁଳି ମରେ ?

ବିଧାତା ସର୍ଜନା କାଳରୁ ଅମରେ

ଆସୁଛନ୍ତି ସୁଖେ ଚଳି,

ଆସିବକି ଏବେ ମର୍ତ୍ତ୍ୟନର ସ୍ୱର୍ଗେ

ଦେବାକୁ ନିଷ୍ଠୁରେ ଜଳି ?

ଦୀନ କି ପାଞ୍ଚିଲେ କରିପାରଇ ହେ !

ସରଗ ରାଜନେ ହୀନ ?

ଶୂକର କି ସତେ ! ଶତ ଚେଷ୍ଟା କଲେ

ଯାପେ ଗାଭୀ ଯଶୋଦିନ ?

ବିହିଲେ ଆଦେଶ ଯିବି ହୋଇ ତୋଷ

ତାପସ-ତପ-ଭଗନେ,

ବସନ୍ତ, ମନ୍ମଥ ସାହାଯ୍ୟରେ କାର୍ଯ୍ୟ

କରିବି ଶୁଭ ଲଗନେ ।

ନାରୀ ନେତ୍ର-କୋଣ, ବଙ୍କିମ ଚାହାଁଣୀ,

ଯୁବାମନ ମୀନ-ଜାଲ,

ତାପସ-ମାନସ- ବନ୍ଧନେ ସହଜେ

ନ ଲୋଡ଼ିବ ବହୁକାଳ ।

ଋତୁକାଳ ରୀତି ବରଜି ହେ ନୃପ !

ଆଦେଶିବ ସମୀରଣେ;

ବହିବାକୁ ମଲ୍ଲୀ- ପୁଷ୍ପ ଗନ୍ଧ ବହି

ଆଶ୍ରମ କୁଟୀର ବନେ ।’’

ଉର୍ବଶୀ-ବଚନ- ବସନ୍ତ-ସଂସ୍ପର୍ଶେ

ଅମରାଧୀପତି-ମନ-

ବଲ୍ଲରୀ ସତେଜେ ମୁକୁଳିଲା ଘେନି

ନବୀନ-ଆଶା-ସୁମନ ।

ଆଦେଶିଲେ କାମ- ଦେବଙ୍କୁ ସତ୍ୱରେ

ଯିବା ପାଇଁ ତପୋବନ,

ସଙ୍ଗେ ନେବ ବୋଲି କହି ଦେଲେ ପୁଣି

ବସନ୍ତ ଗନ୍ଧ-ପବନ ।

ଇନ୍ଦ୍ରାଦେଶେ ତପୋ- ବନରେ ବହନ

ବହିଲା ଗନ୍ଧ ପବନ,

ମୁକୁଳିତ ହେଲେ ତରୁଲତା ପୁଷ୍ପେ

ତନୁ କରି ସୁଶୋଭନ ।

ମଳୟ ପରଶେ ନବ ଜାଗରଣ

ଆସେ ସ୍ଥାବର ଜଙ୍ଗମେ,

ବହେ ରସ-ଧାର ନୀରସ-ହୃଦୟ

ଭେଦି ମରମେ ମରମେ ।

ବିକଶେ ଶ୍ୟାମଳ ପାଦପ ବଲ୍ଲରୀ

ତନୁରେ କୁସୁମ ଚୟ,

ବିବିଧ ଭୂଷଣେ ପ୍ରକୃତି ରାଣୀକି

ଦିଏ ନବ ପରିଚୟ ।

ଦକ୍ଷିଣରୁ ସୁଲୁ- ସୁଲୁ ବହି ଆସେ

ସୁଗନ୍ଧ ସମୀର ଧରେ,

ମାର-ଶର କିସେ ? ତା ଭେଦେ ଟଳନ୍ତି

ତୁଚ୍ଛ ତୁଳା ପରି ବୀରେ ।

ମହତ ମାନବ ମହତ କରମେ

ନଲୋଡ଼େ ଉପକରଣ,

ପୁଷ୍ପେ-ଧନୁ, ନାରୀ- ଭ୍ରୂଲତା, କଟାକ୍ଷେ,

‘‘ସ୍ମର’’ ଜିଣେ ତ୍ରି-ଭୂବନ ।

ବିଭାଣ୍ଡକ ତପୋ- ବନେ ସଞ୍ଚରିଲା

ମଧୁରେ ମଧୁର କାଳ;

ବିଟପୀ ବିହାରୀ ସର୍ବ ପ୍ରାଣୀ ମର୍ମେ

ଘାରିଲା ସତ୍ୱରେ ମାର ।

ସୁଗନ୍ଧ ସରସ ପରିମଳ ବାସ

ଚହଟେ ଚିତ୍ତେ ରସାଇ,

ତାହାର ପରଶେ ପ୍ରଣୟ କାମନା

ଆସେ, କେତେ ଖରେ ଧାଇଁ ।

ପୁଲକ ମାନସେ ଚାହିଁଲେ ମାନବ

ରମଣୀ-ଲାବଣ୍ୟ-ଛବି-

ନଟଳିବ କାହିଁ ଶୁଣିଛକି କେବେ

ପବି ହେଲେ ଯିବ ଦ୍ରବି ।

ପୁଷ୍ପଚାପେ ନାରୀ ଭୂରୁ-ଗୁଣ ଦେଇ,

କଟାକ୍ଷ-ଶର କ୍ଷେପଣେ,

ଜାଗରୂକ କଲା ପ୍ରଣୟ-ବାସନା

‘‘ସ୍ମର’’ ତପୋବନ-ଜନେ ।

ସେ କାଳେ ପୌଷର ହାଡ଼ ଭଙ୍ଗା ଜାଡ଼

ଆସୁଥିଲା ଅଲକ୍ଷିତେ,

ଶିଶିର ତ ଥିଲା ଶୀତକୁ ପ୍ରସାରି

ଧରାରେ ଧାତା ଇଙ୍ଗିତେ ।

ଉତ୍ତର ପବନ ଯୋଗେ ଅପଘନ

ଥରି ଉଠଇ ତୁରିତ,

ଅଙ୍ଗେ କେତେ ଅଙ୍ଗ- ଆଚ୍ଛାଦନ ଲୋକେ

ଭରୁଥିଲେ ମଣି ହିତ ।

କାନନ କୁରଙ୍ଗ ସାଂକୁଡ଼ାଇ ଅଙ୍ଗ

ବଲ୍ଲରୀ କୋଳେ ଗୋପନେ

ରହିଥିଲା ଶୀତ ସମୀର ବାଧାରୁ

ଉଦ୍ଧରିବା ପାଞ୍ଚି ମନେ ।

ଶରଭ ମାନସୁ ଶରଧା ବରଜି

ନ ଥିଲା ବନ-ବିହାରୀ,

ଭ୍ରମୁଥିଲେ ବନେ ବ୍ୟାଘ୍ର, ସିଂହ, ଗଣ୍ଡା

ଘୋର ଆତଙ୍କ ପ୍ରସାରି ।

ଶୁଭ ନ ଥିଲା ସେ ବିହଙ୍ଗ କାକଳୀ

ନିସର୍ଗ-ପୀୟୁଷ-ଝର,

ହେଉଥିଲେ ସର୍ବ- ପ୍ରାଣୀ ଆକୁଳିତ

ପାଇ ଶିଶିର ହିଲ୍ଲୋଳ ।

ନୀଡ଼େ ବା କନ୍ଦରେ ତରୁ ଅନ୍ତରାଳେ

ଥାପି ନିଜ ଅପଘନ,

ରହିଥିଲେ ଲୁଚି ଶିଶିର-କବଳୁ

ବଞ୍ଚାଇବାକୁ ଜୀବନ ।

ବହିଗଲା ଯେବେ ଅକାଳେ, ସେ ବନେ

ମଧୁର ମଧୁ ମଳୟ,

ବନ ବିଟପୀର କୋଳେ ହେଲା କେତେ

ସୌନ୍ଦର୍ଯ୍ୟର ଅଭ୍ୟୁଦୟ ।

କେଦାର କନକ ଧାନ୍ୟ ଶିଷା ତଳେ

କୁରଙ୍ଗେ, ଚିରା—କିରଙ୍ଗେ,

ମାରିଗଲେ ଆହା ! ଅପୂର୍ବ ସନ୍ତୋଷେ

ମଣ୍ଡି ସେ ବନ- ଉତ୍ସଙ୍ଗେ ।

ବହିଲା ବସନ୍ତ ମଳୟ ମରୁତ

ବଲ୍ଲରୀକୁ ମୁକୁଳାଇ,

କିଶୋଳୟ କୋଳ ସୁଷମ ସୁମନ

ମନ୍ଦେ ମନ୍ଦେ ଦୋହଲାଇ ।

ସୁବାସ ନିର୍ମଳ ସମୀର ଆଘ୍ରାଣି

ବୁଲିଲେ ବନ-ବାରଣ;

ଶିଶିର ବାରଣ ହେଲା ବିସ୍ମରଣ—

ବିହଙ୍ଗେ ଉଷତ-ମନ ।

ବିପଦର ଅନ୍ତେ ବିଧି ବଶେ ଆସେ

ଆହ୍ଲାଦର ସୁଖ-ଖେଳ,

ଶିଶିରର ଖର- ଅବସାନେ ମଧୁ-

ଋତୁ କଲା ସର୍ବେ ମେଳ ।

ମଧୁଋତୁ, ମଧୁ- ସୌରଭ ଆଣିଲା

ପ୍ରାଣେ ମଧୁ-ଉଦ୍ଦୀପନା,

ଆରମ୍ଭିଲେ ନବ କୌତୁକେ ପ୍ରାଣୀଏ

ସୁଷମା-ରାଣୀ-ଅର୍ଚ୍ଚନା ।

ସୁମନ ଭୂଷଣେ ସୁମନେ ବଲ୍ଲରୀ

ମୋହିଲେ ମଧୂପ-ମନ,

ପ୍ରେମିକର ରୀତି ଅନୁସରି ଭୃଙ୍ଗ

କଲା ପ୍ରେମ ସମ୍ଭାଷଣ ।

ଲୋଲୁପ ମଧୁପ ଗୁଣୁସ୍ୱରେ ଖରେ

ପୁରାଇଲା ବନ ସ୍ଥଳୀ,

ନାରୀ-ସରସତା ଚିତ୍ତ-ମାଦକତା

କାଳୁ କାଳେ ଅନୁସରି ।

ଯୋଗୀପତି ଶିବ ଚିତ୍ତେ ଯେ ମଧୁର–

ରସ ପ୍ଳାବିଥିଲା ହେଳେ,

ମର କାୟେ ତପ କରମ କେତେକ

ମାର ଉଦ୍ଦୀପନା ବେଳେ ।

ନବ ଉତ୍ତେଜନା ନବୀନ ପ୍ରେରଣା

ପାଇ ଇନ୍ଦ୍ରିୟ ସକଳ

ଆମୋଦିତ ହେଲେ ତପୀ କଳେବରେ

କରି ମାନସ ଚଞ୍ଚଳ ।

ଗନ୍ଧ-ଗନ୍ଧବହ ସ୍ପର୍ଶି ତପୀ କାୟ

ଆଣିଲା ହୃଦେ ବାସନା,

ଫିଟିଲା ନୟନ ଆପେ ଆପେ ଆଉ

ଚଞ୍ଚଳ ହେଲା ରସନା ।

କୁଟୀଳ ହୃଦୟା ଉରୁବଶୀ ଫିଙ୍ଗି

ଅତିଯତ୍ନେ ମାୟା ଜାଲ,

ତପୀମନ ମୀନ ଆକର୍ଷି ଧଇଲା

ତେଜି ଦେଶ, ପାତ୍ର, କାଳ ।

ତା’ ନୟନ-କୋଣ ବଙ୍କିମ ଚାହାଁଣୀ

ଯୁବା ମନ ରତ୍ନ-ହରା,

ମନସିଜ କେଳି ପ୍ରବୀଣାକୁ ଚାହିଁ

ନ ହେବ କେ ଆତ୍ମହରା ?

କାମ ମଦେ ମାତି ତେଜି ଦିବ୍ୟମତି

ହୁଅନ୍ତି ବୁଧେ ବିବଶା,

କଟାକ୍ଷ-ମାର୍ଗଣ, ନୟନ-କୋଣରୁ

ବିନ୍ଧେ ଯେବେ ରସାଳସା

ରମଣୀ ଅପାଙ୍ଗ ଲୀଳା ବିଲୋକନେ

ହୁଏ ବୁଦ୍ଧି ଦ୍ରବୀଭୂତ—

ନଭେ ଚନ୍ଦ୍ରୋଦୟେ ଚନ୍ଦ୍ରକାନ୍ତ ମଣି

ଜଳେ ଯେହ୍ନେ ଅନୁଭୂତ ।

ପୁରୁଷ-ମାନସ- ବିହଙ୍ଗ-ଆବଦ୍ଧେ

କାମିନୀ-କଟାକ୍ଷ-ଫାଶ,

ନୟନ-ଖୁଣ୍ଟିରେ ବାନ୍ଧିଥାଏ ବିଧି

ପାଞ୍ଚି ପୁରୁଷର ନାଶ ।

ମୋହିନୀ ଲାବଣ୍ୟ ନିରେଖି ସଂଯମୀ-

କୁଳ ଶ୍ରେଷ୍ଠ ମହେଶ୍ୱର,

ପରିଧାନ ବସ୍ତ୍ର ନପାରି ସମ୍ଭାଳି

ଚଳିଲେ ହୋଇ ଚଞ୍ଚଳ ।

ବିଶ୍ୱାମିତ୍ର ଘୋର ତପସ୍ୟା ଭଗନେ

ଗଣିକା ଗୁଣ ବିଦିତ,

ଧରା-ରଙ୍ଗମଞ୍ଚେ ଏହିପରି କେତେ

ଧ୍ୱଂସ ଲୀଳା ଅଭିନୀତ ।

ଅହଲ୍ୟା ପୀରତି ଅନୁସରି କ୍ଳେଶ

ଭୁଞ୍ଜିଲେ ସୁର ରାଜନ,

ସୁନ୍ଦ-ଉପସୁନ୍ଦ ଚରିତ ପୁରାଣେ

କରୁଛତ ପାରାୟଣ ।

ଦେଖି ଅପୁରୂବ ଉର୍ବଶୀର ରୂପ-

ମାଧୁରୀ ଆଗେ ତାପସ,

ସୁରତି ଆଶାରେ ଉଠିଲେ ସହସା

ଖେଳିଗଲା ଚିତ୍ତେ ରସ ।

କାନ୍ତା ସଙ୍ଗେ, କାନ୍ତ ରୂପେ ବିହରିବେ

ବୋଲି ସେ ତପୀ ପ୍ରବର,

କୋଠର ସାଧନା ତେଜି ନିବେଶିଲେ

ମାନସ କାମେ ମାତର ।

ପ୍ରାଣ ବଂଧୁ ସଙ୍ଗେ ଖେଳିବାକୁ ରଙ୍ଗେ

ଶରଧା ଧରି ମନରେ,

ଅତୀତର ସ୍ମୃତି- ପବିତ୍ର-ମୂରତି

ଭୁଲିଗଲେ କେଡ଼େ ଖରେ !

ଚତୁରୀ ସେ, ନାରୀ ଗଲା ଅପସରି,

ସେ କାହିଁ ପଡ଼ିବ ଫାନ୍ଦେ ?

ଗଲା ହୋଇ ତ୍ୱରା ଖରେ ମାରି ଚିରା

ତପୀ ଆଗୁଁ ଛଦ୍ମ ଛନ୍ଦେ ।

ମନେ ଆଣିଥିଲା ଯା ରୂପ-ମାଧୁରୀ

କଳ୍ପନାର ଶତ-ସୁଖ,

ଦଇବ ଦୁର୍ଯ୍ୟୋଗେ ଦେଲା ଏବେ ମୁନି

ମନେ ଅସରନ୍ତି ଦୁଃଖ ।

ବ୍ୟକ୍ତ କରିବାର ଶକ୍ତିଅଛି କାର

ହୃଦେ ଯେ ବେଦନା ଜଳେ,

ଅନୁଭବୀ ଯେହୁ ଜାଣଇ ସେ ସିନା

ଆନ ଭ୍ରମେ ଅଗୋଚରେ ।

ଉର୍ବଶୀର ଉଭା- ଠାଣି ତା’ ନୟନ

ଅଳପ ବାଙ୍କ ଚାହାଁଣୀ,

ସ୍ମରି ସ୍ମରି ମୁନି ନିରତେ ହୃଦୟ

ପାଦପକୁ ଦେଲେ ହାଣି ।

କାତରେ ତାହାକୁ ଖୋଜିଲେ ବିପିନେ

କରିବାକୁ ଦରଶନ,

ପ୍ରେୟସୀ କୋଳରେ ପ୍ରେମିକ ଜୀବନ

କରିବେ ବୋଲି ଯାପନ ।

ବୁଲି ବିରହରେ ନପାଇ ଶେଷରେ

ହେଲେ କାନ୍ତା-ଚିନ୍ତା-ମଗ୍ନ

ପରିଣାମେ ତାର ଧରା-ଦୁର୍ବାଦଳେ

ହୋଇଲା ରେତ-ପତନ ।

ବହି ଯାଉଥିଲା ଅଦୂରେ ତଟିନୀ

ନାମ ତା’ ଅଟେ ନର୍ମଦା,

ପଶୁ-ପକ୍ଷୀ-କୁଳ ତୃଷ୍ଣା ନିବାରଣେ

ଶୀତଳ ସଲିଳ ସଦା ।

ବିଭାଣ୍ଡକ ବୁଝି ନିଜ ଦୁର୍ବଳତା,

ଭଙ୍ଗୁର ମାନସ ହାଟ,

ବାହାରିଲେ ବେଗେ ସ୍ନାନ ଅନୁସରି

ନରମଦା-ନୀର-ବାଟ ।

ସ୍ନାନ ଅବଶେଷେ ତପେ ପୁଣି ବସି,

ବ୍ରହ୍ମେ ନିବେଶିଲେ ମନ,

ଦଇବ ଦୁର୍ଯ୍ୟୋଗେ କି ନ ଘଟେ ଆସି

ଧରାରେ ପରିବର୍ତ୍ତନ ।

ପିପାସା କାତରେ ହରିଣୀଏ ଆସି

ମିଳିଲା ନଦୀ କୂଳରେ,

ନୀର ପାନ ସାରି, ଦୂର୍ବାଦଳ ଦଳ

ଭକ୍ଷିଲା କ୍ଷୁଧା କାତରେ ।

ଦୂର୍ବାଦଳ ସଙ୍ଗେ ମୁନିରେତ ଖରେ

ଖାଇଲା ବନ-ବାସିନୀ,

ପ୍ରଦୋଷ ଭାସ୍କର ପାଟଳିମା ଦେଖି

ଫେରିଲା ବାସେ ହରିଣୀ ।

ହୋଇଥିଲା ବନ- ବାସିନୀ ସେ ଏଣୀ

ଶତ୍ର-ଶାପ ଅନୁସରି,

କାଟେ କାଳ କଷ୍ଟେ ଆଦରି ଅଦୃଷ୍ଟ

ବନ କନ୍ଦରେ ବିହରି ।

ଅମର ପୁରରେ ଥିଲା ସେ କିନ୍ନରୀ

‘‘ମଦନୀକା’’ ନାମ ତା’ର

ସ୍ୱର୍ଗ ଅଧିଶ୍ୱର ମୋହି ହେଉଥିଲେ

ଦେଖି ରୂପ ଗୁଣ ଯା’ର ।

ସୁନ୍ଦର ପଣରେ ଅଭିମାନ ବହି,

ମଘବା ପ୍ରତି ଅପ୍ରୀତି

ଆଚରି ଶାପରେ ହରିଣୀ ରୂପରେ

ଅବତରି ବୁଲେ ନିତି ।

ଖାଇ ମୁନିରେତ କିଛି ଦିନପରେ

ହେଲା ଏଣୀ ଗର୍ଭବତୀ,

ଦିନୁଦିନ ଗର୍ଭା- ଳସେ ନ ଚାଲଇ

ଗୁରୁଭାର ମନେ ଅତି ।

ହସି ଖେଳି ସୁଖେ ବିହରେ ଯେ ବନେ

ବିଷାଦ ଆଶଙ୍କା ବିନା,

ପର୍ବତ କନ୍ଦରେ ଲତା ଅନ୍ତରାଳେ

ବନ୍ଦିନୀ ଏବେ ସେ ସିନା ।

କାଳ ଉପଗତେ ପ୍ରସବିଲା ମୃଗୀ

ମାନବ ଶିଶୁ ଅତୁଳ,

‘‘କାହାର ଆଦେଶେ’’ ଭାବିଲା ଚକିତେ

‘‘କୁଳ ନାଶର ଏ ମୂଳ ।’’

ଭାଳି ଏହା ପୁଣି ଭାବିଲା ହରିଣୀ—

‘‘ନର ମୋ ଚିର ଅଇରୀ

ମୋ ବଂଶ ନିପାତ ପାଇଁ ପରା ବୁଲେ

ବନେ ଧନୁଶର ଧରି ।

କି ନିଷ୍ଠୁର ତା’ର ପାଷାଣ ହୃଦୟ

ହିଂସା ଜର୍ଜରିତ ତନୁ,

ନିରୀହ ହରିଣୀ ଜୀବନ ନେବାରେ

ଦୟା ଛାଡ଼ିଥାଇ ମନୁ ।

ଆଜି ଏ ଜନମି ମୋ ଉଦରୁ ପୁଣି

ପାଞ୍ଚିବ ପରେ ମୋ ନାଶ,

ବାୟସ-ପାଳିତ- ପର ଭୃତ ପରି

ହେବି ମୁଁ ସିନା ହତାଶ ।

ଚଳିଲା ହରିଣୀ ଅପତ୍ୟ ବାସନା

ହୃଦୟରୁ ପରିହରି,

ଯେ, ଯା୩ର ତାହାର, ଅନ୍ୟଠାରେ ପ୍ରୀତି

ନଥାଏ କେବେ ସଞ୍ଚରୀ ।

ଲକ୍ଷେ ଯୋଜନରେ ରବି ଉଦେହେଲେ

ହସି ଉଠେ କମଳିନୀ,

ଚନ୍ଦ୍ରମା ଦର୍ଶନେ ମଉନେ ମୁଦ୍ରିତା

ବିର ସେ ଅଭିମାନିନୀ;

ଭାସ୍କର ମୟୂଖ- ପରଶ-ପୀୟୁଷ-

ସୁଖେ ଆଣିଦିଏ ମନେ,

ସେ କାହୁଁ ହୋଇବ ଆହ୍ଲାଦିତ ହୃଦେ

ରଜନୀ-ନାହା-ଦର୍ଶନେ ?

ନବଜାତ-ନର ଶିଶୁକୁ ପକାଇ,

ଖରତରେ ଗଲା ଚଳି,

ଆସନ୍ନ-ଜନମ- ବାଳକ କ୍ରନ୍ଦନେ

କମ୍ପି ଉଠେ ବନ-ସ୍ଥଳୀ ।

ଅଦୂରେ ଶୋଭଇ ତାପସ ଆଶ୍ରମ

ତପୋରତ ବିଭାଣ୍ଡକ,

ସଦ୍ୟଜାତ ଶିଶୁ କ୍ରନ୍ଦନ ଶ୍ରବଣେ

ହୃଦୟେ ବହିଲେ ଦକ ।

କି ହେଲା ସଂପ୍ରତି ଆଶଙ୍କିତ ମତି–

ହୋଇ ନିଜ ତପୋବନେ;

ଗମିଲେ ଆଶ୍ରମୁ, ଚକିତେ ତାପସ

ହେକି ସେ ଶବ୍ଦ ବହନେ ।

ଦେଖିଲେ, ଶୋଭଇ ସୁକୁମାର ଶିଶୁ

ଶ୍ୟାମଳ ଧରଣୀ ପର,

ଖାଦ୍ୟ, ପେୟ ହୀନ ଆଶ୍ରୟ ବିହୀନ

ହୋଇ କାନ୍ଦେ ଥରୁଥର ।

କେଉଁ ଜନନୀ ସେ, କେସନେ ବରଜି

ଗଲା ବିପିନେ ନନ୍ଦନ,

ନ ହେଲା ବିଦୀର୍ଣ୍ଣ କେହ୍ନେ ତା’ ହୃଦୟ

ଦେଖି, ଏ ଶୁଶୁ ଶୟନ !

ଜନ୍ମ ଦେଇ ପୁଣି ମାରଣେ ଜନନୀ

କଲା କୋପେ ପରିହାର,

ଶୃଗାଳ, ଶକୁନ, ଦେଖିଲେ ବହନ

କରିବେ ନିଜ ଆହାର ।

କେସନେ ଜନମି କାହାର ନନ୍ଦନ

କାନ୍ଦେ ଏକା କି କାରଣେ ?

ଜାଣିବା ଆଶାରେ, ବସି ସମାଧିସ୍ଥ

ହେଲେ ତପୀ ନିକାଞ୍ଚନେ ।

ତିନି କାଳ କଥା ଗୋଚର ସର୍ବଥା

ହୁଏ ସମାଧିସ୍ଥ ନରେ,

ଅଳ୍ପେ ଅବଗତ ହେଲେ ବିଭାଣ୍ଡକ

ବସି ଯୋଗ-ଆସନରେ ।

କୁମର-ଅତୀତ- ସକଳ-ବୃତ୍ତାନ୍ତ

ନାଚିଲା ସ୍ମୃତି-ପଥରେ;

ଉର୍ବଶୀ କପଟ ପ୍ରେମ ସମ୍ଭାଷଣ

ଝଲସି ଉଠିଲା ତରେ ।

ଜାଗରୁକ ହେଲା ମାୟା ଆସି ମନେ

ମମତା ଉଠିଲା ତେଜି,

ନର ଶିଶୁ କତି ଗମିଲେ ସଂପ୍ରତି

ପୂର୍ବ ଇତିବୃତ୍ତ ହେଜି ।

ଦେଖି ତା’ର ଶିରେ ଶୃଙ୍ଗ ଚିହ୍ନ ଦ୍ୱୟ

ହୋଇଲେ ଅତି ଚକିତ

ହରିଣୀ ଉଦରୁ ଜନମି, ବୁଝିଲେ,

ଶୃଙ୍ଗ ଚିହ୍ନେ ବିରାଜିତ ।

ଆଶ୍ରମ କୁଟୀରେ ନେଇ ଶରଧାରେ

ପାଳିଲେ ଯତନ କରି;

ଦେଲେ ଫଳ-ରସ, କ୍ଷୀର-ନୀର ଗ୍ରାସ,

କାଳ ବେଳ ଅନୁସରି ।

ପୂତ ତପୋବନେ ଲାଗିଲା ଏସନେ

ବିଷୟା-ମାୟା ଜଞ୍ଜାଳ,

କୁମର ପାଳନ କରି ତୋଷମନ

ହୋଇଲେ କସ୍ୟପ ବାଳ ।

ଶୁକ୍ଳପକ୍ଷ ଶଶି- କଳା ସମ ସୁତ

ଦିନକୁ ଦିନ ବଢ଼ଇ,

ତା’ ଶୁଭ୍ର ବଦନ ଦେଖି ପିତା କୋଳେ

ନିଅନ୍ତି ପୁଲକ ହୋଇ ।

‘‘ରୂପ-ମାପ କାଠ ରୂପ-ତୁଳା-ଦଣ୍ଡ

ଜଗତେ ଅଛଇ ଯେତେ,

କବିତା-କୁଞ୍ଜରେ, ବଳିବୁ ବଳାରେ

କଳି ବସିଲେ, ମୁଁ କେତେ !

ତୋ’ଅମଳ ମୁଖ ନିର୍ମଳ ପରଶ

ଲଭି ଏ ଆଶ୍ରମ ଘରେ,

ଲୁଚିଯାଏ କେଣେ ଆବିଳତା-ପଙ୍କ-

କଳୁଷ, ମାନସ-ସରେ ।’’

କାଳଅନ୍ତେ ପୁତ୍ର ନାମ କରଣରେ

ନମନ୍ତ୍ରିଲେ ତପୀ ଗଣ—

ଜାବାଳୀ, ଅଙ୍ଗିରା, ବାମଦେବ, ଭୃଗୁ

ବିଶ୍ୱାମିତ୍ର, ଅତ୍ରି, କଣ୍ୱ,

ଦୁର୍ବାସା, ବଶିଷ୍ଠ, ଶୁକ, ମାରକଣ୍ଡ,

ଅଗସ୍ତି, ସିଦ୍ଧ ନାରଦ,

ବିଭାଣ୍ଡକ ଯତି- ଆଶ୍ରମେ ମିଳିଲେ

ମାନସେ ଲଭି ପ୍ରମୋଦ ।

ବନ ତରୁ ଫଳ ମୂଳେ ସତକାର

ସାରି ଋଷି ବିଭାଣ୍ଡକ;

ଆଶ୍ରମ କୁଟୀରେ ଋଷି ଶ୍ରେଣୀ ଘେନି

ବସିଲେ ହୋଇ ଉତ୍ସୁକ ।

ବିନ୍ଧ୍ୟ-ସାନୁମାନ- ଦରପ-ଦଳନ

‘‘ଆତାପି-ବାତାପି’’ ନାଶ,

ସାଗର-ଶୋଷଣ କରି ଯେ, ସୁଖ୍ୟାତି

କରିଛନ୍ତି ପରକାଶ–

ସେହି ମହରର୍ଷ ଅଗସ୍ତି’’ କୋଳରେ

ଧରି ତାପସ-ନନ୍ଦନ,

ଶୃଙ୍ଗ ଚିହ୍ନ ଚାହିଁ ବୋଇଲେ, ଏ ଋଷ୍ୟ-

ଶୃଙ୍ଗ ହେଉ ତ୍ରିଭୂବନ ।

‘‘ଆଚ୍ଛା ହେଲା’’ ବୋଲି ଭାଷିଲେ ସକଳେ

ବିଭାଣ୍ଡକ ତୋଷ ମତି,

ଅକ୍ଷତେ ଆଶିଷ ବରଷିଲେ ସର୍ବେ

ବସି, ବାଳ-ସୁତ କତି ।

ନାନା ପରକାର ବନଫଳେ ପୁଣି

ସକଳେ ହୋଇ ତୃପତ,

ବିଭାଣ୍ଡକ ପାଶୁଁ ବିଦାୟ ଲଭିଲେ

ଶେଷେ ସର୍ବ ତପୋବନ୍ତ ।

‘‘ଋଷ୍ୟଶୃଙ୍ଗ’’ ଘେନି ବିଭାଣ୍ଡକ ମୁନି

କାଟିଲେ ନିଶି ବାସର,

ଅମଳ ବଦନ, ଦରୋଟି ବଚନ,

ଦେଖି-ଶୁଣି ତୋଷଭର ।

ନିଶିଥ-ନିର୍ମଳ ବିହାୟସ କୋଳ

ଆନନ୍ଦ ବର୍ଦ୍ଧନ ବିଧୁ

ଦର୍ଶନେ କି ସତେ ! ପୁଲକି ଉଚ୍ଛୁଳେ

ଅନନ୍ତ ବିସ୍ତାରୀ ସିନ୍ଧୁ !

ଅବା ମରୁଚାରୀ ପଥିକ ନୟନେ

ନିର୍ମଳ ନିର୍ଝର-ଝର,

ସତେକି ସତତ ବୁଭୁକ୍ଷିତ ଅଗ୍ରେ

ସୁସ୍ୱାଦୁ ଖାଦ୍ୟ ନିକର !

କୁସୁମାର ସୁତ ଲଭି ତୋପବନ୍ତ

ଭୁଲିଗଲେ ତପ-କଥା;

ଲାଳନ ପାଳନ ପାଇଁ ତତପର

ହୁଅନ୍ତି ମୋଦେ ସର୍ବଥା ।

ଜନକ-ସେନେହ- ଆଦର ପାଳନେ

ଦିନକୁ ଦିନ ନନ୍ଦନ

ଋଷ୍ୟଶୃଙ୍ଗ, ଋଷି- କୁଟୀରେ ବଢ଼ିଲେ

ଆମୋଦିତ ତପୋବନ ।

ଓଁକାର ନିନାଦେ ହୋମଅଗ୍ନି ଗନ୍ଧେ

ପୂରିଥିଲା ଯେଉଁ ସ୍ଥଳ,

ସେହିଠାବେ ଏବେ ପୂରିଉଠେ ଶିଶୁ-

ଦରୋଟି-ମଧୁର-ସ୍ୱର ।

Image

 

ଦ୍ୱିତୀୟ ସର୍ଗ

(ରାମକେରୀ)

 

ତାପସ ଆଶ୍ରମ ସୁଷମା ମନ-ନୟନ-ହରା,

ପ୍ରଭାତେ ପ୍ରଦୋଷେ ପାଦପେ ପୁଷ୍ପେ ଥାଆନ୍ତି ଭରା ।

ନିରେଖି ସୁମନ ସରସ ଖେଳ କିଶଳୟରେ,

ଉଡ଼ି ନଭେ ଭୃଙ୍ଗେ ଆସନ୍ତି ଗୁଣୁ ଗୁଣୁ ସୁସ୍ୱରେ ।

ଗୁଞ୍ଜନ ନୁହେତା ମଧୁପ ପୁଷ୍ପେ ପ୍ରଶଂସା ବାଣୀ;

ପ୍ରେମିକ ପୀରତି ପ୍ରେମିକ ଯେହ୍ନେ କଲ୍ୟାଣ ଜାଣି ।

ରସାଳ ଗହଳ କୋକିଳ ସ୍ୱର, ପୀୟୁଷ ଝର,

ରଜନୀ-ଆଗମ-ଘୋଷଣେ, ସାନ୍ଧ୍ୟ ଝିଲିକା-ସ୍ୱର,

ଅଦୂର କୋମଳ ପଲ୍ଲବ କୋଳୁ ଆସେ ବହନେ,

କେତେ ସୁଖ-ତାରା ଫୁଟାଏ, ଜନ-ମନ-ଗଗନେ ।

ସରସୀ-ଭରସେ କୁମୁଦ, ତାମରସ ସୁଷମା-

ବିସ୍ତାରି ଆଶ୍ରମ ଶେଷରେ ଦିଶେ କି ମନୋରମା !

ମଧୁ ମାସ ରସ ଲାଗଇ ବନେ ମଧୁ ମଳୟେ

ମଧୁପ-ଗୁଞ୍ଜନ, କୋକିଳ-କାକଳୀ କିଶଳୟେ;

ତାଳ ଅନୁସରି ନାଚଇ କେକୀ କାନନେ ଯେବେ,

ମରୁ ହୃଦେ ସୁନା-ସୁମନ ଫୁଟି ଉଠଇ ତେବେ ।

ଶରତ ସକାଳେ ପ୍ରଦୋଷେ ରଙ୍ଗେ କୁରଙ୍ଗେ ଚିରା-

ମାରି ହେମ ଧାନ୍ୟ କେଦାରେ ବୁଲୁ ଥାଆନ୍ତି ତ୍ୱରା ।

ଧଳା ମେଘ ଦଳ ଆଶ୍ରମ ତରୁ ଉପରେ ଚଳି

ଶୋଭଇ ଦୂରରୁ ଶୁକଳ ଶୁଭ୍ର ବିପନ ଭଳି ।

ପଳ ଭରେ ଭରା ପାଦପେ, ନତ ଭୂପୃଷ୍ଠ-ପରେ

ବଲ୍ଲରୀ-ବେଷ୍ଟନେ ପ୍ରତୀତ ହୁଏ ଲୋକ-ନେତରେ ।

ସରାଗେ ପ୍ରକୃତି ରାଣୀକି ପିନ୍ଧି ହରିତ ଶାଢ଼ି,

ବସିଛି ଆଶ୍ରମ କୁସୁମେ ଶୋଭା ପସରା ବାଢ଼ି ।

ନାରିକେଳ ତରୁ ସଂହତି ଉଭା କି ଉଚ୍ଚ ଧରି,

ପ୍ରକୃତି ସଂପଦ ରକ୍ଷଣେ, ସତେ ଅବା ପ୍ରହରୀ !

କୁମ୍ଭାଟୁଆ ଖଗ ନିନାଦ, ଶଙ୍ଖ ଶବଦ ଜାଣି,

ହୁଳହୁଳି ଛଳେ କୋକିଳ କିବା ଭାଷଇ ବାଣୀ ?

ଗାଏ ଭୃଙ୍ଗ ମଧୁ ଗୁଞ୍ଜନେ, ପୁଷ୍ପ କୋମଳ ଦଳେ,

ଗୁଣି ହେଉଥାଏ ସମୀର ତରୁ ପଲ୍ଲବ କୋଳେ ।

ତପୋବନ-କଟି-ମେଖଳା ସମ ଶୁଭ୍ର ତଟିନୀ,

‘କୁଳୁ’ ‘କୁଳୁ’ ମଧୁ ଶବଦେ ବହେ ଦିବା ଯାମିନୀ ।

ରବି ଉଦୟାସ୍ତ ଆରକ୍ତ ଆଭା ଉଷା-ପ୍ରଦୋଷେ,

ତପୋବନ ତରୁ ସଂହତି ଭେଦି ସୁଷମ ଦିଶେ ।

ବିପିନ ଆଶୟମ କୁଟୀରେ ବସି ବାଳ ତାପସ,

ପ୍ରକୃତିର ଶୋଭା ପସରା ଦେଖି ମନେ ହରଷ ।

ପାଇ ନାହାଁନ୍ତିତ ଜନନୀ ସ୍ନେହ ସୁଖ ଜନମୁଁ,

ବଞ୍ଚିତ ଅଛନ୍ତି ଆବର ସଖା ସଙ୍ଗତ କର୍ମୁ ।

ଜନକ କରି ସେ ଉଭୟ କର୍ମ ତୋଷନ୍ତି ମନ,

ଆହାରେ ବିହାରେ ସତତ ଘେନି ସ୍ୱୀୟ ନନ୍ଦନ ।

ଦେଖି ଅହରହ କୁମର ଦର-ହାସ ବଦନ,

ଶୁଣି ପୁଣି ଡେରି ଶ୍ରବଣ, ତା’ ଦରୋଟି ବଚନ ।

ବାତ୍ସଲ୍ୟ ପୀରତି-କୁହୁକ-ଫାନ୍ଦେ ଆବଦ୍ଧ ଅତି,

ବେଳୁ ବେଳ ହୋଇ ତାପସ ନିତି ପୁଲକ ମତି ।

ବହୁ ଦିନ ତପ ଫଳରେ ଧାତା ହୋଇ ପ୍ରସନ୍ନ

ଦେଲେ ତପୋବନ ଆଶ୍ରମେ ଆହା ପୁତ୍ର-ରତନ !

ତପୋବନ ଶୋଭା ପସରା, ନେତ୍ର-ଆହ୍ଲାଦ-ମଣି,

ବିଷୟା କାଳିମା-ସନ୍ତାପେ, ନିଶ-କୌମୁଦି ଜାଣି ।

କେତେ ଯେ ବାସନା ଆଶାର ମରୀଚିକା ମାନସେ

ଜାତ ହେଉଥାଏ ସଂସାର ପ୍ରୀତି ଭାବ ସ୍ପରଶେ ।

କି ହୃନ୍ଦରେ ମୋହି ନିଏ ସେ ବିଷୟାର ବନ୍ଧନ,

ଯା’ ଯୋଗେ ବିଷକୁ ଅମୃତ ମଣେ ମାନବ ମନ ।

ଯେତେବେଳେ ମୁନି ଦେଖନ୍ତି ସୁତ-ସୁଷମ-ମୁଖ,

ପାଶୋରନ୍ତି ହେଳେ କଠୋର ତପ-ସାଧନ ଦୁଃଖ ।

ବଳେ ନାଚେ ମନ-ରାଇଜେ ପ୍ରୀୟା ଅପୂର୍ବ ଛବି,

ବୋଲନ୍ତି, ‘‘ନଦେଖି ନନ୍ଦନ ହୃଦ କଲୁ କି ପବି ?’’

ସ୍ମରି ସେ ଉର୍ବଶୀ ଅତୀତ ମନ ମୋହନ କାନ୍ତି,

ଚିନ୍ତନ୍ତି, ‘‘ସତେକି ଆସିବ ପୂର୍ବ ପ୍ରଣୟେ ମାତି ?

କି ପ୍ରେମ ବନ୍ଧନେ ବାନ୍ଧିଲା ଏଥି ସହସା ଆସି,

ରଚିଲା ବିରହ ଯାତନା ଚାରୁ ଭାବ ପ୍ରକାଶି ।

ଧନ୍ୟ ଗୋ ଉର୍ବଶୀ ! ଆସିଲ ତେଜି ଅମରାବତୀ,

ଆଙ୍କିଲ ପ୍ରଣୟ ଆଲେଖ୍ୟ-ଦେବ ଦୁର୍ଲ୍ଲଭ-ଭୂତି ।

ସ୍ରୋତର କୁସୁମ ପରା ଗୋ ! ସ୍ରୋତେ ଗଲତ ଭାସି,

ରହିଗଲା ମାତ୍ର ଦେଖିଲା ଲୋକ ମନରେ ରସି ।

ବସନ୍ତୁ ମଳୟ ସଂଗତେ ଗଲ କି ସୁଖେ ଚାଲି,

ଅଲକ୍ଷିତେ ଫୁଲ ପରାଗ ପରି ଝାଉଁଳି ବାଳୀ ।

ମରମେ ରହିଛି ମାତର ସେହି ସ୍ମୃତି-ବେଦନା;

ପରାଣର ପ୍ରତି ସ୍ତରେ ଗୋ କରେ କଷ୍ଟ-ସର୍ଜନା ।

ବିଷାଦର ଶେଷେ ଆଲ୍ଲାଦ ଆସେ ଜଗତ ରୀତି

ନହେଲେ କି ପ୍ରାଣୁ ଅଧିକ ପୁତ୍ର ପାଆନ୍ତି ଏଥି ?

ତବ ବିରହର ଫଳ ଏ ମୂଳ ଆଶ୍ରମେ ସିନା,

କାହୁଁ ଏ ସରଗ-କୁସୁମ ଲଭିଥାନ୍ତି ତୋ ବିନା ?

ନବଘନ ବୋଳ ବିଜୁଳୀ ସମ ଗଲା ଗୋ ଲିଭି,

ଭୁଲି ପାରିବକି ସଂସାରେ କେବେ ସେ ରୂପଜୀବୀ ?

ଗଲ ଯେବେ ସୂର ବନିତା କେବେ ଫେରିବ ଆଉ ?

ତବ ଅଦର୍ଶନେ ଘାରଇ ଅଙ୍ଗ, ଅନଙ୍ଗ-ଦାଉ ।

ସରଗର ଝରାଫୁଲଗୋ ! ସିମନ୍ତିନୀ ରତନ,

ଶରଧା ବରଜି ସତ୍ୱରେ ଗଲ ତେଜି କେସନ ?

ପ୍ରଣୟ ସମ୍ଭାର ବିଧାନେ କରି ନ ଥିଲି ହେଳା,

ଅତଳ ସାଗରେ ବୁଡ଼ାଇ ଦେଲ କି କରି ଭେଳା ?

ବନେ ବିଭୁ ଧ୍ୟାନେ ଥିଲି ମୁଁ ରତ ବନ-ତାପସ,

କିହେତୁ କଲ ଗୋ ସଞ୍ଚାର ହୃଦେ ମଧୁର-ରସ ?

ଶୁଭ କାର୍ଯ୍ୟେ ପ୍ରତିବନ୍ଧକ ଘଟେ ବିହି ଘଟଣା,

ଅନିତ୍ୟ କରମେ ଆସକ୍ତି ସଦା ତା’ ବିଡ଼ମ୍ୱନା ।

ପାଞ୍ଚିଲେ କିହେବ ଅନିତ୍ୟ ? ନିତ୍ୟ ସଦା ପରମ,

ପରମେ ଉତ୍କର୍ଷ, ଅପର ସବୁ ସିନା ଭରମ ।

କୁମର ବର୍ଦ୍ଧନେ ସଂପ୍ରତି ସ୍ୱର୍ଗୁଁ ଦିଅ ଆଶୀଷ,

ବଢ଼ୁ ଏ କୁଟୀରେ ନଥାଇ ବ୍ୟାଧି-ବିଷମ-ବିଷ ।

କାରଣ ନଥାଇ କାର୍ଯ୍ୟ କି କେବେ ହୁଅଇ ଭବେ ?

ସ୍ରଷ୍ଟା ବିହୁନେ କି ସୃଜନ ଶକ୍ତି ବିକାଶେ ଲବେ ?

ଜନମ ନଦେଲେ କିହେଲା ? ଜନନୀର କାରଣ

ଅଟ ଗୋ ଉର୍ବଶୀ ! ସରଗ-ବାମା-ଶ୍ରେଷ୍ଠ-ରତନ ।

ଜନନୀର ସୁତ ସମ୍ୱନ୍ଧ ସଦା ବିମଳ ଭାବ

ରହି ସୁର-ବଧୂ ସରଗେ, ନପାଞ୍ଚ ତା’ ଅଭାବ ।

ନନ୍ଦନର ଶୋଭା-ସାଗରେ ବୁଡ଼ାଇଣ ମାନସ

ମୀନକୁ ଲଭନ୍ତି ହରଷ ଆଶ୍ରମରେ ତାପସ ।

ପିତା ପାଶେ ରହି ଭାଷିଲା ପୁତ୍ର ଦରୋଟି ଭାଷ,

ବେଳୁ ବେଳ ଫୁଲ ଫଳରେ ବଢ଼ାଇଲା ତ ଆଶ ।

ଢଳ ଢଳ ତନୁ ସୁନ୍ଦର ଦୁର୍ବାଦଳ ଶେଯରେ

ଭସାଏ ବାଳକ ସୁଲଭ ଲୋଳ-ଖେଳ ହୃଦରେ ।

କରପାତି କେବେ ଲୋଡ଼ଇ ତରୁ ଡାଳ ବିହଙ୍ଗ,

କେବେ କେବେ ଅଳି କରଇ ଦେଖି ବନ-ନାରଙ୍ଗ ।

ବ୍ୟଥା ଉପୁଜିବ ନନ୍ଦନ ମନେ ବୋଲି ଯତନେ,

ଆଣି ସେ ସୁରଙ୍ଗ ଫଳକୁ ଦ୍ୟନ୍ତି ପିତା ବହନେ ।

ନ ଆଣି ପାରିବା ଜିନିସ ପ୍ରତି, ତପୀ ଚତୁରେ

ଗେଲାଇ ମନକୁ ଭୁଲାଉ ଥାନ୍ତି କୁତୁହଳରେ ।

ପଦ୍ମିନୀ ପ୍ରବୋଧେ-ପ୍ରଭାତେ ଅନୁରାଗ ପ୍ରକାଶି

ଅରୁଣିମା ଚାଟୁ ଖେଳାଇ ଯେବେ ଭାସ୍କର ଆସି;

ଦିଶନ୍ତି ମାନବ ନୟନେ ପ୍ରାଚୀ ଶୁଭ୍ର ଗଗନେ,

ବିଭାଣ୍ଡକ ଘେନି ନନ୍ଦନ ଯାନ୍ତି ଉଷତ ମନେ ।

ତଟିନୀ ପୁଳିନେ ବିହରି ଉଷା ମୃଦୁ ସମୀରେ,

ନଦୀ ଢେଉ କଳ-ଗୀତିକା କର୍ଣ୍ଣେ ଶୁଣାନ୍ତିଧୀରେ ।

ବହି ଯାଉଥାଏ ତଟିନୀ ଝର, ଝର ନିସ୍ୱନେ,

ଶିଳାରୁ ଶିଳାକୁ ଡିଆଁଇ ଚମତ୍କାର କମ୍ପନେ ।

ସ୍ରୋତସ୍ୱିନୀ ସ୍ରୋତ ତରଙ୍ଗ, ପୁଣି ତା’ କଳଗୀତ,

ଦର୍ଶନ ନୟନ ମାନସ ହୁଏ ସହଜେ ପ୍ରୀତ ।

ଯାହା ସେ ଦେଖଇ ବାଳୁତ ପ୍ରଶ୍ନ କରେ ବହନ,

ଜିଜ୍ଞାସୁର ବୁଦ୍ଧି ପିପାସା, ଧନ୍ୟ ବିଧି-ବିଧାନ !

ବିଭାଣ୍ଡକ ତୋଷେ କହନ୍ତି, ନଦୀ ନାମ ନର୍ମଦା,

ନିର୍ମଳ ଶୀତଳ ସଲିଳେ ପ୍ରାଣୀ ତୋଷଇ ସଦା ।

ଉତ୍ତର ଦକ୍ଷିଣ ଭାରତ ସୀମା ନିର୍ଦ୍ଦେଶକାରୀ,

ଭାରତର ମଧ୍ୟ ଭାଗରେ ବିନ୍ଧ୍ୟା ସାତ୍‍ପୁର ଗିରି ।

ସେ ଗିରି କୋଳରୁ ଆସଇ ବହି ଏ ପ୍ରବାହିନୀ,

ଦେବ ଯକ୍ଷ କନ୍ୟ ସ୍ନାହାନେ ଆହା କି ସୋହାଗିନୀ !

ବ୍ୟାଘ୍ର ବାରଣଙ୍କ ସଞ୍ଚାରେ କୂଳ ଅତି ସଂକୁଳ,

କେଶରୀ ଶରଭ ବୁଲନ୍ତି କରି ପ୍ରାଣ ଆକୁଳ ।

ସୁରଭିତ ଉଷା ସମୀର ବହେ ଯେବେ ବିପିନେ,

ତଟିନୀ ଉରସେ ଲହରୀ ମାଳ ଉଠେ ବହନେ ।

ତାହା କୂଳତରୁ ସଂହତି ମୂଳେ ଦିଏ ଚୁମ୍ୱନ,

ପାଦପର ମୂଳ ମୂର୍ତ୍ତିକା ସ୍ନେହେ କରି କର୍ଷଣ ।

ଦିନେ ଦିନେ ଉଷା ସମୀରେ ଋଷ୍ୟଶୃଙ୍ଗ ତାପସ,

ଜନକ ସଂଗତେ କାନନେ ବୁଲି ହୋଇ ହରଷ ।

ଶରତର ଶୁଭ୍ର ଶେଫାଳି ଫୁଲ ଆନନ୍ଦେ ଯାଇ,

ଗୋଟାଇ ଆଣନ୍ତି ପୁଲକେ ମାଳ ଗୁନ୍ଥିବା ପାଇଁ ।

ପ୍ରଦୋଷେ ବାରୁଣୀ ଆରକ୍ତ ଆଭା ଅସ୍ତ ଗଗନେ,

ନିମୀଳିତ ନେତ୍ରେ ନିରେଖୁ ଥାନ୍ତି ଚକିତ ମନେ ।

କୁରଙ୍ଗ ଶାବକ ମେଳରେ ରତ ଯେବେ ଖେଳରେ,

କୁରଙ୍ଗେ ତ ବାରୁ ନଥାନ୍ତି ଶିର-ଶୃଙ୍ଗ-ଯୋଗରେ ।

ପଠନ ବୟସ ପ୍ରାପତ ଯହୁଁ ହେଲା ନନ୍ଦନ,

ନିକଟେ ବସାଇ ଜନକ କଲେ ଶାସ୍ତ୍ର ଚୟନ ।

ବୁଦ୍ଧି-ବୃତ୍ତି କ୍ରମେ ବଢ଼ନ୍ତେ କଲେ ବେଦପଠନ,

ଯା’ ପଢ଼ି ବାଳୁତ ମାନସ ହେଲା ତପରେ ମଗ୍ନ ।

ସ୍ନେହେ ସନ୍ତାନର କାନନେ ଯଜ୍ଞ-ସୂତ୍ର ଧାରେ,

ସମାରୋହେ କଲେ ଆଶ୍ରମେ, ଡାକି ତାପସ ଗଣ ।

ହେଲା ଦିନୁ ଦିନ ଅସୁଖ ଖେଳ ଲୋକ ବିହାର,

ଇନ୍ଦ୍ରିୟ ଚାଳିତ ପ୍ରବୃତ୍ତି କଲେ କ୍ରମେ ସଂହାର ।

ଯୋଗର ଆସନ-ଧିଆନ ସବୁ ଶିଖାଇ ପିତା,

ଇନ୍ଦ୍ରିୟ ତର୍ପଣଜନିତ ଆଶ କଲେ ପିତା ।

ଋଷ୍ୟଶୃଙ୍ଗ ବାଳ ବୟସୁ କଲେ ଘୋର ସାଧନ,

ମୁଦ୍ରିତ ନୟନ ନଫିଟି ତପେ ମଜ୍ଜିଲା ମନ ।

ସାରାଦିନ ସାଧି ତପସ୍ୟା ସାୟଂକାଳେ ଆଶ୍ରମେ,

ଜନକ ସଂଗତେ ଆଶ୍ରମେ ଫେରୁଥାନ୍ତି ଆରାମେ ।

ସୂତ ତପେ ମନ-ନିବେଶ ଦେଖି ପିତା ଆନନ୍ଦ,

ମୁଖ ବିକାଶଇ କିଅବା ସତେ ପୂର୍ଣ୍ଣିମା ଚାନ୍ଦ !

ଦିନେ ବିଭାଣ୍ଡକ ପାଶକୁ ରାଇ କୁମର-ମଣି,

ବୋଇଲେ, ‘‘ତୋ ଆଚରଣରେ ଅଛି ମୁଁ ସୁଖମଣି;

ମୋ ନୀରସ ହୃଦ କେଦାରେ, ତୋର ବାଣୀ-ନିର୍ଝର,

ବହି କି ଶୀତଳ ସରସ କରେ ନିଶି-ବାସର !

ସମାଧିରେ ତୋର ଆସନ ହେଲାଣିତ ଅଟଳ,

ତପସ୍ୟାର ପୂତ କରମେ ଜାତ ହେଲାଣି ବଳ ।

ଏଣୁ ଆରେ ବଳା । ଏଣିକି ତୁହି ତେଜି ଆଶ୍ରମ

ନଆସ ମୋ’ ସଙ୍ଗେ ସୁଦୂରେ ପାଇ ପାଥେୟଶ୍ରମ ।

ଅତିଥି ସତ୍କାର ଆଶ୍ରମ ଧର୍ମେ ଅତି ମହତ,

ମନରଖି ଲୋଡ଼ା ବେଳରେ ଥିବୁ ତହିଁରେ ରତ ।’’

ପ୍ରତି ପ୍ରଦୋଷରେ ଫେରନ୍ତି ତପ ସାରି ଜନକ,

ପୁତ୍ର ସଙ୍ଗେ ସୁଖେ କାଟନ୍ତି ମନେ ନଥାଇ ଦକ ।

ବିତିଗଲା କାଳ ଏସନେ ପୂତ ତପ ସାଧନେ,

ବେଳୁ ବେଳ ଅତି ପୁଲକେ ସେହି ଆଶ୍ରମ ବନେ ।

ବିମୂଢ଼ ଭାବନା ବରଜି ବାଳତପୀ ଆଶ୍ରମେ,

ଚିର ସନାତନ ସତ୍ୟର ଭାବ ବହିଲେ ମର୍ମ୍ମେ ।

ତପୋବନେ ସଦା ରହନ୍ତେ ତପେ ନିବେଶି ଚିତ୍ତ,

କିହେବ ନଜାରି ତ୍ରିଦିବେ ‘‘ଇନ୍ଦ୍ର’’ ହେଲେ ଶଂକିତ ।

ପରମ୍ପରା କ୍ରମେ ପ୍ରାପତ ନୁହେ ସରଗ ଭୋଗ,

ପୁଣ୍ୟ-ବଳ ଯା’ର ଅଧିକ, ତା’କୁ ହୁଅଇ ଯୋଗ ।

ମର୍ତ୍ତ୍ୟପୁରେ ସିଦ୍ଧି-ସାଧନା ଯେବେ କରଇ ନର,

ପରକାଳେ ସୁଖେ ବସଇ ହୋଇ ସ୍ୱର୍ଗେ ଈଶ୍ୱର ।

ସୁନାସିର ଭାଳି ମାନସେ ହେଲେ ଭୟେ ଚିନ୍ତିତ,

ବାଳତପୀ ତପେ ମରତେ, ହୋଇ ମର୍ମେ ବ୍ୟଥିତ ।

ଧନ୍ୟରେ ବିଳାସ ସମ୍ଭୋଗ, ତୋର କି ପ୍ରଲୋଭନ !

ଅମରାଧି ପତି ମାନସ ସଦା କରୁ ବନ୍ଧନ ।

ତାପସ ତପସ୍ୟା ଭଗନେ ହେଉ କେଡ଼େ ତତ୍ପର,

ଦିବାନିଶି ମୋହେ ବୁଲାଉ, ତୋ’ର କି କଉଶଳ !

ବିଭାଣ୍ଡକ-ଘୋର ସାଧନା ହେଳେ ହେଲା ଭଗନ,

ନିଶିଶେଷେ ଯଥା ଅଦୃଶ୍ୟ ହୁଏ ନିଶି-ସପନ ।

ଋଷ୍ୟଶୃଙ୍ଗ ତପ ଭଗନେ ପୋଷି ନବ ବାସନା,

ଅମର ଧାମରେ ଅମରପତି କଲେ ଭାବନା ।

କୁତୁହଳେ ପୁଣି ଚଳିଲେ ତପୋବନେ ଚଞ୍ଚଳେ,

ଅବତରି ସ୍ୱର୍ଗୁଁ ଦେଖିବେ ବୋଳି ବାଳକ ଡୋଳେ ।

ଅପାର ତୃପତି ଲଭିଲେ ଦେଖି ବାଳ-ତାପସ,

କାମନା ରହିତ କରମେ ଥିବା ସତତ ତୋଷ ।

ଜନକ ଶିକ୍ଷାରେ ଜୀବନେ କରି ତପ ସମ୍ୱଳ,

ପବିତ୍ର ଆଶ୍ରମ କୁଟୀରେ କାଟୁ ଅଛନ୍ତି କାଳ ।

ଲବେ ନଥାଏ ତ ମାନସେ ସ୍ୱର୍ଗ-ଭୋଗ-ପିପାସା,

ଅହକାଂର ନାହିଁ ହେବାକୁ ମର୍ତ୍ତ୍ୟେ ମହର୍ଷି-ଯଶା ।

ଆପଣା କର୍ତ୍ତବ୍ୟ କରମଭାବି ମୁନି ସତତ

କାନନ କୁଟୀରେ ବିଜନେ ତପେ ଥାଆନ୍ତି ରତ ।

ବୁଝି ଶଚୀପତି ବୋଇଲେ ଚାହିଁ ତପୀ-ବଦନ,

‘‘ଇଚ୍ଛା ଅନୁରୂପ ବର ହେ ମାଗିଘେନ ବହନ;

ତବ ବାଳ କାଳ ତପସ୍ୟା କେତେ ଦେଖି ସଂପ୍ରତି,

ଅପୂର୍ବ-ଆହ୍ଲାଦ-ସଲିଳେ ଆନ୍ଦୋଳିତ ମୋ ମତି ।

ରୂପ ଚମତ୍କାର, ବୟସ ତବ ଅଳ୍ପ ମାତର,

ବିଷମ ସାଧନା ଯୋଗେତ ଅଙ୍ଗହେବ ଦୁର୍ବଳ ।

ବିଭାଣ୍ଡକ-ନେତ୍ର-ସୋହାଗ-ସୁଖ-ପରଶ-ମଣି,

ଏ କୋଠର ତପେ ନିମଗ୍ନ କଲେ ପିତା, କି ମଣି ?’’

ସରଗ ରାଜନ ବଚନେ ଫେଡ଼ି ବେନି ନୟନ

ଋଷ୍ୟଶୃଙ୍ଗ ମୁନି ମାଗିଲେ ଚିତ୍ତ କରି ପ୍ରସନ୍ନ,

‘‘ଯେବେ ପ୍ରୀତ ହେଲ ଆଶ୍ରମେ ମୋରେ ହେ ପୁରନ୍ଦର,

ମୋ ବାଣିରେ ଘନ ବରଷୁଥିବେ ମହିରେ ଜଳ ।

ସ୍ଥାବର ଜଙ୍ଗମ ଅଛନ୍ତି ଯେତେ ସାରା ସଂସାରେ,

ଜୀବନ ବିହୁନେ ଜୀବନ କାହୁଁ ରଖିବେ ତିଳେ ?

ବିପ୍ରେ ହୋମ ଯଜ୍ଞ ସମ୍ଭାରେ ବରି ବସନ୍ତି ଘନ,

କାଳବେଳେ କରୁଥାଆନ୍ତି ଘନ, ବାରିବର୍ଷଣ ।

‘‘ହେଉ ତାହା’’ କହି ଫେରିଲେ ଦେବରାଜ ସଦନେ,

ଋଷ୍ୟଶୃଙ୍ଗ ଋଷି ରହିଲେ ମୋଦେ ତପ ସାଧନେ ।

ତାପସ ଆଶ୍ରମେ ତପସ୍ୟା ସିନା ମହତ କର୍ମ,

ବିଳାସ ବ୍ୟସନ ସକଳ ଅଟେ ଘୋର ବିଭ୍ରମ ।

ଜନ ହିତ ପାଇଁ ଜଗତେ ସିନା ସାଧୁ ଜନମ,

ପରହିତେ ଯେହୁ ନିବେଶେ ମନ, ଧନ୍ୟ ତା ଜନ୍ମ !

Image

 

ତୃତୀୟ ସର୍ଗ

 

ସଂସାର କଳୁଷ ନକରେ ପରଶ

ପୂର୍ବେ କେବେ ବିପ୍ର ମାନସସରେ,

ଧରମ-ବାସନା- ଶୁଭ୍ର-ଜଳେ ଫୁଟେ

ଭକ୍ତି-ଶତଦଳ ଜ୍ଞାନ ବାସରେ ।

ଶୟନେ, ସ୍ୱପନେ ଅବା ଜାଗରଣେ,

ବିଶ୍ୱ-ଜନ-ହିତ-ଜାଗର ଜଳେ,

ଲୋଭ, ମୋହ, ଦ୍ୱେଷ, କପଟ, ତାପସ,

ନାଶି ସଦା ହୃଦ-ମନ୍ଦିର-ତଳେ ।

ଜିତାତ୍ମା ବ୍ରାହ୍ମଣ ରାଗ, ଦ୍ୱେଷ, ଶୂନ୍ୟ,

ନ ବାଧଇ ତିଳେ ଉଷ୍ଣ କି ଶୀତ,

ମାନ, ଅପମାନ, ସୁଖ ଅବା ସୁଃଖ

ସକଳ ସମାନ ମଣଇ ହିତ ।

ଶାସ୍ତ୍ର ଆଲୋଡ଼ନେ, ଜ୍ଞାନ ଆହରଣେ,

ପ୍ରତ୍ୟକ୍ଷ ବିଜ୍ଞାନ ଯା’ ଅନୁଭବ,

ମିତ୍ର, ଆରିମେଳେ ଥାଇ ସେ’ ସଂସାରେ

ଉଦାସୀନ, ହିଂସା ନରଖି ଲବ ।

କେତେ ହୋମଯାଗ, ହୋଇ କି ସରାଗ

କରୁଥିଲେ ବିପ୍ରେ ଜନ-ମଙ୍ଗଳେ,

ଯଜ୍ଞ ଧୂର୍ମଯୋଗେ ସଂଘଟିତ ମେଘ

ପାଳୁଥିଲେ ଧରା ବରଷା-ଜଳେ ।

ଯଜ୍ଞ ଅନୁଷ୍ଠାନ ପାଇଁ ନୃପଗଣ

କରୁଥିଲେ ପୂର୍ବେ ବ୍ୟୟ ବହୁଳ,

ରାଜା ଆନୁକୂଲ୍ୟେ ବିପ୍ର ଉତ୍‍ଫୁଲ୍ଲେ

ତୋଷୁଥିଲେ ସ୍ୱର୍ଗେ ସୁର ସକଳ ।

ଯାଇଛି ସେ’ ଦିନ ଯେବେ ନୃପଗଣ

ତୋଷୁଥିଲେ ଦାନେ ବିପ୍ର ମାନସ,

ମଳୟ ବଲ୍ଲରୀ ଉତ୍ତୋଳା ମାଧୁରୀ,

ଭୃଙ୍ଗ ଆଶାପକ୍ଷେ ଯଥା ବିକାଶ ।

ପୀକ ମଧୁ-ତାନ ଆକର୍ଷେ ଯେସନ

ମଧୁମାସେ ମୋଦେ ଆମ୍ର ବକୁଳ,

ଅଥବା ଶରତ କୌମୁଦି କି ସତେ !

ପୁଲକିତ କରେ କୁମୁଦ-କୁଳ ।

ରାଜନୀତି ଘୋର ଜଞ୍ଜାଳରେ କରୁ-

ଥିଲେ ଦାନ-ଧର୍ମ ପଣ ସତତ,

ଖର ପ୍ରସ୍ରବଣେ ନଟଳି ଯେସନେ

ଉଭା ତୁଙ୍ଗ-ଶିର ଟେକି ପର୍ବତ ।

ନୀରସ-ହତାସ- ମରୀଚିକା ପୂର୍ବେ

ନାଶୁଥିଲେ ମନ-ମରୁ-କାନ୍ତାରେ,

ଅଭାବ-ବିଷାଦ ତେଜି ବିପ୍ରେ ମୋଦ

ହେଉଥିଲେ ନୃପ-ଲୋକ ହିତରେ ।

ସୁନୀଳ ଫେନିଳ ବିସ୍ତାରୀ ସାଗର

ସଇକତେ କିସେ ବୁଦ୍‍ବୁଦ ମରେ

ଅଥବା ନିବିଡ଼ ନିଶିଥ ତାମସ

ନାଶ ହୁଏ ଯେହ୍ନେ ଚନ୍ଦ୍ରମାକରେ ।

ତେସନେ ପରଜା ମୋଦ ବହି ମଜ୍ଜା

ନାଶୁଥାନ୍ତି ହୃଦ-ଦୁଃଖ-କଳାପ,

ନୃପ ସୁଶାସନେ, ନୃପତି-ବନ୍ଦନା-

ଗାନ-ମାପ-କାଠି, କେ କରେ ମାପ ?

ସୁଖ-ତୁଳା-ଦଣ୍ଡ, ମୋଦ-ମାପି-କାଠି

ସେକାଳେ ପରଜା ପାଆନ୍ତି ଯେତେ,

କବି ଭାବୁଥିଲେ ବଚନ-ନିକୁଞ୍ଜେ

ଦିବା-ରାତି ବସି କଳିବ କେତେ ?

କୌଣପ, କରାଳ- ତ୍ରାସ ଉପୁଜିଲେ

ତା’ ନାଶରେ ନୃପେ ଧରି ଖଡ଼ଗ,

ଫିଟାଉ ତ ଥିଲେ କାନନ ତାପସ

ତପ ସାଧନାର ପୂତ ମାରଗ ।

ଆଣୁଥିଲା ମନେ ସେକାଳେ ବହନେ

କେତେ ଧର୍ମ-ଭାବ ସୁଖ-ଦ୍ଦୀପନା,

ଉଲ୍ଲସିତ ପ୍ରାଣେ ସ୍ୱାର୍ଥକୁ ଆହୁତି

ଦେଇ କରୁଥିଲା ବିଭୁ-ଅର୍ଚ୍ଚନା ।

ଛୟାସୀ ସହସ୍ର ଯୋଜନ ଅନ୍ତର

ଅଟେ ମର୍ତ୍ତ୍ୟଲୋକୁ ଶମନ ଘର,

ଜୀବ ଯିବାପରେ ନ ମିଳେ ମାର୍ଗରେ

ତରୁଛାୟା କିବା ଶୀତଳ ଜଳ ।

କୃତ୍ତାନ୍ତ ପୁରର ଆର୍ତ୍ତ ହାହାକାର

ଶ୍ରବଣେ ହୃଦୟ ହୁଏ ବିଦାରି,

ମର୍ତ୍ତ୍ୟଲୋକ ପାପ ପୁଣ୍ୟ କରି ମାପ

ଶମନ ବିହଇ ଶାସ୍ତି ବିଚାରି ।

ପାଇକ, ନାୟକ ପ୍ରଜା କିବା ରଜା

ସକଳେ ତ ଏକ ନୀତିରେ ଥାନ୍ତି,

ମର୍ତ୍ତ୍ୟପୁର କୃତ ସ୍ୱକର୍ମ ଆଦରି

ଶମନ ସଦନେ ଫଳ ପାଆନ୍ତି ।

ଏଣୁ ନୃପଗଣ ଅନ୍ୟାୟେ ସଂକୁଳ

ନ କରନ୍ତି କେବେ ଶାସିତ ମହୀ,

ହୃଦୟ ମନ୍ଦିରେ ଧର୍ମ-ଦୀପ ଜାଳି

ବ୍ରତ ଉପବାସ ରହନ୍ତି ସହି ।

ନୃପ ଲୋମ ପାଦ ଅଙ୍ଗ ପରତାପ

ନାଶନ୍ତି ଆପଣା ବାହୁ-ବଳରେ,

ଭୀରୁ, ପଳାତକ ଆତତାୟୀ ଦକା

ପାଇ ନରହନ୍ତି ରାଜ୍ୟ କୋଳରେ ।

ଅତ୍ୟାଚାରୀ ଦଳ ଅଥବା କଙ୍କାଳ-

ବିଶିଷ୍ଟ, ପେଷିତ ମାନବ ଗଣ,

ଅପମାନ ଯୁକ୍ତ କିବା କଳୁଷିତ,

ବିପ୍ଳବୀକୁ ନ ଦେଖଇ ନୟନ ।

ଯାଗ ହୋମେ ତୋଷ ହୋଇ ସୁର-ଈଶ

କରନ୍ତି ଧରଣୀ ଶ୍ୟାମ ଶୀତଳ,

ସୁଜଳା, ସୁଫଳା ହୋଇ ଅଙ୍ଗଧରା

ଦୂରୁନେତ୍ରେ ଦିଶେ ଅତି ସୁନ୍ଦର ।

ନିର୍ଜୀବ, ନିଷ୍ପନ୍ଦ, ସୁପ୍ତ, ଅଚେତନ

ମାନବ ନ ଥାଏ ଅଙ୍ଗ ଅବନୀ,

ସୌଭାଗ୍ୟ ତାହାର ଉଦୟ ଅଚଳେ

ବିରାଜେ ବିନାଶି ଦୁଃଖ ଯାମିନୀ ।

ଆଳସ୍ୟ, ବିଳାସ, ମିଥ୍ୟା, ପାପ, ତ୍ରାସ,

ଲୋଭ, ମୋହ, କାମ ଦ୍ୱେଷ ହାରିଣୀ,

ହୋଇ ସେ ସତତ ଢାଳୁଥାଏ ଜନେ

ସ୍ୱର୍ଗ-ପୂତ ଧରମ-ମନ୍ଦାକିନୀ ।

ନୃପ ଆନୁକୂଲ୍ୟେ ଶାନ୍ତ ଚେତା ବିପ୍ରେ

ସୁର ସନ୍ତୋଷରେ ନିବେଶି ମନ,

ଭବନେ, ଭବନେ ଉଠାନ୍ତି ସତତେ

ହୋମ-ଯଜ୍ଞ ଦେବ ପୂତ ବଚନ ।

କଳୁଷ ବିନାଶ କରନ୍ତି ହରଷ

ହୋଇ ଧରି ପୁଣ୍ୟ-ଭାସ୍କର-ବଳ,

ମାୟା ବିଜଡ଼ିତ ଲୀଳାମୟ-ଲୀଳା

ବଖାଣନ୍ତି ବୁଲି ନାନା ଅଞ୍ଚଳ ।

ନୃପ ଅବହେଳା ଯୋଗେ ପାପ ଭରା

ହୁଏ ଯେବେ ସାରା ଧରଣୀ ତଳ,

ଭୂପତିକି ଶାପେ ବିନାଶି ଭୂ-ସୁରେ

ମୋଚନ କରନ୍ତି ମହୀ-ବିକଳ ।

ଧର୍ମରତ୍ନ ବେଦୀ ହେଲା ବିଦଳିତ

ଯେବେ ପାପ-ପିଶାଚୀର ପଦରେ,

ଧର୍ମ-ସଂରକ୍ଷଣ ଯୋଗେ ପର୍ଶୁରାମ

ନାଶିଲେ କ୍ଷତ୍ରିୟ ଖଡ଼ଗ-କରେ ।

ବିପ୍ର ଅଭିଶାପେ କେତେ କେତେ ନୃପ

କୁଳକ୍ଷୟ ହୋଇ ଘୋର ଲାଞ୍ଛନା

ଲଭିଥିଲେ ଯୁଗୁ ଯୁଗେ ପରା ଭରି

କଳୁଷ-ବିତ୍ତରେ ନିଜ ବାସନା ।

ନୃପ ଲୋମପାଦ ନ୍ୟାୟର ପ୍ରସାଦ

ଯୋଗେ ପରିପାଳି ପରଜାଗଣ,

ରୋଗୀ, ବୁଭୁକ୍ଷିତ, ଦୁର୍ବଳେ ବହୁତ

ବିତ୍ତ ବିତରନ୍ତି ହୋଇ ପ୍ରସନ୍ନ ।

କରି ମହୋତ୍ସବ ଗାଭି, ଧନ, ରତ୍ନ

ଦିଅନ୍ତି ବ୍ରାହ୍ମଣେ ହୃଦ ପୁଲକେ,

ବିପ୍ର ଆଶୀର୍ବାଦ ପରମ ପବିତ୍ର

ବୋଲି ବୁଝି ନିଜ ରାଇଜ ଲୋକେ

କି ରହସ୍ୟମୟ ! ସୃଷ୍ଟି-ସ୍ଥିତି ଲୟ,

ଲୀଳାମୂଭି ଏହି ନିଖିଳ ଧରା,

ମହା ମହୀୟାନ ସର୍ବ ମୂଳାଧାର

ବ୍ରହ୍ମାଣ୍ଡ ଗୋସାଇଁ ମାୟା-ପସରା ।

ସତ୍ୟ, ଶିବ ଜ୍ୟୋତି ଆଜି ଯା ପ୍ରତୀତି

କାଲି ଲିଭେ ଭୀମ-ମିଥ୍ୟା-ସ୍ତନିତେ,

ପ୍ରଶାନ୍ତ, ପ୍ରସନ୍ନ ଭାବ ଯାଇ କାହିଁ

ଅସତ୍ୟ ତାମସ ଘୋଟଇ ଚିତ୍ତେ ।

ସଜନେ ବିଜନେ ଅବା ଜାଗରଣେ

ବିରାଟ ବିକଟ ଦୃଶ୍ୟ ଗୋଚର

ହୁଏ ଯାହା ସତେ ! ମାନବ କି ମର୍ତ୍ତ୍ୟେ

କଳିପାରେ ସ୍ୱୀୟମାନ-ଦଣ୍ଡର ।

କର୍ମଫଳ ଦାତା ଜଗତ ବିଧାତା

ଧରା-ସୃଷ୍ଟି-ସ୍ଥିତି-ଲୟ-ଜନକ,

ତୋଷେ ଲୋମ ପାଦ ଦିନେ ବିପ୍ରେ ଦେଲେ

ଗାଭୀ ଏକ ବହି ମହାପୁଲକ ।

ନୃପଦତ୍ତ ଗାଭୀ ଅତି ହିତ ଭାବି

ପାଳିଲେ ଯତନେ ବିପ୍ର ପ୍ରବର,

ନିୟମିତ ଖାଦ୍ୟ- ପାନ ଦେଇ ତାକୁ,

ଅମୃତ ଉତ୍ସାହ ପାନ୍ତି ଅନ୍ତର ।

ସ୍ୱୀୟ ଜୀବନର ସନ୍ତୋଷ ନିର୍ଝର

ଢାଳି ନୃପଦତ୍ତ ଶୁକ୍ଳ ଗୋଧନେ,

ଗୋଷ୍ଠେ ତେଜି ପୁଣି ଚାହିଁ ବସିଥାନ୍ତି

ସତୃଷ୍ଣେ ପ୍ରଦୋଷେ ପ୍ରତ୍ୟାଗମନେ ।

ବାଲ୍ୟେ ଯେ ଦଳରେ ଥିଲା ତୃପତରେ

ତା’ ପାଇଁ ସେ’ ଦଳ ଅମୃତାଳୟ,

କ୍ଷଣେଗଲେ କେଣେ ଚିନ୍ତିତ ତ ମନେ-

ହୁଏ ତହିଁ ରଖି ଆପଣା ଲୟ ।

ବିପ୍ର ନବାର୍ପିତ ସେବାରେ କିଞ୍ଚିତ

ଲାଳସା ନରଖି ସେ ଗାଭୀ-ରତ୍ନ,

ସମୟ ସୁବିଧା ଅପେକ୍ଷାରେ ରହି,

ଦିନେ ପୂର୍ବଦଳେ ଗଲା ବହନ ।

ଯେ ଅଟେ ଯାହାର ସେ ସିନା ତାହାର,

ତାର ବିନେ ତାକୁ ଅନ୍ୟ ନଦିଶେ,

ବାୟସ ପାଳିତ କୋକିଳ ସ୍ୱରକି

କାକର କର୍କଶ ସ୍ୱରରେ ମିଶେ ?

ଦିଅନ୍ତି ତ ନିତି ଦାନ ଅଧିପତି

ଏକଥା ହୋଇବ କାହୁଁ ଗୋଚର,

ପର ଦିନ ଅନ୍ୟ ଗାଭୀ ସଙ୍ଗେ ଦାନ

ଦେଲେ ତାକୁ ଅନ୍ୟ ବିପ୍ରେ ନୃବର ।

ପ୍ରତୀଚି ଆରକ୍ତ ଚକ୍ରବାଳେ ରତ,

ରତ ହୋଇ ବୁଡ଼ି ଗଲେ ଭାସ୍କର,

ଘୋଟିଗଲା କ୍ରମେ ପ୍ରଶାନ୍ତ ଦିନାନ୍ତ

ଛାୟା ଆବରି ସୁନୀଳ ଅମ୍ୱର ।

ଦିବା ଅବସାନେ ଶ୍ରାନ୍ତ, ପାନ୍ଥ ଜନେ

ଚଳିଲେ ଆଳୟେ ଖର-ଚରଣେ,

ଗୋଷ୍ଠରୁ ଗୋଧନ ଫେରିଲେ ବହନ

ବିଶ୍ରମିବା ପାଇଁ ପ୍ରଶାନ୍ତ ମନେ ।

ଦେଖୁ ଦେଖୁ ରତ୍ନ ପ୍ରଦୀପ ସମାନେ

ଉଇଁଲେ ତାରକା ବିହାୟ ସରେ,

ବିହଙ୍ଗମଗଣେ କାକଳୀ ନିନାଦେ

ଫେରିଲେ ଆପଣା ନୀଡ଼ ତ୍ରୋଡ଼ରେ ।

ନ ଫେରନ୍ତେ ଗାଈ ବିପ୍ର ହେଲେ ବାଇ

‘‘କାହିଁ ଗଲା ଅବା କେନେଲା ମୋର ?’’

ବୋଲି ଗ୍ରାମୁ ଗ୍ରାମ ବୁଲିଲେ ସେ ତମ-

ଧରି ହୃଦେ ଘୋର ବନ ପ୍ରାନ୍ତର ।

କେତେ ଦିନେ ସତେ ଭ୍ରମି ବହୁ ପଥେ

ଦେଖିଲେ ପୂରୁବ ପାଳିତ ଗାଈ,

‘‘ଆହା ମୋର ଆଶା- ଉଜ୍ୱଳ ମଣିରେ ।’’

ବୋଲି ପଛେ ପଛେ ଗଲେ ଗୋଡ଼ାଇ ।

ଦାନ ପ୍ରାପ୍ତ ବିପ୍ର ହୋଇ ଆଚମ୍ୱିତ

ବୋଇଲେ ହେ ବିପ୍ର ହେଲା ବାତୁଳ,

ଲୋମପାଦ ନୃପ କରି ସଂକଳପ

ଦେଇଛନ୍ତି ଏହା ମୋର ହସ୍ତର ।

ଅକାରଣେ କିପାଁ ଆସି ଅଛ କୋପେ

ସତେକି ମୋଠାରୁ ଘେନିବ ବଳେ,

ମୁଁ ନୁହେ ଦୁର୍ବଳ ଭୀରୁ, କାପୁରୁଷ

ନ ତେଜିବି ଗାଭୀ ମୋ ବାହୁ ବଳେ ।

ଅତି ଯତନରେ ଗୋଷ୍ଠେ ତେଜି ପୁଣି

ଆଣୁଅଛି ଗୋଷ୍ଠୁ କରି ବଂଧନ,

ନବାର୍ପିତ ଗାଭୀ ପୂର୍ବ ଗୋଷ୍ଠ ଭାବି

ସେ ଗୋଷ୍ଠେ କରିବ ବୋଲି ଗମନ ।

ଅନ୍ୟାୟ ଅନୀତି ଭରି ଅଛ ମତି

ଆଉ କି ରାଜ୍ୟର ହେବ କଲ୍ୟାଣ ?

ମିଥ୍ୟାରେ ମୋ ଦ୍ୱାରେ କର ଉଗ୍ର-ଲୀଳା

ବିହିବି ସଂପ୍ରତି ଶାସ୍ତ୍ର ବିଧାନ ।’’

ଆଗନ୍ତୁକ ବିପ୍ର କହିଲେ ସରୋଷେ

‘‘ପହିଲେ ଏ ଗାଈ ମୋରେ ଅର୍ପଣ

କରିଥିଲେ ନୃପ ଆଚରି ସଂକଳ୍ପ

ଏବେ ବୋଲ କେହ୍ନେ ତବ ଗୋଧନ ?

ରାଜନୀତି କୋଳା- ହଳେ ଥାଇ ସଦା

ହୋଇଥାନ୍ତି ସେ’ତ ଧର୍ମ-କୁଶଳ,

ବୁଦ୍ଧି ପାଇଁ, ବୁଧ- କୁଳ ବନ୍ଦନୀୟ

କଳୁଷ ଧ୍ୱଂସନେ ଯା’ ପୁଣ୍ୟ-ବଳ ।

ସୁଷମ ମୂରତି ବକ୍ଷ କି ବିପୁଳ,

ପ୍ରଶାନ୍ତ କରୁଣ ନେତ୍ର ଯୁଗଳ,

ଜ୍ଞାନ ଗର୍ଭ ପ୍ରଜ୍ଞ ଅନ୍ୟାୟର ଅଜ୍ଞ

ଜ୍ଞାନ ଧର୍ମେ ଚିର ଦୁଃଖୀ ସମ୍ୱଳ ।

ଅଙ୍ଗ ଗଉରବ ପ୍ରଜାକୁଳ ଦେବ

ସେ’କି ହରି ନେଲେ ପ୍ରଦତ୍ତଧନ,

ତବ ବାଣି କର୍ଣ୍ଣେ ଶ୍ରବଣେ ମୋ’ ମନେ

ବିଚିତ୍ର ପରତ ହୁଏ ବହନ ।’’

ସାରି ବାକ୍ୟ-ଯୁଦ୍ଧ ବିପ୍ର ଦ୍ୱୟ କ୍ରୋଧେ

ଚଳିଲେ ଚଞ୍ଚଳେ ରାଜନ କତି,

ସିଂହଦ୍ୱାରେ ରହି ନୃପତି ଛାମୁକୁ

ବରଗିଲେ ବାର୍ତ୍ତା ବିଷର୍ଣ୍ଣେ ଅତି ।

ବାର୍ତ୍ତାପାଇ ବେଗେ ହକାରି ବ୍ରାହ୍ମଣ

ବୁଝିଲେ ସ୍ୱ-ପୁରେ ସକଳ କଥା,

ଆପଣା ଅଜ୍ଞାତ ଦୋଷେ ଅନ୍ୟ ବିପ୍ରେ

ଦେଇଛନ୍ତି ଦତ୍ତ ଗାଭୀ ଅଯଥା ।

ଅଙ୍ଗାକାଶ ରବି ନପାରିଲେ ଭାବି

ଘୋଟିଲା ସହସା ବିଷାଦ ଛାୟା,

ନରେଖିଲେ ଯେଣେ ଭୀମ କାନ୍ତ ବର୍ଣ୍ଣେ

ପାପ ମୂର୍ତ୍ତି ଦିଶି କଲା କି ମାୟା !

ନିଦାରୁଣ ଶୋକ ଝଞ୍ଜାବାତେ ନୃପ

ଦଳି ସୁଖ-ଲତା ହୃଦ-କାନନେ,

ବ୍ୟାକୁଳେ ବୋଇଲେ, ‘‘ବିପ୍ର ହେ ନଧର

ମୋ’ ଅଜ୍ଞାତ କର୍ମ ଅଜ୍ଞାତ ପଣେ ।

ଘେରି ଅଛି ମତେ ସଂସାର-ଜଞ୍ଜାଳ

ତିମିର କରାଳ-ଯନ୍ତ୍ରଣା-ମାୟା,

ନହୁଏ ସ୍ମରଣ, ବିପଥରେ ମନ

ରଚଇତ କଳା କୁଟିଳ ଛାୟା ।

ଗାଈହରା ବିପ୍ର ସର୍ପସମ ଗର୍ଜ୍ଜି

କହନ୍ତି, ‘‘ଜାଣକି ଦାନ ତାତ୍ପର୍ଯ୍ୟ,

ଅନ୍ୟାୟେ ଅର୍ଜିତ ଦ୍ରବ୍ୟ ଦାନ ଦେଲେ

ନଥାଇ ତହିଁରେ ସିଦ୍ଧ କାରଯ ।

ଗ୍ରାମ ପୁରୋହିତ, ବେଦ ବିକା ବିପ୍ର

କିବା ଧର୍ମ-ଛଡ଼ା ଯେବଣ ଜନ,

ବ୍ରହ୍ମଚର୍ଯ୍ୟ ବ୍ରତେ ଭ୍ରଷ୍ଟ ଯେ ନିରତେ

ସେ ଘେନିଲେ ସିନା ନିଷ୍ପ୍ରୟୋଜନ ।

ଭୟ କ୍ରୋଧ ଦାନ କଲେ ହେ ରାଜନ !

ନ ପାଇବ କିଛି ଫଳ କର୍ମରେ,

ଦତ୍ତ ପଦାର୍ଥକୁ ଆଣି ପୁଣି ହସ୍ତେ

ଦେଲେ ଆନେ, ଯିବ ନିଶ୍ଚେ ନର୍କରେ ।

ଗୋ-ଦାନ ସୁଫଳ ଅସୀମ, ଅପାର

ଶାସ୍ତ୍ରେ ଅଛି ତାହା ବିବିଧ ମତେ,

ପୋଷିଥିବା ଗାଈ ଯେ ବିପ୍ରେ ଦିଅଇ

ତା’ ପୁଣ୍ୟ କହିଲେ ହୋଇବ ପୋଥେ ।

କୃଷ୍ଣ ଗାଭୀ ଦତ୍ତ ବାଛୁରୀ ସମେତ

ଉପବାସେ ଯେବେ କରଇନର,

ସୁକୃତ ତାହାର ବଢ଼ଇ ଅପାର

ଥାନ୍ତି ଯେତେ କାଳ ବିଧୁ ଭାସ୍କର ।

ଗାଈ ଅଟେ ମାତ, ସେହିପୁଣି ମିତ,

ମହୀରେ’ ତା ଠାରୁ ବଳି କେ ନାହିଁ,

କମଳା-ସଦନ ହୁଅଇ ସେ ଠାବେ,

ଯେ ଠାବେ ପ୍ରମୋଦେ ରହଇ ଗାଈ ।

ପୋଷିଥିବା ଦଶ ଗାଈରୁ ମାନବ

ଦେବ ବ୍ରାହ୍ମଣକୁ ଏକ ସମର୍ପି,

ଶହେ ରଖିଥିଲେ ଦେବ ଦଶ ଭଲେ

ଶୁଦ୍ଧ ବିପ୍ରେ ବାଛି ସ୍ୱଚ୍ଛରେ ଅର୍ପି ।

କରିବ ସେ’ ଜନ ଯଜ୍ଞ, ହେ ରାଜନ !

ରଖିବ ଯେ’ ପାଶେ ଗାଈ ସହସ୍ର,

ଦେବ ଦାନ ଧନ ହୋଇ ସୁପ୍ରସନ୍ନ

ଯଜ୍ଞ ଅବଶେଷେ ବିପ୍ରେ ଅଜସ୍ର ।

ଧରମ ପାଳନେ ଯାଗ ସଂପାଦନେ

ସଂସାରେ ହୁଅଇ ମାନବ-ହିତ,

ଇହପର ଦୁଇ ଲୋକ ତୃପ୍ତି ପାଇଁ

ଦେବ-ଦତ୍ତ-ଗାଭୀ-ଦୁଗ୍‍ଧ ଅମୃତ ।

ଗୋ-ପାଳନ ପାଇଁ କେବେ ନ ଲାଗଇ

ବିଶେଷ ଧନ କି ଉପକରଣ,

କୋମଳ ପଲ୍ଲବ ତୃଣ ଗ୍ରାସେ ତୃପ୍ତ

ହୁଏ ପିଇଝର ସଲିଳ ପାନ ।

ମଳ ମୁତ୍ର ତାର ପବିତ୍ର ନିକର

ବିଲେପିତ ସ୍ଥଳ ଶୁଦ୍ଧ ପବିତ୍ର,

ଜମା କରି ନେଇ ଜମି ବକ୍ଷେ ଦେଲେ,

ଉଠଇ ଉର୍ବର ହୋଇ ସେ, କ୍ଷେତ୍ର ।

ଗାଈ ସୁ-ପାଳନ ପରମ କାରଣ

ବୁଝି ନୃପେ ଦାନ ଦିଅନ୍ତି ହିତେ,

ଶୁଭାଶିଷ କରି ଦକ୍ଷିଣା ସମେତ

ନିଅନ୍ତି ବ୍ରାହ୍ମଣେ ପ୍ରସନ୍ନ ଚିତ୍ତେ ।

ମୋ ଜୀବନ-ମଣି, ସର୍ବ ସୁଖ ଖଣି

ତବ ଦତ୍ତ ଗାଭୀ ପୀୟୁଷ-ଝରା,

ତାକୁ ଦେଲ ଆନେ କି ମନାସି ମନେ

କରି ମୋରେ ଦୁଃଖ ପୂର୍ଣ୍ଣ ଏ ଧରା ?

ପରାଣୁ ଅଧିକ କରି ପାଳିଥିଲି

ଖୋଜି-ଆଣି ଘରେ, ଦେଇ ଆହାର,

ତା’କୁ ନ ବିଲୋକି ବିରସ ଅନ୍ତରେ

ପିତା ମଣୁଥିଲି ନିଜ ଆହାର ।

ଆହା ! ରେ ଦଇବ କି ନକଲୁ ପୁଣି

ଛଡ଼ାଇ ମୋ’ ମନ-ନିସର୍ଗ-ସୁଖ,

ଅଙ୍ଗଦେଶ ରଜା ଅଜ୍ଞାତ ଦୋଷରେ

କରାଇଲେ ମତେ ଏତେ ବିମୁଖ ।

ଅପୁତ୍ରିକ ମୁହିଁ ନୁହେ ନରବର

ପର ପାଚକ ମୁଁ ନକରେ ଭୋଜନ,

ନୁହଇ ମଦ୍ୟପ, ମରେ ହୋମ, ଜପ

କି ହେତୁ ନେଲ ଏ ଦତ୍ତ ଗୋଧନ ?’’

ନୃପ ଲୋମପାଦ ଶୋକ ଗଦଗଦେ

ବୋଲନ୍ତି, ‘‘ଏ ମୋ’ର ନିୟତି ଦଣ୍ଡ,

ଯାର ଯୋର ପରା ସାରା ଅଙ୍ଗ-ଧରା

ଘୋଷିବ ମୁଁ ଏକ ପାଷଣ୍ଡ-ଭଣ୍ଡ ।

ତବ ପ୍ରାପ୍ତ ଗାଈ, ଆସିଲାତ ଧାଇଁ

ପୁଣି ପୂର୍ବେ ଗୋଷ୍ଠେ ମୋ’ ଅଜ୍ଞାତାରେ,

ଅନ୍ୟବିପ୍ର ଡାକି ଦେଲି ନ ତରକି

ନିଅ ଆଉ ଯେତେ ଲୋଡ଼ିବ ଘରେ ।

ଦେବି ପଛେ ପାପ ପ୍ରାୟଶ୍ଚିତ ଜାଣି

ବହୁ ଧନ ରତ୍ନ ଭଣ୍ଡାରୁ ଆଣି,

ହୋଇ ଦୟାଯୁକ୍ତ କରିବ କ୍ଷମା ହେ !

ଗୋସାଇଁ, ବିନୟେ ଯୋଡ଼ୁଛି ପାଣି ।

ବିଷାଦ ତାମସ, ଲାଜ, ଭୟ, କ୍ରୋଧ

ଯାଉ ଖରେ ତବ ମାନସୁ ମିଳି

ହିଁସା ପାପ ଦ୍ୱେଷ, ଘୋର ଆଶିବିଷ

କ୍ଷମା-ରବି କରେ ଯାଉ ନିକିଳି ।

ମୋ’ ପ୍ରତି ମମତା ରଖି ଶୁଦ୍ଧ ଚେତା

ରଖ ମନ ଅଙ୍ଗ କଲ୍ୟାଣ ପାଇଁ,

ଏ ସଂକଟ କାଳେ ବିଷମ ସ୍ଥିତିରେ

ପଡ଼ି ମୁଁ, ଜଣାଣ କରେ ଗୋସାଇଁ !

କି ଦେଇ ପୂଜିବି ତବ ପାଦେ ବିପ୍ର

ଅଟେ ଏ ସକଳ ତବ ପ୍ରସାଦ,

ଅର୍ପିବି କେବଳ ସ୍ୱଚ୍ଛ ହୃଦ-ଭକ୍ତି,

ପୂଜି ସ୍ୱ-ହସ୍ତରେ ପବିତ୍ର-ପାଦ ।

ଦଣ୍ଡନୀତି ଯେହୁ ଧରେ ହେ ବ୍ରାହ୍ମଣ

କ୍ଷମା କି ସେ ଅଚାରଣ ନକରେ,

ଜ୍ୱଳନ୍ତ କରାଳ ସ୍ତନିତ ପଛରେ

ବରଷଇ ଜଳ ପୃଥିବୀ ପରେ ।

ମୋର ଅପରାଧ ତେଜି ହୁଅ ସଧ,

ରାଇଜେ ନପଡ଼ୁ ଆତଙ୍କ ନାଦ,

ପୁତ୍ରସମ ପ୍ରଜା- କୁଳ ନ ଭୋଗନ୍ତୁ

ମୋ’ ଅଜ୍ଞାତଦୋଷେ ଘୋର ବିଷାଦ ।

ଆପେ ମୁଁ ପ୍ରସ୍ତୁତ ଅଛି ହେ ଭୂ-ଦେବ

ରାଜ୍ୟବିତ୍ତ ତେଜି ବନ ଗମନେ,

ବିଳାସ ବ୍ୟସନ ଭୋଗ ପ୍ରଲୋଭନ

ଲାଗି ଲାଳାୟିତ ନୁହେ ମୁଁ ମନେ ।

କୋଟି ନର କଣ୍ଠ ଆର୍ତ୍ତ ହା’ ହା’ କାର

ବେଦନା ଦେଖିବି କେହ୍ନେ ନୟନେ ?

‘ନୃପ ପାପ ଯୋଗେ ପ୍ରଜା କଷ୍ଟ ସିନା’

ନିନ୍ଦାବାଣୀ ଦେବ ବେଦନା ପ୍ରାଣେ ।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ, ଶୁଦ୍ର ଚାରି

ବର୍ଣ୍ଣ ଜନ ଧର୍ମ ପାଳନ ପାଇଁ,

ରାଜ୍ୟ ଅଧିକାର ଥାଏ ନୃପ-କତି

ଶାନ୍ତପରି ଦୁଷ୍ଟ ଦଳି, ଗୋସାଇଁ !

ସତ୍ୟ ଯୁଗେ ଯେବେ ପ୍ରଜାଏ ସତତେ

ପରସ୍ପର ହିତେ ବଳାଇମନ,

କାଟୁଥିଲେ କାଳ ନଥିଲା ତ ଲୋଡ଼ା

ସେ’ କାଳେ ମହୀରେ କେଉଁ ରାଜନ ।

କାଳଅନ୍ତେ ଚିତ୍ତ ବିଭ୍ରମୁ ହୋଇଲା

ଜ୍ଞାନ ଲୋକ, ପୁଣି ଘୋଟିଲା ମୋହ ।

ଲୋଭ, କାମ, ଦୁହେଁ ବିରାଜିଲେ କ୍ରମେ

ଜାତକରି ଧରା ମାନବ କୋହ ।

ଧରମ ବାସନା ହେଲା ବିଡ଼ମ୍ୱନା

ଯଜ୍ଞବେଦ ଚର୍ଚ୍ଚା ସପନ ପ୍ରତେ

ହୁଅନ୍ତେ ଲୋକରେ, ନୃପତି ସ୍ଥାପନ

କଲେ ନାରାୟଣ, ଶାସନ ହିତେ ।

ଦଣ୍ଡ ନୀତିଧରି ଶାନ୍ତି ସୁପ୍ରତିଷ୍ଠା

କଲେ ଦଣ୍ଡ-ଧାରୀ କାଳ କ୍ରମରେ,

ସ୍ୱଧର୍ମ ପାଳନ ପାଇଁ ଜନମନ

ଆକର୍ଷିଲେ ରାଜ୍ୟେ ବହୁ ମାର୍ଗରେ ।

ଅଜ୍ଞାତେ ଆଚରି କଲିସିନା ଦୋଷ

କ୍ଷମ ହେ ! ମୋ ପ୍ରତି ହୋଇ ସଦୟ,

ଯୁଗୁ ଯୁଗେ ରାଜ୍ୟ ସୁଶାସନ ପାଇଁ

ଆବଶ୍ୟକ ତବ ଆଶିଷ ଚୟ ।’’

ନୃପତି-ବଚନ- ଆଶାରେ ତ ଆଉ

ନ ଲିଭିଲା ବିପ୍ର-କ୍ରୋଧ-ଦାବାଗ୍ନି,

ଗାଭୀଚିତ୍ର ଆସି ସ୍ମୃତିରେ ପ୍ରକାଶି

ଦେଲା ଦୟା, ମାୟା ମାନୁସୁ ହାଣି—

‘‘ନବରଷୁ ଜଳ ନାକ ଆଖଣ୍ଡଳ

ଏ ଅଙ୍ଗ ରାଇଜେ ବାର ବରଷ,

ନୃପ ଅବହେଳା ଯୋଗେ ସୁ-ଶ୍ୟାମଳା

ଅଙ୍ଗଦେଶ ହେଉ ଶୁଷ୍କ-ନୀରସ

ନ ଲଭି ସଲିଳ ପଶୁପକ୍ଷୀ କୁଳ

ହୋଇବେ ପରାଣେ ବଡ଼ ବ୍ୟାକୁଳ,

ନୀରସ ଦିଶିବେ ତରୁଲତା ଅଙ୍ଗୁ

ପରିହରି ନବ ଶ୍ୟାମଦୂକୁଳ ।

ନ ହେବ ବରଷା ଭାଙ୍ଗିବ ଭରସା

ସକଳେ ହୋଇବେ ଭୟେ କାତର,

ତେବେ ସିନା ବିପ୍ର ଅବମାନନାର

ଫଳ ଫଳିଗଲା ବୋଲିବେ ନର ।

ଯେ କାଳେ ନୃପତି ସତ୍ୟ ନ୍ୟାୟେ ମତି

ରଖି କରୁଥିଲେ ରାଜ୍ୟ ଶାସନ,

କ୍ଷୁଦ୍ରସ୍ୱାର୍ଥ ରୁଦ୍ଧ ନୋହି ବିପ୍ର ବୁଧ

ପଣେ କରୁଥିଲେ ହିତ ସାଧନ, ।

ହୋଇ କର୍ମବୀର, ହୋଇ ଧର୍ମ୍ମବୀର,

ମହୋତ୍ସବେ ମାତି କଲ ତ ଦୋଷ,

ଦୋଷ ପାଇଁ ଦଣ୍ଡ ଅଟଇ ଅଖଣ୍ଡ

ଭୋଗ ନୃପ ଏବେ ବରଜି ରୋଷ ।

ରାଜାଯୋଗେ ଧର୍ମ, ରାଜାଯୋଗେ କର୍ମ

ଉତ୍ତମେ ପ୍ରତୀତ ହୁଏ ଲୋକରେ,

ନୃପତି ଅନ୍ୟାୟ ପାପେ ପ୍ରଜାଦେୟ

ହୁଅନ୍ତି ନିମ୍ମଜି ଘୋର କଷ୍ଟରେ ।

ମୋର ଅଭିଶାପ ଯୋଗେ ଆସୁ ତାପ

ଏ ଅଙ୍ଗ ଶ୍ୟାମଳ ଧରଣୀପରେ,

ଜୀବନ ପ୍ରଦାନ ଲାଗି ଯେ ଜୀବନ

ନ ମିଳିବ ଖୋଜି ଲୋଡ଼ିଲେ ଥରେ ।

ତଟିନୀ ତଡ଼ାଗ- ବକ୍ଷୁ ଉଭେଇବ

ସଲିଳ ପ୍ରଚଣ୍ଡ ମାର୍ତ୍ତଣ୍ଡକରେ,

ବିପ୍ରହୃଦ ଶୋକ ରୂପାନ୍ତରେ ଲକ୍ଷ

କ୍ରନ୍ଦନ ଘୋଟିବ ସଚାରାଚରେ ।

ଦ୍ୱାଦଶ ବରଷ ଏହି ଅଙ୍ଗଦେଶ

ନ ଲଭିବ ନଭୁ ବରଷା ଜଳ,

ଦୁର୍ଭିକ୍ଷ ନିନାଦେ ଆତଙ୍କିତ ସର୍ବେ

ହୋଇବେ ନପାଇ ପାନ-ଆହାର ।’’

ବିପ୍ର ଅଭିଶାପ ଅମାପ କୁହୁକ

ଘୋଟିଲା ସହସା ସାରା ଦେଶରେ,

କୋଟିକଣ୍ଠ କଣ୍ଠୁ ବାହାରିଲା କେହ୍ନେ

ଉଦ୍ଧରିବା ବୋଲି ପ୍ରାଣକାତରେ ।

Image

 

ଚତୁର୍ଥ ସର୍ଗ

 

ଘଟିଲା, ଘଟଇ ଭାଗ୍ୟେ ଯଥା ଅନିବାର୍ଯ୍ୟ,

ବିପ୍ର ଅଭିଶାପେ ରାଜ୍ୟେ ବିଭୀଷିକା କାର୍ଯ୍ୟ ।

ପଚାରିଲେ ଦିନେ ନୃପ, ମନ୍ତ୍ରୀ ମୁଖଚାହିଁ,

ପରଜାଙ୍କ ପରିସ୍ଥିତି କହିବାର ପାଇଁ—

‘‘ଅଭିଶପ୍ତ ଦେଶେ ଫଳ ନୋହିବ ମଧୁର,

ହେଉଥିବେ ପ୍ରଜାକୁଳ ଅଭାବେ ବିଧୁର ।

ଜାଣି ମୁଁ ଥିଲେହେଁ ପୂର୍ବୁଁ ହେ ମନ୍ତ୍ରୀରତନ,

ବୁଝିବାକୁ ପୁଣି ହୁଏ ବ୍ୟାକୁଳ ମୋ ମନ ।’’

କହନ୍ତି ସଚିବ, ‘‘ଶୁଣ ଅଙ୍ଗ-ଅଧିଶ୍ୱର,

ବିପ୍ର ଅଭିଶାପ ଫଳ ଭୁଞ୍ଜିଲେଣି ନର ।

ବରଷିଲା ନାହିଁ ଘନ ଆଉ ଏଥି ଜଳ,

ସରସୀ ତଟିନୀ ସର୍ବେ ହୋଇଲେ ନିର୍ଜ୍ଜଳ ।

ଶ୍ୟାମ ତନୁ ତେଜି ତରୁ ଦିଶିଲେ ନୀରସ,

ପଶୁ ପକ୍ଷୀକୂଳ ନୀର-ବିହୁନେ ବିରସ ।

ହେଲେ ଜନେ କ୍ଷୀଣ ରୁଗ୍ଣ କପାଳ କୁଞ୍ଚିତ,

ଅନ୍ନର ଅଭାବେ ହୋଇ ମରମେ ବ୍ୟଥିତ ।

ଜଳ ଯୋଗେ ସିନା ତରୁ ଧରୁଥାନ୍ତି ଫଳ,

ଯା’ ଖାଇ ମାନବ ଦେହ ସଦା ଧରେ ବଳ

ନ ମିଳିଲା ନୀର ଆଉ ନ ହେଲା ବରଷା,

କି ହେଲା, କି ହେବ ଭାବି ହଜିଲା ଭରସା ।

ଅନ୍ନଲାଗି କି ନହୁଏ, ଆହା ଚମତ୍କାର !

ଦିଶଇ ସହସ୍ର ଜନ ଭୀଷଣ କଙ୍କାଳ ।

ପିଣ୍ଡରେ ପରାଣ ସତେ ଅଛି କିବା ନାହିଁ,

ଲୋକଙ୍କୁ ନିରେଖି କେବା ପ୍ରତେଯିବ କାହିଁ !

ଜଠର ଜାଳାରେ ଶିଶୁ କାନ୍ଦଇ କେ ଠାବେ,

ନ ଦେଇ ଜନନୀ ଖାଦ୍ୟ ଥାଏ କିବା ଭାବେ ।

ଜନନୀ ଜୀବନ ସୁଖ ଦାତା ଶିଶୁ ସିନା,

ଜନନୀର ସୁଖ ହୁଏ କାହୁଁ ତାର ବିନା ?

କିନ୍ତୁ ସେ ନିଷ୍ଠୁର କାଳେ ଯାଏ ତା ପାସୋରି,

ନିଜେ ଭକ୍ଷେ ନିଜ ସନ୍ତାନକୁ ଆଡ଼କରି ।

ଯହିଁ ଗଲେ ତହିଁ ଦିଶେ ମୃତ୍ୟୁ-ଅଟହାସ,

ଅଶ୍ରୁର କି କ୍ରୂର-ଲୀଳା ଚୌଦିଗେ ପ୍ରକାଶ ।

ସଦ୍ୟଶିଶୁ-ହରା ମାତା ବସି କେଉଁସ୍ଥଳେ,

ମଉନେ କି ଚିନ୍ତେ ନୀର ନାହିଁ ନୟନରେ ।

ବସିକାହିଁ ଶୋକାତୁର ଜନନୀ ବାହୁନି

କୁମର ଅତୀତ ଗୁଣ ହେଉଅଛି ଗୁଣି—

ଆସିବକି ସତେ ! ତାର ପୁତ୍ର ପଥଭୁଲି

ମାତାବୋଲି ପାଶେ ବସି ଦରାଣ୍ଡିବ ଧୂଳି ।

ସଦ୍ୟ ଯେ, ବିଧବା ନବ ଷୋଡ଼ଶୀ ତରୁଣୀ,

କାନ୍ଦେ ଉଚ୍ଚେ ଛେଚି ଖଡ଼ୁ ସ୍ୱାମୀ ଗୁଣ ଗୁଣୀ—

ଅଳପ ଦିନେ ତା ପିତା କରିଥିଲେ ବିଭା,

ଅକାଳେ ଭରତା-ତନୁ ଖାଏ ସୁଖେ ଶିବା ।

ଶିରର ସିନ୍ଦୁର ବିନ୍ଦୁ, ନୟନ-କଜ୍ଜ୍ୱଳ,

ଲିଭିନାହିଁ ଯେ ନାରୀର ବଦନ-ବିମଳ ।

‘‘ଆହା ଗଲି ପ୍ରାଣେଶ୍ୱର’’ ବୋଲି ଚିତ୍କାରରେ,

ବିଷମ ବିରହେ ପ୍ରାଣତେଜେ କି କାତରେ !

କ୍ଷୁଧା ପିପାସାରେ ତନୁ ହୋଇ ଜର୍ଜ୍ଜରିତ,

ଶୀର୍ଣ୍ଣଭଜି ଶେଷେ ତାହା ଗୃଧ୍ର କୋଳାଗ୍ରତ ।

‘‘ହା ଅନ୍ନ ହା ଅନ୍ନ’’ ବୋଲି କେ ବୃଦ୍ଧା ବିକଳେ,

ଜଠର ଜାଳାରେ ଜଳି ଗଡ଼ଇ ଭୂତଳେ ।

ଭରତା, ପିଅର, ଭାଇ ତେଜି ତାକୁ ଆଗେ

ଅନ୍ନ ହୀନେ ଯାଇଛନ୍ତି ଶ୍ମଶାନେ ବିରାଗେ ।

ଅନ୍ଧର ଲଉଡ଼ି ତାର ଗଳା ରତ୍ନ-ହାରା,

ନୟନ ତାରକା ସତେ ସର୍ବସୁଖ-କାରା ।

ସୁକୁମାର ସ୍ୱୀୟସୁତ ନାହିଁତ ତା’ ପାଶେ,

ଅନଶନ ନେଇଅଛି ବଳେଭିଡ଼ି ଫାଶେ ।

ଅଣ୍ଡାଳି ହୁଅଇ ବୃଦ୍ଧା ପଥ-ଯଷ୍ଟି ଲୋଡ଼ି,

ଜଠର ଜାଳାରେ ବେଳେ ବେଳେ ହୋଇ କୋଡ଼ି ।

ରାଜ୍ୟର ବିଳାସ-ସୁଖ ଗଲା ହେ ! ପାଶୋରି,

ନବୀନ-ତରୁଣୀ-ଶୋଭା-ତରଙ୍ଗ ମାଧୁରୀ ।

ଦୁଃଖ, ଶୋକ, ଭୁଲ, ଅଇଶ୍ୱର୍ଯ୍ୟ ଯଉବନ

ଶୋଭା ଆଉ ଏବେ କାର ନଫୁଟେ ବଦନ ।

ହସ ଖେଳ ଗୀତ ଗାନ ଗଲାଣି ଉଭେଇ,

ଆକୁଳିତ ସର୍ବେ ଏବେ ଅନ୍ନଜଳ ନେଇ ।

ପାଗଳ ପରାୟେ ସର୍ବେ ଅନ୍ନ ଝୁରି ଝୁରି,

ଭାଗ୍ୟେ ଥିଲେ ଭାବନ୍ତି ଉଦରଯିବ ପୂରି ।

ବହୁକାଳ ନ ପାଇ ଭକ୍ଷଣେ ଲୋକେ ଅନ୍ନ,

ମଳିନ ହେଲାଣି କଳା କାଠ ଭଳି ବର୍ଣ୍ଣ ।

ଲଳନା-ଚିକୁର ନେତ୍ର ଶିରି ଦୀପ୍ତ ଛଟା,

ଗଲା କାହିଁ ଶୁଖି, ତନୁ ହୁଏ ହଟହଟା ।

ଅରୁଣ-ଅଧର ରମ୍ୟ ହାସ ରମଣୀର

ଗଲା କେଣେ, ହସେ ଏବେ କଙ୍କାର ନିକର ।

କେ କାନ୍ଦେ ବିକଳେ ଅସହାୟ ଶିଶୁସମ,

ଉଦର ଚିନ୍ତାରେ ଆଣି ଅମୃତର ଭ୍ରମ ।

କେ ଶୋକ ସମ୍ୱରି ତେଜେ ଥୟରେ ପରାଣ,

କେହୁ ବା ପକାଏ ପଛେ ସର୍ବ ଅପମାନ ।

ଧିକ ଏ ଉଦର ଜ୍ୱାଳା କି ବର୍ଣ୍ଣିବି ଆଗେ,

ଚିନ୍ତିଲେ ହୃଦୟ ତରେ କି କହିବି ବାଗେ ?

ନ ଆସଇ ଅଧିକ ବର୍ଣ୍ଣନେ ମୋ କଥା,

କ୍ଷୁଧା-ପିପାସାରେ ଗଡ଼େ ଯହିଁ ଲକ୍ଷ ମଥା ।

ନ କଲେ ସଦୟେ ଛାମୁ ! ସଦ୍ୟ ପ୍ରତିକାର,

ଏ ବିଶାଳ ଅଙ୍ଗରାଜ୍ୟ ହେବ ଛାରଖାର ।

ପୂଜା ଆରାଧନା ମଣ୍ଡନର ଅଧିକାର,

ବରଜି ପରଜାକୁଳ ହୋନ୍ତି ହାହାକାର ।’’

ସଚିବ ବଚନେ ଶ୍ରଦ୍ଧା ବରଜି ରାଜନ

ବିଷମ ସନ୍ତାପେ ହେଲେ ଆକୁଳିତ ମନ—

‘‘ଦୁର୍ବହ ଏ ଦୁର୍ଭିକ୍ଷ ଯେ, କି କହିବି ଆଉ,

ମରନ୍ତି ମୋ ପ୍ରଜା ନ ସହିଣ କ୍ଷୁଧା-ଦାଉ ।

କାହାକୁ ଧରି ହେ ! ଆମ୍ଭେ କରିବା ରାଜତ୍ୱ,

ପ୍ରଜାନାଶେ ନୃପତିର ସରଇ ମହତ୍ୱ ।

ପରଜା ପାଳନେ କାହୁଁ ନିବେଶିବି ଲୟ ?

ଅକାଳେ ହୋଇବେ ଯେବେ ସର୍ବେ ରାଜ୍ୟେ କ୍ଷୟ ।

ସୁନ୍ଦର ଏ ମୋର ରାଜ୍ୟ ହେଲା ନାରଖାର,

ବିପ୍ର ଅଭିଶାପେ ନ ପଡ଼ିଲା ବର୍ଷାଧାର ।

ଧିକ ରାଜକାର୍ଯ୍ୟ ଧିକ କରମ-କଳାପ,

ଯା’ ବିଳାସ ବାସନାରେ ଅରଜିଲି ତାପ ।

ପରଜା ବିଳାସ ହେଲା ସ୍ୱପ୍ନ ରାଜ୍ୟ ଛବି,

ନିରେଖି ଯା ମୁଁ ରହିଛି ହୃଦ କରି ପବି ।

କେହୁ ଆସି କହିଦେବ ତାର ପ୍ରତିକାର,

ଯା’ ଯୋଗେ ଅସଂଖ୍ୟ ପ୍ରଜା ଲଭିବେ ନିସ୍ତାର ।’’

ଏତେ ଭାବି ନରପତି ବିଷର୍ଣ୍ଣ ବଦନେ,

କି ବୁଦ୍ଧି କରିବି ବୋଲି ବିଳପିଲେ ମନେ ।

ଆହାର ବିହାର ସର୍ବ ଅରୁଚି ଲାଗିଲା,

ଦୁଗ୍‍ଧଫେନ ନିଭ ତଳ୍ପେ ନିଦ୍ରା ନ ଆସିଲା ।

ମନେ ମନେ ଚିନ୍ତି ତନୁ ଦେଲା କୃଶତମ,

ଅଶିତ ପକ୍ଷରେ ଶଶି-କଳା-ହ୍ରାସ ସମ ।

ସୁଷମ ତନୁରେ ହେଲା କଙ୍କାଳଟି ସାର,

କୁଞ୍ଚିତ କପୋଳେ ପୁଣି ବିଭତ୍ସ ଆଧାର ।

ଅନାବୃଷ୍ଟି ଦେଶେ ରାଜା ଦୁର୍ଭିକ୍ଷ ପୀଡ଼ିତ,

ହେଲା ଭଳି ଅନ୍ୟ ଜନେ ହୋଇଲା ପ୍ରତୀତ ।

ଚିତାଠାରୁ ଗରିୟସୀ ଅଟେ ଚିନ୍ତା ସିନା,

ସଂସାରେ ସଜୀବ ଦହେ କିଏ ତାହା ବିନା ?

ଧରମ-ପଥ ପଥିକ ପରଜା ବତ୍ସଳ,

ଦୟା, କ୍ଷମା, ସତ୍ୟ, ନ୍ୟାୟ ଯାହାରେ ପ୍ରବଳ ।

ସେ ନୃପ ହୁଅନ୍ତେ କ୍ଷୀଣ ପାଇ ଗୁରୁ ଦୁଃଖ,

ଆସିଲେ ନାରଦ ମୁନି ମର୍ତ୍ତ୍ୟେ ବହି ସୁଖ ।

ବିଶ୍ୱ-ସୃକ-ନନ୍ଦନ ସେ ଜିତେନ୍ଦ୍ରିୟ ସାର,

ବ୍ରହ୍ମର୍ଷି ପଣରେ ଖ୍ୟାତ ଏ ସାରା ସଂସାର ।

ମନ-ଦଣ୍ଡେ ଗମନ୍ତି ଭାବନା କଲେ ଯହିଁ,

ବିପର୍ଣ୍ଣ ଧାର୍ମିକ ଜନେ ଉଦ୍ଧାରିବା ପାଇଁ ।

ଅଙ୍ଗଦେଶ ଅଭାବକୁ ବିଲୋକି ତାପସ,

ନୃପ ଚିନ୍ତା ନାଶେ ଗଲେ ହୋଇ ସୁ ହରଷ ।

ହସ୍ତେ ଡୋର କମୁଣ୍ଡଳୀ ରୁଦ୍ରାକ୍ଷର ମାଳ,

ଭଷ୍ମ ବିଲେପିତ ଅଙ୍ଗେ ଶିରେ ଜଟା ଭାର ।

ମୁଖେ ସ୍ଫୁରେ କୃଷ୍ଣ-ନାମ ଜଗତ-ପାବନ,

ସମକ୍ଷେ ନିରେଖି ଉଭା ହୋଇଲେ ରାଜନ ।

ବିନୟେ ପ୍ରଣମୀ ମୁନି ଅଗ୍ରେ ଲୋମପାଦ,

ବସାଇଲେ ଆସନରେ ଧୋଇ ଦେଇ ପାଦ ।

Image

 

Unknown

ପଞ୍ଚମ ସର୍ଗ

 

ମୁନି ମହାମତି, ନୃପତି ମିନତି

ଯୋଗେ ହୋଇ ସୁପ୍ରସନ୍ନ,

ବସିଲେ ଆସନେ, ମୁଖ-ଦୁଃଖେ ଯାର

ତିଳେ ନଟଳଇ ମନ ।

‘‘କର୍ମ ଅନୁଷ୍ଠାନ ଦ୍ୱାରା ହେ ରାଜନ

ଶୁଦ୍ଧ ଚିତ୍ତ ଲଭେ ଜନ

କର୍ମ ପରିହରି ପରିଶେଷେ ପାଏ

ବାଞ୍ଚିତ ମୋକ୍ଷ-ରତନ ।’’

ପୁଛିଲେ ନାରଦ ବହି ମହା ମୋଦ

ନୃପ କୁଶଳ ପ୍ରସଙ୍ଗ,

‘‘ଅରାତି ଦୁର୍ଦ୍ଧଷ ଶକତିରେ ହେଉ

ନାହିଁ କିହେ ଧର୍ମ ଭଙ୍ଗ ?

ଧର୍ମେ ସଦା ମତି ଧର୍ମେ ସଦା ଗତି,

ପାଞ୍ଚିଛ ସବୁ ସମୟେ,

ଏଣୁ ହେ ନୃପତି ! ଦୁର୍ଗତି ସଂହତି

ନ ଆସେ ତବ ହୃଦୟେ ।’’

ନାରଦ ଅଗ୍ରତେ ବଖାଣିଲେ ନୃପ

ବିଷର୍ଣ୍ଣ ଦୁଃଖ-କାହାଣୀ,

ଯା’ ଶୁଣିଲେ ଅବା ଭାବିଲେ ମାନସେ

ହୃଦୟ ହୁଅଇ ହାଣି ।

‘‘ଲିଭିଲା ମୋ ସୁଖ- ପ୍ରଦୀପ, ପରାଣ–

ମନ୍ଦିରେ ପ୍ରକାଶି ବିଷ,

ବିଷାଦ ହତାଶ- ଅମା-ଅନ୍ଧକାରେ

ଆଉ ମୁଁ ପାଇବି କିସ ?

ନ ଭୁଲେ ମାନସ, ହେ ବିଜ୍ଞ ତାପସ !

ମୋ ଦେଶ ପୂର୍ବ ମାଧୁରୀ, ।

କି ମଧୁର ଆହା ! କି ଉଦାର ସ୍ମୃତି,

ହୃଦୟ ନିଏ କତୁରି ।

କର୍ମ ଅବକାଶେ ଯାଇ ମୁଁ ପ୍ରଦୋଷେ

ପ୍ରଭାତେ ତଟିନୀ ତଟେ,

ବିହରିଲା ବେଳେ ସରସ ଜୀବନେ

ନବୀନ ଶୋଭା ପ୍ରକଟେ ।

ପୁନିଅଁ ଚାନ୍ଦର ମଧୁ ଆକର୍ଷଣେ

ପୁଲକେ ଫୁଲେ ସାଗର,

ନଦୀ-ନିର-ବେଣୀ ସଙ୍ଗତେ ଉଜାଣି

ବହେ ବଳି ମନ ମୋର ।

ବିଚିତ୍ର ରହସ୍ୟ ରଚି ପୁଷ୍ପ ପାଶେ

କୂଳ ଉପବନେ ଅଳି,

ମଧୁର ମୋହନ, ପ୍ରୀତି ଫାଳ ଦିଏ

ନୟନ ପଲକେ ଚଳି ।

ଆସନ୍ତି ତରଙ୍ଗ ଖରେ କରି ରଙ୍ଗ

କୂଳ ଲଙ୍ଘନ୍ତି କିଞ୍ଚିତେ,

ଚଞ୍ଚଳ ଚିତ୍ତରେ ହିତାହିତ ଭାବ

ନଥିବା କହି ଇଙ୍ଗିତେ ।

ବରଷଇ ଘନ କରି କି ଆଛନ୍ନ

ଘନ-ରସେ ସାରା ଧରା,

ସୁଜଳା ସୁଫଳା ଧରଣୀ ସତତେ

ପକାଏ ଶୋଭା ପସରା ।

ନୀର ଯୋଗେ ସିନା ତଟିନୀ ସରସୀ

ଶୋଭାରେ ଭରଇ ଗାତ୍ର,

ସଲିଳ ବିହୁନେ ସକଳ ନୀରସ

ଛବି ବଶେ ଭୀମ କାନ୍ତ ।

ବିପ୍ରଶାପ ବଳେ ନ ବର୍ଷିଲା ତିଳେ

ମେଘ ତ ବାର ବରଷ,

ଦୁର୍ଭିକ୍ଷ ଦାଉରେ ହା’ ହା’ କାର ସର୍ବେ

ଏବେ ଏହି ଦେଶ-ଦଶ ।

କଙ୍କାଳ ବିଶିଷ୍ଟ ପରଜାର ରୂପ

ଚାହିଁ କି ପାରିବି ରହି ?

ହା ଅନ୍ନ, ହା ଅନ୍ନ ! ଡାକେ ନିରତେ ହେ !

ହୃଦୟ ହେଲାଣି ଦହି ।

ଚୌଦିଗୁ ଅଶୁଭ ସଙ୍କେତ ତ ଆସି

ବୁକୁ କରେ ଦାଉ-ଦାଉ,

ମଧ୍ୟାହ୍ନେ ବୋବାନ୍ତି ଶୃଗାଳ ସକଳ

ନିଶା ଅର୍ଦ୍ଧେ ରାବେକାଉ ।

ଉଡ଼ୁଛନ୍ତି ସଦା ଗ୍ରାମ, ବିଲ, ପଦା

ଶକୁନିଏ ମାଳ ମାଳ,

ବେଳେ ବେଳେ ବସି ଧରା ପରେ କିବା

ଲୋଡ଼ି ଆଣୁଛନ୍ତି କାଳ ।

ଉଲ୍ଲୁକ ସଂହତି ଭୟ ତେଜି ମତି

ରାବୁଛନ୍ତି କୋଳାହଳେ,

ଦିନନାଥ-କର ଜାଳାରେ ଆତୁର

ନ ହୁଅନ୍ତି କାହାବଳେ ।

କି କରିଛି ବିଧି, କରିବି କି ବୁଦ୍ଧି

ଭୁଲିଛିତ ପ୍ରତିକାର,

ପ୍ରଜା ନିର୍ଯ୍ୟାତନେ ବହେ ମୋ ନୟନେ

ପୂର୍ଣ୍ଣ ହୋଇ ଅଶ୍ରୁଧାର ।

ବୁଲନ୍ତି ଚୌଦିଗେ ପରାଣ ବିକଳେ

ପ୍ରାଣୀ ପୋଷି ଖାଦ୍ୟ ଆଶ,

ଗଲେ କିନ୍ତୁ ଯେଣେ ନେତ୍ରେ ଚାହିଁ ହୋନ୍ତି

ନୀରସ ଧରା ହତାଶ ।

କେତେ ସେ ସରସୀ ହେ ବ୍ରହ୍ମ ମହର୍ଷି !

ସରସେ ନୟନ ହରା

ହୋଇଥିଲେ, ଏବେ ଲୁଚାଇ ତା ସର୍ବେ

ଧରିଛନ୍ତି ଶୁଷ୍କ ଧରା ।

ଥିଲା ଯେତେବେଳେ, ସୁନୀଳ ସଲିଳେ

କୁମୁଦ, କମଳ ଖେଳ,

ନାଚୁଥିଲେ ଜାଣି ମୀନ କି ପ୍ରମୋଦେ

ଉଷା, ସାୟଂକାଳ ବେଳ ।

ନୀଳନୀର ବକ୍ଷେ ପଳାନ୍ତେ ପ୍ରତ୍ୟକ୍ଷେ

ସେ ମୀନେ ରଜତ ଗାର,

ପ୍ରତେ ଦେଉଥିଲା ସତେ କି ! ତା ନୀଳ

ନଭାଙ୍ଗନା ଅଳଙ୍କାର ।

ବକ ପଂକ୍ତି ଉଡ଼ି ଆସନ୍ତି କି ଲୋଭେ

ସରସୀ ମୀନ ଭକ୍ଷଣେ,

ବିରାଜି, ବିରାଜ- ମାନକୂଳେ ହେଲେ

ଶୋଭା ବଢ଼େ ତତ୍‍କ୍ଷଣେ ।

ବାଟର ବାଟୋଇ ସ୍ୱର ଲହରୀରେ

ସମୀର ହିଲ୍ଲୋଳ ମିଶି,

ସରସୀ-ତରଙ୍ଗ- ଦୋଳାରେ ଚାଲଇ

ମଧୁରତା ପରକାଶି ।

ମଧୁ-ମନୋହର- ଶୋଭା-କାରାଗାର,

ପ୍ରକୃତି-ସୁଖ-ସମ୍ଭାର,

ଦ୍ୱାଦଶ ବରଷ ନ ବର୍ଷି ତାପସ !

ହେଲା ଏବେ ନାରଖାର ।

ପ୍ରଜା ସୁଖେ ସୁଖୀ ପ୍ରଜା ଦୁଃଖେ ଦୁଃଖୀ

ସିନା ମହୀପାଳ ଗଣ,

ମହୀର ଏ ଦଶା ଦେଖି କି ଭରଷା

କରିବି ଏବେ ଜୀବନ ?’’

ଯୋଗବଳେ ସବୁ ଜାଣନ୍ତି ନାରଦ

ସିଦ୍ଧ ତପୀ ମହାଜନ,

ନୃପତି ବ୍ୟାକୁଳ- ଅନ୍ତରେ ଢାଳିଲେ

ସାନ୍ତ୍ୱନା ଶୀତଳ-ବନ—

ବୋଇଲେ, ‘‘ନରେଶ ନ ହୁଅ ହତାଶ

ଦୁଃଖ ବୋଲି ମନେ ଭାଳି,

ନ ଆସେ କି ଦିନ ଉଜ୍ୱଳ ସୁଷମା

ଶେଷହେଲେ ନିଶା-କାଳୀ ?

ଶୁଭ୍ର ବିଧୁ ଅଙ୍କ ଧରେ ତ କଳଙ୍କ

ଫୁଲର ଅଛି କଣ୍ଟକ,

ନୟନ ରଞ୍ଜିତ ସୌଦାମିନୀ ପଛେ

ଥାଏ ସ୍ତନିତ ଆତଙ୍କ ।

ଦୁଃଖ-ଦୁର୍ଭିକ୍ଷର ଶେଷେ ବିରାଜିବ

ସୁ ବିମଳ ସୁଖ ରବି,

ବିପ୍ର ଅଭିଶାପ ହେବ ଲୋପ, ମେଘ

ବରଷିବେ ବାରି ଦ୍ରବି ।

ବିଭାଣ୍ଡକ-ସୁତ ଋଷ୍ୟଶୃଙ୍ଗ ଚିତ୍ତ

ଚଞ୍ଚଳେ କର ପ୍ରସନ୍ନ,

ନର୍ମଦା ତଟିନୀ ତଟ ବିପିନେ ଯେ

ବାଲ୍ୟକାଳୁ ତପେ ମଗ୍ନ ।

ଅମରାଧି ପତି ହୋଇ ଅତି ତୃପ୍ତି

ଯାଚି ଦେଇଥିଲେ ବର,

‘ବରଷିବ ଘନ ତୋ’ ବୋଲେ ବହନ

ତିନ୍ତାଇ ଧରଣୀ ପର ।’

ଆଣ ସେ ତାପସ ଉପାୟେ, ନରେଶ,

ସେ ଆସିଲେ ହେବ ବର୍ଷା,

ନିରାଶ ଜଡ଼ିତ ଚିତ୍ତ ରାଜ୍ୟେ ତବ

ଖେଳିବ ନବ ଭରଷା ।’’

କହି ଏହା ଯତି ନାରଦ ଝଟତି

ବିଦାୟ ନେଲେ ହରଷେ,

ଋଷି ଋଷ୍ୟଶୃଙ୍ଗ ଆଗମ ଆଶାରେ

ଭାବିଲେ ଭୂପ ବିମର୍ଷେ ।

ରାଇ ମନ୍ତ୍ରୀ ପାଶ କହିଲେ ନରେଶ,

‘‘ଘୋଷଣା କର ସଂପ୍ରତି,

ନର୍ମଦା ତଟିନୀ ତଟେ ତପେ’ଛନ୍ତି

ଋଷ୍ୟଶୃଙ୍ଗ ମହାମତି ।

ବାଳ କାଳୁ ବର୍ଜି ବିଷୟ ବାସନା

ସମାଧିରେ ରଖି ଲୟ,

କରୁଛନ୍ତି ସଦା ହୋଇ କି ଶରଧା

ବିଭୁଙ୍କ କରମ ଚୟ ।

ତାହାଙ୍କୁ ଯେ’ ଜନ ଉପାୟେ ବହନ

ଆଣିବ ଏ ଅଙ୍ଗ ଦେଶେ,

ପାଇବ ସେ ଧନ ସମ୍ପଦ ରତନ

ରାଜ କୋଷରୁ ବିଶେଷେ ।

ସେହି ଋଷ୍ୟଶୃଙ୍ଗ ଆସିଲେ ଏ ଅଙ୍ଗ

ରାଇଜେ ହେବ ବରଷା,

ନୀରସତା ତେଜି ନବରସ ହେଜି

ଉଠିବ ଏ ଶୁଷ୍କ ରସା ।

ଦୁର୍ଭିକ୍ଷ ନାଶନ, ଧନ ଆହରଣ

ଉଦ୍ଦେଶ୍ୟେ କରି କୌଶଳ,

କେ ଅଛି ଆଣୁ ସେ, ଲୋଡ଼ିବ ଯା ଦେବି

କରି ତାରେ ଆଦ୍ୟ ବଳ ।’’

ନୃପତି ଆଦେଶେ ସଚୀବ ଉଲ୍ଲାସେ

ଭାଟେ ରାଇ କଲେ ଜଣା,

‘‘ଆଜନମ ତପୀ ଋଷ୍ୟଶୃଙ୍ଗ କଳ୍ପି

କେ ଆଣୁ କର ଘୋଷଣା ।

ବିନ୍ଧ୍ୟ ପରବତ କୋଳୁ ଯେ ନିର୍ଗତ

ନର୍ମଦା ସ୍ୱଚ୍ଛ ସଲିଳା,

ତା କୂଳ ବିପିନେ ବଡ଼ ମୋଦ ମନେ

କରନ୍ତି ସେ ତପ-ଲୀଳା ।

ସେ ଶୁଦ୍ଧ ତାପସ ଆସିଲେ ଏ ଦେଶେ

ବରଷିବେ ମେଘ ମାଳ,

ଦୁର୍ଭିକ୍ଷ ନାଶନ ହେବ ହେ ! ବହନ

ତୁଟିଯିବ ହାହାକାର ।’’

ରାଜନ ନିର୍ଦ୍ଦେଶେ ସଚିବ ଅନୁଜ୍ଞା

ଧରି ଭାଟ ଧାତିକାରେ,

ଗ୍ରାମୁ ଗ୍ରାମେ ବୁଲି କଲା ସେ ଘୋଷଣା

ରାଜା-ଆଜ୍ଞା ପରକାରେ ।

ଘୋଟକ ପୃଷ୍ଠରେ ବସି ହରଷରେ

ଉଡ଼ାଇ ଉଚ୍ଚେ ଚିରାଳ,

ନୃପତି ଘୋଷଣା କରେ ଉଚ୍ଚେ ଜଣା

ଭରମି ଗ୍ରାମ କାନ୍ତାର ।

ଭାଟ ବାଣି ଶୁଣି ହେଲେ ଜନେ ଗୁଣି—

ଋଷ୍ୟଶୃଙ୍ଗ ଆଗମନ,

କେ ଯାଇ ବହନ ଆଣି ତପୋଧନ

ଉଦ୍ଧରିବ ରାଜ୍ୟ ଜନ ?

ବହୁ ଦୂର ପଥ ଦୁର୍ଗମ ଅଟେତ

ନଦୀ, ଗିରି, ବନ ପାରେ,

କେ ଜାଣେ କେ କେହ୍ନେ ଯିବ ଏ ସମୟେ

ଆଣିବାକୁ ତପୀ ବାରେ !

ବୁଲିଲା ସେ ଭାଟ ଗ୍ରାମ ବିଲ ପାଟ

ନଗରରେ କେତେ କାଳ,

ନ ହେଲା ସାହସ କାହାର ବା ସତେ

ହେବାକୁ ତ ଆଗୁସାର ।

କାମାନ୍ଧ-କାମନା- ତୋଷେ ଯେ ନବୀନା

କାମ-ଚିନ୍ତା-ସିନ୍ଧୁ-ଇନ୍ଦୁ,

କାମୁକ ନୀରସ- ହୃଦୟ-କେଦାର

ଢାଳଇ ପୀରତି-ବିନ୍ଦୁ;

ଯୁବା-ଜନ-ମନ- ମୀନ ଆକର୍ଷଣେ

କି ମନୋହର ବଡ଼ଶୀ,

ଯୁଗ ଯୁଗ ଧରି ଅଟେ ବାରନାରୀ

ଯହିଁ ରହେ ମନ ରସି ।

ହୋଇ ମନୋରମା କପଟେ ପ୍ରବୀଣା

ହରୁଥିଲେ ଜନ-ଚିତ୍ତ,

କି ହେବ ଯେ କାଳେ ପରଜା ସକଳ

ହାରିବେ ପରାଣ-ବିତ୍ତ ।

ଅନାବୃଷ୍ଟି ଦେଶେ ଦୁର୍ଭିକ୍ଷ ପ୍ରବେଶେ

ପ୍ରଜା ଅକାଳ ମରଣ,

ନିରେଖି ଯନ୍ତ୍ରଣା ଭୋଗୁଥିଲେ ସର୍ବ

ବିଷାଦେ ଗଣିକା ଗଣ ।

ତେଜି ଅଙ୍ଗ ଦେଶ ହେବେ କାହା ବଶ

ଭାଳୁଥିଲେ ବସି ମନେ,

ସ୍ୱକୀୟ କୁଟୀରେ ସଂତପ୍ତ ଚିତ୍ତରେ

ମରଣର ନିର୍ଦ୍ଧାରଣେ ।

ଡାକିଲା ତ ଭାଟ ହୋଇଣ ଉଚ୍ଚାଟ,

‘‘ଆସ କେ ଆଣିବ ତପୀ—

ସିଦ୍ଧ ଋଷ୍ୟଶୃଙ୍ଗ- ତପ କରି ଭଙ୍ଗ—

କି ପ୍ରେମ ମନ୍ତର ଜପି ?’’

ବାରନାରୀ ସାର ଜରତା ଚତୁର–

ପଣରେ ଅଳପ ହସି

ବୋଇଲା, ‘‘ହେ, ଭାଟ କି ପୁଣି ପ୍ରକଟ

ସମ୍ମୁଖେ ମୋ ଏଥେ ବସି ?’’

ପ୍ରକାଶିଲା ଭାଟ ନ ହୋଇ ବିରକ୍ତ

ବିଶେଷି ନୃପ ଆଦେଶ;

‘‘ଋଷ୍ୟ ଶୃଙ୍ଗ ଋଷି ଆଣିବି ମୁଁ ରସି

ନେଲି ତ ଏବେ ସନ୍ଦେଶ ।

କାଲି ପରଭାତ ଅରୁଣ ଉଦୟ

ପୂରୁବୁ ହୋଇ ମୁଁ ସଜ,

ନୃପତି ସନ୍ନିଧ୍ୟେ ପହଞ୍ଚିବି ସଧେ

କରିବା ପାଇଁ କାରଯ ।’’

ମହା ମୋଦ ମନେ ଫେରିଲା ତକ୍ଷଣେ

ଶୁଣି ଭାଟ ନୃପ ପାଶ,

ଋଷ୍ୟଶୃଙ୍ଗ ଋଷି ଆଗମେ ଜରତା

ଯିବ ବୋଲି ଦେଲା ଭାଷ ।

ନିଶିରେ ଜରତା ଧରି ମନେ ଚିନ୍ତା,

ଡାକି ପାଶେ ବାରନାରୀ

ଋଷି ଆଗମନ ଦୁର୍ଭିକ୍ଷ ନାଶନ

ବସିଲା ଗୋପନେ ଭାଳି ।

କେ ବୋଲେ, ‘‘ମୋ ବାହୁ ଦଣ୍ଡ ପୁଣ୍ଡରିକ

ଆଭା ଜିଣି ସତେ ଦିଶେ,

ତାପସ ଗ୍ରୀବାରେ ବେଢ଼ାଇଲେ ସ୍ନେହେ

ହେବ ହୀରା ହାର କି ସେ ?’’

କେ ସଖୀ ବୋଲଇ, ‘‘ଚାହଁ ଚନ୍ଦ୍ର ମୁହିଁ

ମୋ ଉର ତଟ ସଂପ୍ରତି,

ହେମ-ସାନୁମାନ ଯୁଗ କି ବିବାଦେ

ଉପରକୁ ଉଠୁଛନ୍ତି ।

ନ ହେଲେ କି ଅବା ହିଙ୍ଗୁଳ ଲେପିତ

ମଞ୍ଜୁଷ ଯୁଗଳ ପ୍ରତେ,

ଲଗାଇଲେ ଉରେ ତାପସ ଅଧୀରେ

ଆସିବେ ଗୋ ସନମତେ ।’’

ଆଉ କେହି ବାଳା ଚତୁରୀ କୁଶଳା

କହେ ସସ୍ମିତ ଅଧରେ,

‘‘ପଲକ-ବନ୍ଦୁକ, ନେତ୍ର ଡୋଳା-ଗୁଳା

ଯୋଗେ ମୋ, ଟଳିବେ ଖରେ ।

ଋଷ୍ୟଶୃଙ୍ଗ-ଦମ୍ଭ- ପାଦପ କର୍ତ୍ତନେ

ମୋ ପକ୍ଷ୍ମ-ଚଳା-ଚାତୁରୀ,

ଚଞ୍ଚଳେ କାଟିବ ବୋଲି ଭାବେ ସଖୀ !

ହୋଇ ସେ ତୀକ୍ଷଣ ଛୁରୀ ।’’

ଆଉ କେହି ଭାଷେ ସରସେ, ‘‘ଦେଖ ମୋ

ଭୃଲତା ଭଙ୍ଗି ଚଞ୍ଚଳ,

କାମ-କୁହୁକିନୀ- ଲାଳା-କାର୍ମୁକ ସେ

ଟାଳିବାକୁ ଦମ୍ଭବଳ ।’’

କେହି ଆଉ ସଖୀ, ‘‘ସହଜେ ପରଖି

ନୁହେ’’ ବୋଲେ, ‘‘ତପୀମନ

ନିରତେ ଧିଆନେ ଲୟରଖି ପରା

ମୁଦିଥାନ୍ତି ଗୋ ନୟନ ।

ସେ କାହୁଁ ଚାହିଁବେ ଲଳନା-ସୁଷମା

ଭଙ୍ଗୀକି ନୁହଇ ପ୍ରତେ,

ଧରାଇଲେ ଅବା ଧରିବେ ଉଷତେ

ଉରଜ ଶମ୍ଭୁକୁ ସତେ ।’’

‘‘ସଙ୍ଗୀତ ଇଙ୍ଗିତ ମୋହର ଦେଖିତ

ବରଜି ତାପସ ଯୋଗ’’

କେ ବୋଲେ, ‘‘ସହଜେ କୋଳକରି ସତେ

କରିବେ ଗୋ ମୋତେ ଭୋଗ ।

ଦେଖି ମୋ ବିଳାସ ଲଭିବେ ଉଲ୍ଲାସ

ତେଜି ତପ କର୍ମମାନ,

ମୋ କାମ ବଶରେ ରାଜ୍ୟେ ଆଗମନ

କରିବେ ନଧରି ମାନ ।’’

ଚତୁରୀ ସକଳ ଚତୁର ପଣରେ

ଶେଷକଲେ ନିଶା କାଳ,

ବିଭାବରୀ ଶେଷେ ଜରତାକୁ ଆଗେ

ଧରିଗଲେ ନୃପଦ୍ୱାର ।

ସର-ସୁ ଶୋଭିତା ପଦ୍ମିନୀ-ବନିତା

ଦେଖି ଯେହ୍ନେ ଦିବାକର,

ପୁଲକ ହୁଅନ୍ତି ବାରନାରୀ ପଂକ୍ତି

ଦେଖି ତେହ୍ନେ ନୃପବର ।

ବାରନାରୀ ମୁଖ ପରସନ ସୁଖ

ହୋଇକି ପୂର୍ଣ୍ଣିମା ଇନ୍ଦୁ,

ଉଚ୍ଛ୍ୱସିତ ସତେ କଲା ଉପହାସେ

ନୃପହୃଦ ଆଶା-ସିନ୍ଧୁ ।

ମନ୍ଦେ ମନ୍ଦ ହସି ଚତୁରୀ ବୟସୀ

ହୁଅନ୍ତେ ସର୍ବେ ମଉନ,

ହୋଇ ଆଗଭର ବାରନାରୀ ସାର

ଜରତା ବୋଇଲା, ‘‘ଶୁଣ,

ଭାଟର ବଚନ ଶୁଣିହେ ରାଜନ !

ଆସିଲୁ ଛାମୁ ପୂରତେ,

ମୁନି ଆଗମନ ପାଇଁ କଉଶଳ

ରଚିବୁ ବିବିଧମତେ ।

ବିନ୍ଧ୍ୟ ସାନୁମାନ କାହିଁ ଶୋଭମାନ

ନଥାଇତ ମୋରେ ଜଣା,

କାହିଁ ବା ଉଜାଣି ନର୍ମଦା ତଟିନୀ

ବହେ—ହେବୁ ପରା ବଣା ।

ଛାମୁଙ୍କ ଶୃଙ୍ଖଳ ଶାସନର ତଳେ

ବିପଦ ଶଙ୍କା ପାଶୋରି,

ଥିଲୁ ଘର କୋଣେ ବାରବାମା ଗଣେ

କରି ଯୁବାଚିତ୍ତ ଚୋରୀ ।

ଭାରତ ଭୂଗୋଳ- ଜ୍ଞାନ ତ ସମ୍ୱଳ

ନାହିଁ ହେ ଏବେ ଆମ୍ଭର,

ତାପସ ଦର୍ଶନ- ପଥ ତ ବହନ

କହିଦିଅ ନୃପବର

ମୁନି ଦରଶନ ମାରଗ କଥନ

ପରେ, ଦେବ ତ ବିଚାରି

ସାତଟି ତରଣୀ ସଲିଳ ସରଣୀ

ଭେଦି ଯିବାପାଇଁ ବାରି ।

ବିପିନେ ସକଳ ପଦାର୍ଥ ଲୋଡ଼ିଲେ

ନ ହେବ ଦୃଷ୍ଟି ଗୋଚର,

ଏଣୁ ହେ ଭୋଦେବ ! ଭରିଥିବ ନାବ

ଗଣେ ନାନା ସ୍ୱାଦୁ ଫଳ ।

ବିଳାସର ଖଣି ଆଶାର ବିପଣୀ

ପରି କାହିଁ ପଡ଼ି ତଳ୍ପ,

ଦେଖିଲେ ଦର୍ଶକ ଭାବିବ ଦୁର୍ଲ୍ଲଭ

ହେବ କଲେ ତପ କଳ୍ପ ।

ଯିବାପାଇଁ ମୁନି ପାଶେ କେ ତରଣୀ

ବଳିବ ଆଶ୍ରମ ଶୋଭା,

କୁଟୀରର ଛଣ ଛାତକୁ ତ ତରୁ-

ଲତା କରିବ ହେ ଲୋଭା ।’’

ଡକାଇ ସଚିବ ପାଶେ ନରଦେବ

କହିଲେ ବିଶଦ କରି,

‘‘ଦିଅ ଦରକାର ଦରବ ସତ୍ୱର

ଜରତା ତୃପତି ଭରି ।’’

ସଚିବ ରତନ ସୁବିଜ୍ଞ ପ୍ରବୀଣ

ଥାଇ ତାରେ ସବୁଜଣା,

ବୋଇଲେ, ‘‘ଜରତା ଯେବେ ଅନୁରକ୍ତା,

ନୋହିବୁ ଗୋ ପଥ-ବଣା ।

ପୁରୁ ଅବତଂସ ନୃପତି ଦୁଷ୍ମନ୍ତ-

ନନ୍ଦନ ନାମ ଭରତ,

ଯା’ର ସୁଶାସନ ଯୋଗେ ଯୁଗେ ଯୁଗେ

ଖ୍ୟାତ ଏ ଦେଶ ଭାରତ ।

ଆର୍ଯ୍ୟ ଗଉରବ ଆର୍ଯ୍ୟାବର୍ତ୍ତ ଠାବ

ସୀମା ରୂପେ ବିଦ୍ୟମାନ

ଅଛି ଗୋ, ଚତୁରୀ ଯିବ ବାରି କରି

ସେହି ବିନ୍ଧ୍ୟ ସାନୁମାନ ।

ଦୀର୍ଘ ଦୁଇଶତ ତେତିଶ କୋଶତ

ଅଟେ ତାର କଳେବର,

ଅର୍ଦ୍ଧକୋଶ ଜାଣି କରି ଉଚ୍ଚେ ଠାଣି

ପ୍ରାଚୀର ବତ ହୁନ୍ଦର ।

ଆର୍ଯ୍ୟାବର୍ତ୍ତ ପୂତ ପୀଠେ କି ଦୁଷ୍କୃତ

ମାନବଙ୍କ ପଦାର୍ପଣ

ରୋଧିବା ସକାଶେ ବିଭୁଙ୍କ ନିଦେଶେ

ଉଭା ସେ ଗିରି ରାଜନ ।

ଦାକ୍ଷିଣାତ୍ୟ ଯାତ୍ରା କରିଲେ ପହିଲେ

ଅଗସ୍ତି ଯତି ପ୍ରବର,

ପଥ ନିରୋଧିବା ଦେଖି ଚୁରିଦେଲେ

ଦର୍ପ ବିନ୍ଧ୍ୟ ପର୍ବତର ।

ପାରୁଶେ ତାହାର ବିରାଜେ ସାତ୍‍ପୁରା

ମୈକାଲକୁ ସଙ୍ଗେଧରି,

ପ୍ରକୃତି ସୁଷମ ଶୋଭାରେ ସତତେ

ନିଏ ଜନ-ଚିତ୍ତ ହରି ।

ମଇକାଲ ସ୍ଥିତ, ମାନବ ସେବିତ

ଅମରକଣ୍ଟକ ବନ,

ବିଳସନ୍ତି ଯହିଁ ବେଳେ ବେଳେ ମୋହି

ଅମର ଅପ୍‍ସରା ମନ ।

ତହୁଁ ନିରିମଳ ନର୍ମଦା ଶୀତଳ

ସଲିଳ ଘେନି ବହଇ,

ଭାରତ ପ୍ରତୀଚୀ ଅକୂପାର ବୀଚି

କୋଳେ କି ମୋଦେ ମିଶଇ !

ଯେବେ ଯିବ ପାଞ୍ଚି ଅଛ ଗୋ ସୁକେଶୀ

ସଙ୍ଗେ ଘେନି ସୁବୟସୀ,

ଯିବ ସେହି ସ୍ଥାନେ ପଥ ହେଜି ମନେ

ତାପସ ଆଗମ ରସି ।

ସଲିଳ ପ୍ରପାତ ଦେଖି ଗୋ ସୁନ୍ଦରୀ !

ନ ହେବ ଭୟେ ଆତୁର,

ତରଣୀ-ଚାଳନ ପକ୍ଷେ ତାହା ସଦା

ହୋଇଥାଏ ପ୍ରତିକୂଳ ।

ବାରି-ବେଣୀ-ବନ୍ଧୁ ନାବ ନେଇ କୂଳେ

ଚାଲି ତା ହୋଇବ ପାର,

ପୁଣି ଗୋ ଲଳନା ! ନ ହୋଇ ବିମନା

ଯିବ ପୂର୍ବ ପରକାର ।

ବିପିନେ ବିହରୁ ଥିବେ ବ୍ୟାଘ୍ର ଭାଲୁ

କରିଣ ଘୋର ଚିତ୍କାର,

କଣ୍ଠିରବ-କଣ୍ଠ କରି ଦେଇ ମୋଟ

ଗର୍ଜୁଥିବ ବାରମ୍ୱାର ।

ନର୍ମଦା ସଲିଳେ ନାବ ଗଲା ବେଳେ

ଶୁଣି ସେ ଘୋର ଗର୍ଜନ,

ଜରତା ଚତୁରୀ ଭୟ ପରିହରି

ଦେବୁ ବିଭୁ ପାଦେ ମନ ।’’

କହି ଏହା ମନ୍ତ୍ରୀ ବର୍ଦ୍ଧକୀ ନିମନ୍ତ୍ରି

ଜରତା ଲୋଡ଼ିବା ପ୍ରାୟେ,

ବୋଇଲେ ‘‘ବିଶେଷ କରିବ ତୟାର

ମନୋହର ନାବ କାୟେ’’ ।

ତରୁଣୀଙ୍କ ଚିତ୍ତ ବର୍ଦ୍ଧକୀ ବୁଝିତ

ତୟାର କଲା ତରଣୀ,

ହେଲା ସର୍ବ ନାବ, ସୁଷମାର ଠାବ

ହୋଇ ବିବିଧେ ମଣ୍ଡଣି ।

କାନନ ତାପସ କୁଟୀର ବଳି କେ

ନାବ ପ୍ରକାଶିଲା ଶୋଭା,

ସୁ-ପକ୍ୱ, ସୁସ୍ୱାଦୁ ଅତୀବ ତ ମୃଦୁ

ଫଳେ କେ ହୋଇଲା ଲୋଭା ।

କାହାର ଅଙ୍କରେ ପଡ଼ି ଦୁଗ୍‍ଧ ଫେନ

ନିଭ ତଳ୍ପ ହେଲା ଚାରୁ,

ଦେଖିଲେ ଦର୍ଶକ ନୟନ-ମାନସ

ନ ଫେରାଏ ଦୃଷ୍ଟି ଧାରୁ ।

କେବଣ ତରଣୀ ପ୍ରକାଶିଲା ଠାଣି

ବହି ନାନା ବାଦ୍ୟ ଯନ୍ତ୍ର,

ଥିଲା ତହିଁ ରହ ଗଣିକାଙ୍କ ବହି

ମାନବ ମୋହନ ମନ୍ତ୍ର ।

ବାର, ବାର-ବାମା ଜନ-ମନୋରମା

ଭୂଷିତା ହୋଇ ରତନେ,

ବାହାରିଲେ ଶୁଭ ଅନକୂଳେ ବାନ୍ଧି-

କୃଷ୍ଣ କୁନ୍ତଳ ଯତନେ ।

ଅଶ୍ୱ-ଯୋଚା-ଯାନେ ଚାରୁହାସିନିଏ

ବସିଲେ ହୋଇ ସରାଗ,

ଯତନେ ଥୋଇଲେ ସଜ୍ଜିତ ତରଣୀ

ବହି କେତେ ନବ ଭାବ ।

ଗଲା ଯାନ ବେଗେ ଅଙ୍ଗ ଦେଶ ତେଜି

ଘୋଟକ ଦ୍ରୁତ ପଦରେ,

ଅଶ୍ୱ ପଦ ଧୂଳି ଉଠିଣ ଚଞ୍ଚଳେ

ଘୋଟିଲା ନୀଳ ଅମ୍ୱରେ ।

କେତେଥର ପଥେ କମଳିନୀ ବନ୍ଧୁ

ଉଇଁ ପାଟଳ ବରଣେ,

ପ୍ରତୀଚୀ ଗଗନ ରଞ୍ଜି ଅସ୍ତ ହେଲେ

ଫେଳିନ ସିନ୍ଧୁ ମଗନେ ।

କେତେ ଘନ ଘୋର ବିଭାବରୀ ଶେଷ

ହେଲା ସେ ଯାନ ଗମନେ,

ନକ୍ଷତ୍ର ରତନ ଖଚିତ ଗଗନ

ନାଚିଲା କେତେ ନୟନେ ।

କେତେ ଥର ସନ୍ଧ୍ୟା ମଙ୍ଗଳ ଆରତି

ଘଣ୍ଟା ସ୍ୱନ ଶୁଭି କର୍ଣ୍ଣେ

ସୂଚାଇଲା ତୂର୍ଣ୍ଣେ ବାରନାରୀ ମନେ

ଯାଉଛନ୍ତି ବୋଲି ବନେ ।

ପ୍ରଭାତ ପ୍ରଦୋଷ ଗଗନେ ବାୟସ

ଉଡ଼ିଦ୍ୟନ୍ତେ ରାବ ବଳେ,

ଜଣା ଯାଏ ଦିନ ଶେଷ କି ଆଗମ

ଭେଦି ଶ୍ରବଣ ଗହ୍ୱରେ ।

ପଥେ ରହି ଚତୁରୀ- ଏ କେତେ ଥର

ସାରିଲେ ପାନ ଭୋଜନ,

ଅଶ୍ୱ-ଆବଶ୍ୟକ- ଖାଦ୍ୟ ପେୟ ଭକ୍ଷ

ଦେଲା ଚାଳକ ବହନ ।

କେତେ ଦିବା ନିଶି ଶେଷେ ଯାନେ ବସି

ଗଲେ ନରମଦା ତଟେ,

ସମ୍ମୁଚ୍ଚ ପାଦପ ପୂର୍ଣ୍ଣ ବନ ଯହିଁ

ବିଭୀଷିକାକୁ ପ୍ରକଟେ ।

ଯାନୁ ଫେଇ ଖରେ ତରଣୀ ସଂହତି

ରଖିଲେ ସଲିଳ ବକ୍ଷେ,

ତରଣୀଏ କେତେ ଚାଲିଲେ କ୍ଷେପଣୀ

ବସି ତରଣୀର କକ୍ଷେ ।

କେତେ ଚାନ୍ଦ ମୁହିଁ ରହିଲେ ଅନାଇଁ

ନୀରେ ତରଣୀ ଗମନ,

ଚାହୁଁକି ସହସା ସ୍ୱଦେଶ ଜନତା

କାଙ୍କାଳ ଘାରିଲା ମନ ।

ସତେକି ତାପସ ଋଷ୍ୟଶୃଙ୍ଗ ବନୁ

ଆସିବେ ଏ ଅଙ୍ଗ ଦେଶେ,

ଖାଦ୍ୟ ପେୟ ହିନ ପ୍ରଜା ଉଦ୍ଧାରଣ

କରିବେ ନ ଭାବି ଲେଶେ ।

ସତେ କି ଗୋ ସଖୀ ! ‘‘କହେ କେ ସୁମୁଖୀ

‘‘ରସିବେ ସେ ଆମ୍ଭରସେ ?

ଆଜନମ ତପୀ ମନ୍ତର ନ ଜାଣି

ଯିବେ କି ସଙ୍ଗ ସରସେ ?’’

ଋଷ୍ୟଶୃଙ୍ଗ ଘେନି ଫେରିଲେ ଜରତା

ବସାଇଣ ରହୁବରେ,

ବାହୁଡ଼ିବ ବୋଲି ସ୍ୱଦେଶକୁ ଭାବି

ରହିଲା ସୂତ ସେ ସ୍ଥଳେ ।

ପ୍ରଦୋଷେ ପ୍ରଭାତେ ଉତ୍କଣ୍ଠିତ ଚିତ୍ତେ

ଭରମେ ନଦୀ ପୁଳିନେ,

ଜରତା ସମେତେ ଋଷ୍ୟଶୃଙ୍ଗ ସତେ !

ନେବା ପାଞ୍ଚି ଖରେ ମନେ ।

Image

 

ଷଷ୍ଠ ସର୍ଗ

 

ରବି ଅସ୍ତ କରେ ନରମଦା ନୀରେ

ଖେଳୁଥିଲେ ପକ୍ଷୀଦଳ,

ପ୍ରକୃତିର ସତେ ! କନକ ମଞ୍ଜୁଷା

ପରି ପ୍ରତେ ନୟନର ।

ପ୍ରଦୋଷ ଆଗମ ବୁଝି ବିହଙ୍ଗମ

ତେଜି ନୀର-ସନ୍ତରଣ,

ନୀଡ଼ ଅଭିମୁଖେ କାକଳୀ ନିଦାନେ

କରିଲେ ପ୍ରତ୍ୟାଗମନ ।

ବହେ କଳ କଳେ ତଟିନୀ ସଲିଳ

ବନ-ଶିଳା ଦେଇଖରେ,

ଲୁଚିଯାଏ କାହିଁ ପାଦପ ଉଢ଼ାଳେ

ଦେଖାଦେଇ ଅଳ୍ପ ଦୂରେ ।

ଶତ, ଶତ ହସ୍ତ ବିସ୍ତାର କାହିଁବା

ଘେନି ବେନିକୂଳେ ଗିରି ।

ଶୈଳ-ବାଡ଼ କିବା ପରିଖା ସମେତ

ରଖିବାକୁ ବନ ଶୀରି ।

ଅସ୍ତ ରାଗ-ରକ୍ତ- ତପନ-ମୟୂଖ

ପଡ଼ି ସ୍ରୋତସ୍ୱତୀ ଜଳେ,

ତରଳ କାଞ୍ଚନ ନିନ୍ଦିଲା ବହନ

ଝଲସି ନେତ୍ର ଆଗରେ ।

ଧୀରେ ଧୀରେ ଚାଲେ ତରଣୀ ସଂହତି

ଭେଦି-ତଟିନୀ-ତରଙ୍ଗ,

କେବେ ଆହ୍ଲାଦିତ, କେବେ ବା ବିସ୍ମିତ

ହୁଅନ୍ତି ଚାଳି ଅପାଙ୍ଗ ।

କେହୁ ବିଳାସିନୀ ବିଳାସ ଚିନ୍ତାରେ

ଚାହିଁ ପ୍ରକୃତି-ପ୍ରସାଦ,

କହେ ‘‘ଏଥିଅବା କି ସୁଖ ଲଭନ୍ତେ

ତିଆରି ଥିଲେ ପ୍ରାସାଦ ।

ଦିଶନ୍ତା ଅଦୂରୁ ବନେଶିର ତୋଳି

ଅଟ୍ଟାଳିକା-ଉଚ୍ଚ-ଶିଖ,

ବସି ଯହିଁବନ ସୁଷମା ଚାହିଁଲେ

ମିଳନ୍ତା ଅପୂର୍ବ ସୁଖ ।

ବିଭୁ-ଆରାଧନ- ମଜ୍ଜିତ-ମୋହନ

ତାପସ ଓଁକାର ସ୍ୱର,

ଉଷା ସାୟଂକାଳେ ଆସି ସଖୀ ସତେ !

ତୋଷନ୍ତା କର୍ଣ୍ଣ-ଗହ୍ୱର ।

ବନ୍ୟଜନ୍ତୁ-ପଛ- ଧାବିତ-କୁକୁର

ଚିତ୍କାର ଶ୍ରବଣ-ବିଳେ,

ବଳେ ପଶୁଥାନ୍ତା ବ୍ୟାଧ ଶିଂଘା ସଙ୍ଗେ

ଏଡ଼ି କେ ପାରନ୍ତା ତିଳେ ?

ଆଣୁଥାନ୍ତା ବହି ଅନିଳ-ହିଲ୍ଲୋଳ

ଦୂର-ଗ୍ରାମ-ଘଣ୍ଟା-ସ୍ୱନ,

ଯାହାର ଶ୍ରବଣେ ସଂଗାତ ଗୋ ସତେ

ପୂତହୁଏ କାୟ ମନ ।

ବିଭାବରୀ କାଳେ ସେ ପ୍ରାସାଦ ଚୂଳେ

ବିହରିଲେ ମୋଦେ ପୁଣି,

ଦେଖି ନବେ ତାରା- ଚନ୍ଦ୍ର, ଶୋଭା-କାରା

ମନେ କି ହୁଅନ୍ତେ ଗୁଣି ।

କେ ବୋଲେ, ‘‘ସଜନୀ ନ ହୁଅ ଗୋ ମାନି !

ଚିନ୍ତି ବିପିନ-ବିଳାସ,

ଭାବ ଏବେ କେହ୍ନେ ତପି ଆଣି ନିବା-

ରିବା ସ୍ୱଦେଶ ହତାଶ ।

ଆଳାପ ଉତ୍ସଙ୍ଗେ ତଟିନୀ ତରଙ୍ଗେ

ସୁଭ୍ର ତରଣୀ ସଂହତି,

ଚାଲିଥାନ୍ତି ତେଜି ଚକ୍ରବାଳ ଶୋଭା

ନିଠୁରେ ଦୂରେ ଝଟତି ।

କେତେ ଦିବା ରାତି ପଥେ ଗଲା ବିତି

ଶେଷେ ହେଲେ ଉପଗତ,

ସୁସ୍ୱାଦୁ ବ୍ୟଞ୍ଜନ ଅନ୍ନ କି ସମକ୍ଷେ

ନିରେକ୍ଷିଲା ବୁଭୁକ୍ଷିତ ।

ମରୁଭୂମି ଚାରୀ ପଥିକ ଅଥବା

ଦେଖିଲା ନେତ୍ରେ ନିଝର,

ତରୁଣୀଏ ତହୁଁ ବଳିତୋଷ ହେଲେ

ମିଳି ଆଶ୍ରମ ବନର ।

ଘେନି ନାବୁ ନବ ବିବିଧ ଦରବ

ଗଲେ ବନ-ବାଟ ଦେଇ,

କୋମଳାଙ୍ଗୀ ଚାରୁ ସୁଧାଂଶୁ ବଦନା

ଆଗେ ଜରତାକୁ ନେଇ ।

ଯାଉଁ ଯାଉଁ ପଥ ବେନି ପାଶ୍ୱେ ଚାହିଁ

କୁସୁମ-ପୂର୍ଣ୍ଣ-ପାଦପ,

ଗନ୍ଧ ଆଶେ କେଉଁ ମନ୍ଥର ଗାମିନୀ

ଗମେ ତା ପାଶେ ଅଳପ ।

କେ ନବ-ବୟସୀ ନବ ଅନୁରାଗ

ପୋଷି ଆପଣା ମାନସେ,

ସୁମନସ-ସ୍ପର୍ଶ ସୁଖନୀରେ ହୃଦ-

କେଦାର ପ୍ଳାବେ ସରସେ ।

ତୋଳୁଥାଏ ମୋଦେ ନବ କିଶଳୟ

କେବଣ ସରୋଜ ମୁଖୀ,

ଚାଲନ୍ତେ ପୟର ନୂପୁର-ନିକ୍ୱଣ

ଶୁଣି ଆନ ହୁଏ ସୁଖୀ ।

ଫେଇ ଉରୁଝୀନ ବସନ କେ ଧାଏଁ

ହୋଇ ଅସମ୍ଭାଳ ମନା,

ମର୍ଦ୍ଦଳ ଖଞ୍ଜର ଘେନି କରେ କେତେ

ଚାଲନ୍ତି ମନ-ମୋହନା ।

ମନସିଜ-କଳା- ପ୍ରବୀଣା, ଯୁବକ-

ମାନସ-ପୀୟୁଷ ଖଣି,

ରତି-ରସ-ଦାନେ ମୁନି ତପ ଭଗ୍ନେ

ମିଳିଲେ ସକଳ ଧନୀ ।

ଦେଖିଲେ ତ ତରୁ ଲତା ଅନ୍ତରାଳେ

ଶୋଭଇ ତପୀ ନିଳୟ,

ରଚିଛନ୍ତି ସତେ ! ସିଦ୍ଧ ମହାଜନ

ପାଇକି ସଂସାର ଭୟ ।

ବିଶାଳ ଆକାର ନୁହଇ ସେ ପୁର

ନାହିଁ ତିଳେ ଆଡ଼ମ୍ୱର,

ବନ୍ୟ ଉପଦାନ ଯୋଗେ ସୁଶୋଭନ,

କିବା ତାହା ପଟାନ୍ତର ।

ଆଶ୍ରମ ଚୌଦିଗେ ଶୋଭେ ନାରୀକେଳ

ପଲ୍ଲବ କୁସୁମ ଭରା,

ପ୍ରକୃତି ନିର୍ଦ୍ଦେଶେ ଆଶ୍ରମେ କି ସତେ !

ଭରା ଏ ପ୍ରହରୀ ତ୍ୱରା ।

ବକ ଫକ୍ତି ଯେବେ ଉଡ଼ି ନଭେ ରଙ୍ଗେ

ବସନ୍ତି ଆସି ଶିଖରେ,

ପ୍ରହରୀ-ମସ୍ତକ- ପାଗ ଅବତଂସ

ଝୁଲବଳି ଯାଏ ବଳେ ।

ତା, ବାହାର ପାଶେ ଉଭା କି ସରସେ

ଦେବଦାରୁ, ଜାମୁ, ବଟ,

ଅଦୂରୁ ଚାହିଁଲେ ଆଶ୍ରମ ନିଳୟ

ନ ହୁଏ ନେତ୍ରେ ପ୍ରକଟ ।

ବହୁ ଅଛି ନଦୀ ନର୍ମଦା ଚୌଦିଗେ

କରି କି ପରିଖା ବିଧି,

ବିଷୟୀ ମାନସ ପ୍ରତିବନ୍ଧକ ସେ

ଆଶ୍ରମ ସରଣୀ ରୋଧି ।

ଆଶ୍ରମେ ପ୍ରବେଶି ସୁନ୍ଦରୀ ସମାଜ

ଦେଖିଲେ ମଲ୍ଲୀ ବଲ୍ଲରୀ,

ଧରିସିତ-ପୁଷ୍ପ ସୁବାସ ଅମାପ

ଦିଅଇ ଦୂରେ ବିତରି ।

ମାଧବୀ, ନୀଆଳୀ, ଯୁଇ, ଯାଈ, ବଲ୍ଲୀ-

ବହି ସୁବାସ ସୁମନ,

ସୌରଭ ଆମୋଦେ ଆମୋଦିତ କରି

ହରନ୍ତି ନୟନ ମନ ।

ଆଶ୍ରମ କୁଟୀର ପାଶେ ତରୁବର

ନିମ ମୂଳେ ବସି ଋଷି,

ଋଷ୍ୟଶୃଙ୍ଗ ତପେ ବିଭୁନାମ ଧ୍ୟାୟୀ

ଥିଲେ ଆଖିଭାଲେ ଖୋଷି ।

ବିଷୟ ବାସନା ବିଳାସ କାମନା

ସ୍ପର୍ଶି ନ ଥିଲାତ ମନ,

ଜନମ ଦିନରୁ ଜନକ-ପାଳିତ

ହୋଇ ତପେ ସଦାମଗ୍ନ ।

ତପୀକୁଳ ଶ୍ରେଷ୍ଠ ପିତା ବିଭାଣ୍ଡକ

ଶିଖାଇଲେ ପୂତମାର୍ଗ,

ସେ ପୂତ ମାରଗ ଅନୁସରି ପୁତ୍ର

ହେଲେ ବିଷୟା ବିରାଗ ।

ଆହାର ଶୟନ ବିହାର ଭୋଜନ

ସଠିକେ ଜାଣନ୍ତି ନାହିଁ,

ତାପସ ବ୍ୟତୀତ ବିଷୟା ଆସକ୍ତ

ଲୋକବା ଦେଖିବେ କାହିଁ ?

ସବୁବେଳେ ସବୁ ମାନବେ ଥାଇତ

ଉଦର ଜ୍ୱାଳା ପ୍ରଧାନ,

କ୍ଷୁଧାବେଳେ ଋଷି ନେତ୍ର ନ ପ୍ରକାଶି

କରି କର-ପ୍ରସାରଣ ।

ଆଣନ୍ତି ସେ ନିମ୍ୱ ବକ୍ୱଳ ଆକର୍ଷି

କ୍ଷେପନ୍ତି ଉଦର ମଧ୍ୟେ,

ସଂଯତ ହୃଦୟେ ଇନ୍ଦ୍ରିୟ ବିଜୟୀ

ହୋଇଥାନ୍ତି ବଡ଼ ମୋଦେ ।

ଯେବେ କେ, ତାପସ ହୋଇ ସୁହରଷ

ଆସନ୍ତି ଆଶ୍ରମ ଧାମ,

ଉଠନ୍ତି ସେ ଖରେ ଭେଦିଲେ ଶ୍ରୂତିରେ

ତାପସ-ଆଶ୍ରମ-ନାମ ।

ବିହିତ ସତ୍କାର କରି ଋଷ୍ୟଶୃଙ୍ଗ

ପୁଚ୍ଛନ୍ତି ସର୍ବ କୁଶଳ,

ସ୍ନେହ ସମ୍ଭାଷଣ ଖାଦ୍ୟ ପେୟ ଦାନ

ଦେଇ ସେ ପର୍ଣ୍ଣ-କୁଟୀର ।

ପ୍ରତ୍ୟହ ଉଷାରେ ଏକାଗ୍ର ମନରେ

ପିତା ଯତି ବିଭାଣ୍ଡକ,

ନିର୍ଜ୍ଜନେ ଧିଆନ ପାଞ୍ଚି ଆନ ସ୍ଥାନ

ଗମନ୍ତି ହୋଇ ପୁଲକ ।

ପ୍ରଦୋଷରେ ପୁଣି ଫେରନ୍ତି ସେ ମୁନି

ଉଷତେ ସ୍ୱୀୟ ଆଶ୍ରମେ,

କୁମର ସଙ୍ଗତେ ଆନପନ୍ତି ନା ନା

ତପ ସାଧନ କରମେ ।

ବିଭାବରୀ କାଳ ଅନନ୍ତ ନୀଳିମା

ବିରାଟ ଉଚ୍ଚ ଗଗନ,

କେବେ କେବେ ଶଶୀ ତାରକିତ ଚାହିଁ

ପୁଲକେ ହରନ୍ତି ମନ ।

କେବେ ତା ଅସୀମ ଭୀମକାନ୍ତ ଛବି

ନିରେଖି ନିଜ ନୟନେ,

ପୁତ୍ର ସଙ୍ଗେ ତପୀ ହୋଇଣ ସନ୍ତାପି

ବସନ୍ତି କୁଟୀର କୋଣେ ।

ପାର୍ଥୀବ ବିଭବେ ନୁହନ୍ତି ଆସକ୍ତ

ନୁହେ ଚିନ୍ତାକୁଳ ପ୍ରାଣ

ଧରମ ସମ୍ପଦ ଜାଗେ ନିତିହୃଦେ

ବିଶ୍ୱେ କେ ତାହା ସମାନ ?

ବାଟେ ବିଭାବରୀ କାଟି ବାର ନାରୀ

ପ୍ରତ୍ୟୁଷେ ଗଲେ ଆଶ୍ରମେ,

ଯାଇଥିଲେ ଆନ ସ୍ଥାନେ ବିଭାଣ୍ଡକ

ମନ ରଖି ତପ କର୍ମେ ।

ଦେଖିଲେ ନାରୀଏ ନିମତରୁ ମୂଳେ

ବସି ଋଷ୍ୟଶୃଙ୍ଗ ଯତି

ନିବିଡ଼ ଧିଆନେ ମୁଦ୍ରିତ ନୟନେ

ରଖିଛନ୍ତି ବ୍ରହ୍ମେମତି ।

ଶୋଭୁଥିଲା ଶିରେ ଜଟାଭାର ଗଳେ

ଦୋଳଇ ରୁଦ୍ରାକ୍ଷ-ମାଳ,

କଟିଦେଶ ସାଜେ ବକ୍ୱଳ ପଟଳ

ଭସ୍ମ ବୋଳା କଳେବର ।

କୃଷ୍ଣାଞ୍ଜୀନ ପରେ ଆସୀନ ନିଶ୍ଚଳେ

ଶିରେଶୋଭେ ବେନି ଶୃଙ୍ଗ,

ଯା ଯୋଗେ ଜଗତେ ବିଦିତ ପତନେ

ତପ ଶ୍ରେଷ୍ଠ ଋଷ୍ୟଶୃଙ୍ଗ ।

ଅର୍ଦ୍ଧ ସ୍ଫୁଟ ସ୍ମିତ ପ୍ରକାଶି ଜରତା

ଚାହିଁଲା ଆଗେ ତାପସେ,

ଅନଭ୍ୟାସ ଯୋଗୁଁ ତାପସ ସମୀପେ

ନ ଗଲା ଭୟ-ମାନସେ ।

ରହି ଖଣ୍ଡ ଦୂରେ ଚତୁରୀ ନାରୀଏ

ବାଇଲେ ବାଦ୍ୟ ଖଞ୍ଜର,

ସୁମଧୁର ବୀଣା ଝଙ୍କାରେ କେ ସଖୀ

ଟେକିଲା ମଧୁର ସ୍ୱର ।

ସ୍ମର ଶାସ୍ତ୍ର ବଳେ ଥିଲେ ସେ ଚତୁର

ରୂପ ଭୂଷା ସୁ-ସୁନ୍ଦର ।

ଗୀତ ବାଦ୍ୟ ତାନେ ନିପୁଣ କରଣେ

କମ୍ପାଇଲେ ବନ ସ୍ଥଳ ।

ବିବିଧ ବାଇଦ ଖଞ୍ଜର ନିନାଦ

ବୀଣା ଯନ୍ତ୍ର ମଧୁ-ନାଦେ,

ବିପିନ ନିବାସୀ ପ୍ରାଣୀଏ କାତରେ

ଗଲେ ଗଣି ପର ମାଦେ ।

ଭେଦି ନ ଥିଲାତ ଶ୍ରବଣ ଗହ୍ୱରେ

କେବେ ପୂର୍ବୁ ସେହି ଧ୍ୱନୀ,

ମର୍ଦ୍ଦଳ ଖଞ୍ଜର ବାଦନ ମଧୁର

ତୋଷୁ ନ ଥିଲା ତ ଆଣି ।

ବନ ମୁଖରିତ ଗିରି ଦରୀସ୍ଥିତ

ଶିକାରୀ ଶିଂଘା ନିସ୍ୱନ,

ବେଳେ ବେଳେ ଆସି କର୍ଣ୍ଣ ପଥ ଭେଦି

ବ୍ୟାକୁଳ କରଇ ମନ ।

ଚତୁରୀଙ୍କ ପ୍ରାଣ ସ୍ପରଶି ସଂଗୀତ

ଶୁଣି ପଶୁ ପକ୍ଷୀ କୁଳ,

ଚିନ୍ତିଲେ ମାନସେ ହୋଇଲା ସହଜେ

ତାହା ପ୍ରାଣ-ପ୍ରତିକୂଳ ।

କୁସୁମ ଶୋଭିତା ତରୁ ଗୁଳ୍ମ ଲତା

ଖୋଜି ନିକାଞ୍ଚନ ସ୍ଥଳ,

ଚାହିଁ ଚଉଦିଗେ ପରାଣ ଆବେଗେ

ଗଲେ କାତରେ ସକଳ ।

ଦୂରେ ଦେଖି ଫଳ ପଲ୍ଲବ ମଣ୍ଡିତ

ସମୁଚ୍ଚ ପାଦପ ମାଳା ।

ଶିଂଘା ଶବ୍ଦ ଦକ ପୋଷି ସେ ଭଲ୍ଲୁକ

ଆରୋହିଲା ହୋଇ ତ୍ୱରା ।

ଚମତ୍କାର ମଣି ବାର ନାରୀ ରୂପ

ସଂଗୀତ ନାଦ ସଂହତି,

ଧାଏଁ ଦ୍ରୁତ ପଦେ କରିଣୀ ଶାବକ

ହୋଇକି କାତର ମତି !

ତେଜି ଦୀର୍ଘଶ୍ୱାସ ବର୍ଜ୍ଜି ପ୍ରାଣ ଆଶ

ବିଷର୍ଣ୍ଣେ ବନେ ଶଶକ,

ତମାଳ କୋଳରେ ସଂଶଙ୍କ ଚିତ୍ତରେ

ପଡ଼େ ପାଇ ଘୋର ଦକ ।

ପ୍ରାଣୀ ପ୍ରାଣ ରଙ୍କ ସତତେ ନିଶଙ୍କ

ଯେ ବ୍ୟାଘ୍ର ଘୋର କାନନେ,

ଶିକାରୀ ଆଗମ ଭ୍ରମେ ଘାରି ମର୍ମ୍ମ

ଥାପିଲା ତନୁ ଗୋପନେ ।

ମରଣ ବେଦନା ବଡ଼ ବିଡ଼ମ୍ୱନା

ପରାଣ କରେ ଆକୁଳ,

ଜୀବୀ ଜୀବ ସଧ ସଦା ହୃଦ-ମୋଦ

କରିଥାଏ ଚିନ୍ତି ମୂଳ ।

କପୋତ ଦମ୍ପତି ଭୟ ଭରି ମତି

ଉଡ଼ିଲେ ନଭେ ବିକଳେ,

ପ୍ରକୃତି ମୋହନ ସମ୍ପଦ ଭଣ୍ଡାର

ଉଡ଼ୁ ଦେଖିଲେ ଭୂତଳେ ।

ତିନି ପାରୁଶେ ତା ଶୋଭଇ ଉତ୍ତୁଙ୍ଗ

ଅଗମ୍ୟ ଶିଖରୀ ମାଳା,

ଅନ୍ୟ ପାଶେ ତରୁ ସମୁଚ୍ଚରେ ରହି

ହୋଇଛି କି ସତେ କାରା !

ଗଲେ ତହିଁ କ୍ଷିପ୍ରେ ପକ୍ଷ ଚାଳି ବେନି

ପାଇବା ପାଇଁ ଆଶ୍ରୟ,

ଶିକାରୀ ସୁତୀକ୍ଷ୍ଣ ସାୟକେ ନ ହେଉ

ବୋଲି ପରାଣ ଅଥୟ ।

କିଏ ବା ନଜାଣେ ସର୍ବପ୍ରାଣୀ ଗଣେ

ସତତେ ପ୍ରାଣ ଆଶ୍ରୟୀ,

ଶୁକ ସାରୀ ଗଣ ବିବିଧ ଠାବରେ

ଉଡ଼ି ହୋଇଲେ ଆଶୟୀ ।

ବାର ନାରୀ ସ୍ୱର ମଧୁର ଝଙ୍କାର

ମନ୍ଦରେ କଲା ମୁଖର,

ସେ ନିନାଦ ଶୁଣି ଗହ୍ୱରେ ଉଲ୍ଲୁକ

ହୋଇଲା ଅତି କାତର ।

ବସିଥିଲେ ଦଳେ ଉଚ୍ଚ ତରୁ ଚୂଳ

ଗୃଧ୍ରେ ଏକା ନିଶଙ୍କରେ,

ଶିଂଘା ନାଦ ଯେଣୁ ତାହାଙ୍କ ଶ୍ରବଣେ

ମୋଦ ଦିଏ ନରନ୍ତରେ

ସଂଗୀତ ଝଙ୍କାର ଶୁଣି ସେ ଚିତ୍କାର

କଲେ ପାଦପର ଶୀର୍ଷେ,

ଶବ୍ଦେ ଶବ୍ଦ ମିଳି ତୁମ୍ୱଳ ହୋଇଲା

ବିରାମ ନୋହି ନିମିଷେ ।

କି ହେଲା ଆଶ୍ରମେ ବିଚାରି ସମ୍ଭ୍ରମେ

ଫେଇଲେ ମୁନି ନୟନ,

ଦେଖିଲେ ଅଦୂରେ ଅତିଥିଏ ମୋଦେ

କରନ୍ତି ବିଭୁ ସ୍ମରଣ ।

ସେ କାହୁଁ ବୁଝିବେ ଚତୁରୀ ଲଳନା

ଆମୋଦ ପୂରିତ ଗାନ,

ଆଜନମୁ ଜନ ସମାଜୁ ଅନ୍ତର

ହୋଇ ଯେହୁ ତପେ ମଗ୍ନ ।

ଚତୁରୀଙ୍କି ଭାବି ଅତିଥି ତାପସ

ମଉଳି ମୋଦେ ଉଠିଲେ,

ଆଶ୍ରମ ଧରମ ଶୀର୍ଷ ଯା ସତ୍କାର

ବସି ପାଶେ ଆରମ୍ଭିଲେ ।

ନୀର କମଣ୍ଡଳ ଥୋଇ ତଳେ ତପୀ

ବୋଇଲେ ‘‘ଅତିଥି ବର !

ସଦା ଉନମୁକ୍ତ ଏ ଦୀନ କୁଟୀର

ତବ ଲାଗି ବିପିନର ।

ଲୋକ-ନେତ୍ର-ଅନ୍ତ ରାଳେ ହେ ରହିଛୁ

ବିଷୟା-ବିଷ-କାତରେ,

ସଜାଡ଼ି ରଖିଛୁ ସର୍ବ ବିଧି ବଳ-

ଅନୁସାରେ ବିପିନରେ

ଅତିଥିର ପୂଜା ଆୟୋଜନ ଘେନି

କର ପବିତ୍ର ଏ ସ୍ଥଳ,

ପିତା ବିଭାଣ୍ଡକ ପ୍ରଦୋଷେ ଫେରିଲେ

ଲଭିବେ ସୁଖ-ବିମଳ ।’’

ପାରି କୁଶାସନ ଅତିଥିଙ୍କ ବଳେ

ବସାଇ ତୃତପୀ ପତେ,

ସ୍ନେହ ସମ୍ଭାଷଣ କଲେ, ସେ ବହନ

ପଚାରି ବିବିଧ ମତେ ।

ଚତୁରୀଏ ଅର୍ଦ୍ଧ ସ୍ମିତ ସ୍ଫୁଟ ହାସେ

କରି କଟାକ୍ଷ ଚାଳନ,

ରମଣୀ ସୁଲଭ ମଧୁର ସ୍ୱରରେ

ଭାଷନ୍ତି ପୀକ ବଚନ ।

ଗହନ ନିଭୃତି ତରୁ ଅନ୍ତରାଳୁ

ଫଳ ମୂଳ ବେଗେ ଆଣି,

‘‘ଭୁଞ୍ଜହେ ଅତିଥି ତବ ଲାଗି ଏଥି

ଆଣିଛି ବୋଇଲେ ବାଣୀ ।

କେବେହେଲେ ବାରେ ଏ ବନ ଗିରିରେ

ପଡ଼ି ନଥିଲାତ ପାଦ,

କି ସଦୟ ଚିତ୍ତେ କେବଣ ଦେଶରୁ

ଆସିଲ ଲଭି ପ୍ରମୋଦ ।

ପ୍ରତିବନ୍ଧକ କି ତପ ସାଧନରେ

ନ ପାଅ ପ୍ରମାଦ ଗଣି

ନିସର୍ଗ ସୁଖରେ ନବ ଉତ୍ସାହରେ

କି ଦେବ ଆରାଧ ପୁଣି ?

ତବ ପରିଧୃତ ବକ୍ୱଳ ନିକର

ଶୋଭମାନ ନାନା ରଙ୍ଗେ ।

କେବଣ କାନନ- ଚାରି ଅତିଥି ହେ

ମିଳିଲ କି ଏକ ସଙ୍ଗେ !

ଏ ବିଶ୍ୱ ଭବନେ ତପସ୍ୟା ଭଗନେ

ଅଛି କେତେ ଅନ୍ତରାୟ,

ପ୍ରାବୃଟ ଆକାଶ ବର୍ଷାର ହତାଶ

ଶୀତେ କମ୍ପେ ମର-କାୟ ।

ଦାରୁଣ ଗ୍ରୀଷମ ଅଟେ କି ବିଷମ

ତପି ତପେ ପ୍ରତିକୂଳ,

ବ୍ୟାଘ୍ର, ସିଂହ, ହାତୀ ଘୋରେ ସଞ୍ଚରିକି

କରନ୍ତି ପ୍ରାଣ ବ୍ୟାକୁଳ ?

କୌଣପ କରାଳ ତ୍ରାସେ ଅତିଥି ହେ !

ଆଶ୍ରମ କି ଥରହର,

ତପ ସାଧନରେ ଘୃତ ସମିଧକି

ମିଳେ ଜାଣି ବେଳକାନ ।

ଆଶ୍ରମ ସରଣୀ ଦେଇ କୁଳୁସ୍ୱରେ

ବହେ କି ସ୍ୱଚ୍ଛ ନିର୍ଝର,

ଫଳ ସୁଶୋଭିତ କୁସୁମ ମଣ୍ଡିତ

ଆଶ୍ରମେ କି ତରୁବର ।

କେବଣ କାରଣେ ନବ ଅତିଥି ହେ !

ମୋ ଆଶ୍ରମେ ସମାଗତ,

କି କାରଣେ କର ସୁ-ମଧୁର ଧ୍ୱନୀ

ହେବି କି ମୁଁ ଅବଗତ ?

ତାପସ ଜିଜ୍ଞାସା ଶ୍ରବଣେ ଜରତା

ମଧୁରେ ଭାଷିଲା ବାଣୀ,

‘‘ଯେବେ ଆଗମନ କାରଣ ବୁଝିବ

ଶୁଣ ବସି ଋଷି-ମଣି ।

କେ ଭୁଲଇ କେବେ ଏ ପୂତ ଭାରତେ

ତା ପୂର୍ବ ଯଶ-ରତନ,

ଭାବିଲେ ତ ଖରେ ଚୁମ୍ୱକରେ ଲୌହ

ବଳି ଲାଗିଯାଏ ମନ ।

ଆର୍ଯ୍ୟ ଋଷିକୃତ ପାବନ ମହତ

ମାଧୁରୀ ପୂର୍ଣ୍ଣ କରମ

ଆର୍ଯ୍ୟ ସଂସ୍କୃତିର ସ୍ତରେ ସ୍ତରେ ସତେ

ଶୋଭି କି ଘାରେ ମରମ ।

କେତେ ବା ସମର ବନ୍ୟା ବିପତ୍ତିର

ବାତ୍ୟା ନ ବୋହିଛି ଦେଶେ,

ଘୋର ଭୂମିକମ୍ପ ହୋଇବା କେତେକ

ଲୋପ ନ କରିଛି ଲେଶେ ।

ଏ ପୂତ ଭାରତ ବିପିନ ପର୍ବତ

ପ୍ରଭାହିନୀ ବାଟେ ଘାଟେ,

ଆର୍ଯ୍ୟ ମହର୍ଷିଙ୍କ ଅମର ସଂସ୍କୃତି

ସତତେ ରହି ପ୍ରକଟେ ।

ବିନ୍ଧ୍ୟ ଦର୍ପ ହାରୀ ତାପସ କେଶରୀ

ଅଗସ୍ତି ମହା ମହିମା,

ପଢ଼ୁ ପଢ଼ୁ ପ୍ରାଣେ ଜନ୍ମିଲା ହେ ତପି

ଦର୍ଶନ ଆଶା ଉତ୍ତମା ।

ତନୁ ରହୁବର ଇନ୍ଦ୍ରିୟ ଘୋଟକେ

ବନ୍ଧତ ମନ-ରଜୁରେ,

ଇନ୍ଦ୍ରିୟର ଭୋଗ୍ୟ ବସ୍ତୁ ମାରଗେ ହେ

ଗମୁଥାଇ ନିରନ୍ତର ।

ବାତାପି-କୌଣପ- ତପ ନିବାରଣେ

କରିଣ ପ୍ରାଣ ସଂହାର,

ଆର୍ଯ୍ୟ ପୂତ ପୀଠେ ଥାପିଥିଲେ ଯେହୁ

ସଂକୋଚ ହୀନ-ଚିରାଳ ।

କେହ୍ନେ ସେ ଅଗସ୍ତି ବିନ୍ଧ୍ୟ ଦର୍ପହାରୀ,

ଥିଲେ ଦେଖିବା ମନ-

ବଳାଇ ଆସିଲୁ ଏଥି ତପି ଯେହ୍ନେ

ଚାତକ ଘନେ ପ୍ରସନ୍ନ ।

ଧରେ ମହାବଳ ସେ ବିନ୍ଧ୍ୟ ଅଚଳ

ସମୁଚ୍ଚେ ଟେକି ଶିଖରୀ,

ଦାକ୍ଷିଣାତ୍ୟ ପଥ ରୋଧୁଥିଲେ ରହି

କରି କି କିବା କେଶରୀ ?

‘‘ଚଳୁ ସ୍ୱରୂପେ ଯେ ସରାର ଶୋଷଣେ

ଖ୍ୟାତ ଏହି ମହୀତଳେ,

ସେ ଆର୍ଯ୍ୟ ମହର୍ଷି ଅରାସ୍ତା ଭାଙ୍ଗିଲେ

ବିନ୍ଧ୍ୟଦର୍ପ ବିନ୍ଧ୍ୟଚୂଳେ ।

ଆର୍ଯ୍ୟାବର୍ତ୍ତ ବାସୀ ଆର୍ଯ୍ୟଙ୍କ ନିମିତ୍ତ

କରି ପଥ ନିଷ୍କାସନ,

ଯୁଗେ ଯୁଗେ ସେହି ସାନୁମାନ ବକ୍ଷେ

ଥାପିଲେ ଜୟ-କେତନ ।

ନରମଦା ସ୍ୱଚ୍ଛ ସଲିଳରେ ଚାଳି

ତରଣୀ ଆସିଲୁ ତହିଁ,

ଭକତି ହୃଦୟେ ଶ୍ରଦ୍ଧାଞ୍ଜଳୀ ଦେଲୁ

‘‘ନମୋ ତପୀବର’’ କହି ।

ଭ୍ରମି ଚଉକତି ମିଳିଲୁ ସଂପ୍ରତି

ତବ ପୂତ ଆଶ୍ରମରେ,

ମୋହନ ପାବନ ସୁଷମା ଦର୍ଶନ

ବିଲୋକି ବସିଛୁ ବାରେ ।

ନିରତ-ନିହାର- ମଣ୍ଡିତ-ହିମାଦ୍ରୀ

ସରଗ ଜନେ ସେବିତ,

ଯା ବକ୍ଷେ ସରଗ- ସରଣୀ ଶୋଭଇ

ସଦା ସିତ ବିରାଜିତ ।

ମହାକାଳ-ଚିତ୍ତ ତୃପତେ ଯେ ଜାତ

କରି ପାର୍ବତୀ ସୁନ୍ଦରୀ,

ଉତ୍ତର ସୀମାରେ ଶୋଭେ କି ସମ୍ମୁଚ୍ଚେ

ଧରି ଭତ୍ତୁଙ୍ଗ ଶିଖରୀ ।

ସେହି ସାନୁମାନ କୋଳୁ ହେ ତାପସ !

ବହେସ୍ୱଚ୍ଛ ବିଷ୍ଣୁପଦୀ,

ବିଷ୍ଣୁ ଲୋକେ ନେବା ପାଇଁ ନୀରେ ଥାଏ

ନିରତେ ପୁଣ୍ୟ ସମ୍ପାଦି ।

ସେ ପୂତ ସଲିଳା ତୀର ଅଟବୀରେ

ଆଶ୍ରମ ଅଟେ ଆମ୍ଭର,

ତବ ବନତ ଶୋଭା ବଳି ତା ଆଭା

ସୁଷମା ଭେଦେ ପ୍ରବର’ ।

ଏ ଆଶ୍ରମେ ତପୀ ନ ପାରୁଛି ଦେଖି

ସେ ଫଳ ଭରା ପାଦପ,

ଯା କାଷ୍ଠ ଭସ୍ମକୁ ବିଲେପନ କଲେ

ଶାନ୍ତି ହୁଏ ହୃଦତାପ ।

ସେ ତରୁ ବକ୍ୱଳ କେଡ଼େ ମନୋହର

ଚିକ୍‍ଣ ନାନା ବରଣେ,

ଥରେ ପରିଧାନ କଲେ ସିଦ୍ଧ ତପୀ

ଭୁଲିବ କି ଆଉ ମନେ ।

ଭୋଗିନାହୁଁ ଦିନେ ସେ ଆଶ୍ରମ ବନେ

ଶ୍ୱାପଦ-ଭୟ-ସଂହତି,

କୌଣପ କରାଳ ତ୍ରାସ ହେବା ଥାଉ

ଆଣିନାହୁଁ କେବେମତି

ପୂତ ଅନାବିଳ ଜାହ୍ନବୀ ସଲିଳ

ସ୍ନାନ ପାନେ ଆରାଧନା,

କରୁଁ ଅହରହ ତେଜି ଲୋଭ ମୋହ

ବିଷୟା-ବିଷ-ବାସନା ।

ଆମ୍ଭ ଆରାଧିତ ଦେବତା ମହତ,

ମିତେ* ଦିଅନ୍ତି ତ ମୁକ୍ତି ।

ମୋଦ-ସିନ୍ଧୁ ପ୍ରେମ ତରଙ୍ଗେ ଉଚ୍ଛୁଳେ

ଆଣି ମନେ ନବ ତୃପ୍ତି’’

ଚତୁରୀ ଜରତା ବୁଝି ଋଷ୍ୟ ଶୃଙ୍ଗ

ଶ୍ରବଣର ଆତୁରତା,

ଅଣାଇ ମଧୁର ସୁପକ୍ୱ ରସାଳ

ବୋଇଲା ‘‘ହେ ଶାନ୍ତ-ଚେତା ।

ପରଖତ ବାରେ ଏ ବନ କୁଟୀରେ

ଆମ୍ଭ ଆଶ୍ରମର ଫଳ,

ରସନାନୁ କୂଳ ଅବା ପ୍ରତିକୂଳ

ହିତ ବା ଅହିତ ଫଳ ?

ପୃଥୁଳ ରସାଳ ସଙ୍ଗେ ତପୀ-ବାଳ

ପକ୍ୱ କଦଳୀ ପନସ,

ସୁଷମ ଥାଳୀରେ ଜରତା ଗିରରେ

ତୃପତ କଲେ ମାନସ ।

ତପି ଅନୁରୋଧ ଅନୁକମ୍ପା ବୋଧ

କରି ବିଭାଣ୍ଡକ ବାଳ,

ସୁନ୍ଦରୀ ସୁନ୍ଦର କଥା ଚାତୁରୀରେ

କଲେ ସେ ଫଳ ଆହାର ।

ତା ପରେ ଜରତା ହୋଇ ଅନୁରକ୍ତା

ସପୁରି, ଜାମୁ, କମଳା,

ସୁ ପକ୍ୱ ଡାଳିମ୍ୱ ଏକ ପରେ ଏକ

ଦେଲା ହୋଇ ମୋଦ ଭରା ।

ପ୍ରସନ୍ନ ବଦନା ମାନସ-ମୋହନା

ମଦନ ଶାସ୍ତ୍ର କୁଶଳା,

ତାପସ-ମାନସ ଆକର୍ଷିଲା ହେଳେ

କରି ଭଙ୍ଗି ଭାଷା-କଳା ।

‘‘ଆମ୍ଭ ଆଶ୍ରମର ପୂତ ବିଭୂତି ହେ (ଏ)

ପରଖତ ମୁନିବର’’

ବୋଲି ବୋଳି ଦେଲା ସହାସେ କର୍ପୂର

ଧୂଳି ଘେନି ବେନିକର ।

ବିବିଧ ସୁପକ୍ୱ ଫଳ ଭୁଞ୍ଜି ତପୀ

ତନୁରେ କର୍ପୁର ବୋଳି,

ତାପସ ସୁଲଭ ଆହାର ତ କ୍ରମେ

ମନରୁ ଦେଲେ ପାଶୋରି ।

ମନ୍ତ୍ର ଉଚାରିତ ହୋମାଗ୍ନି ଥାପିତ

ଅବଶେଷ ପୂତ-ଭୂତି,

କୃଷ୍ଣା ଘନାବୃତ୍ତ ଆଦିତ୍ୱ ପରାୟେ

ଭଜିଲା ଚିତ୍ତେ ବିସ୍ମୃତି ।

ନବୀନ ଭୋଜନେ ଆଣିଦେଲା ମନେ

ନବ ନବ ଉତ୍ତେଜନା,

ନବୀନ ଆଳାପେ ନବୀନ ଶକ୍ତିରେ

ଆଳାପିଲେ ମହା ମନା ।

ମଧୁର ଆଳାପ ଅବସାନେ ହେଲା

ଆଶ୍ରମେ ସନ୍ଧ୍ୟା ଆଗତ,

ସକଳ ପ୍ରାଣୀଏ ହୋଇଲେ ସତ୍ୱରେ

ସ୍ୱକୀୟ କର୍ମୁ ନିବୃତ୍ତ ।

ଯେ ଆଶ୍ରମ ବନ ଶୋଭା ତପୋଧନ

ନିରେଖି ନିର୍ମଳ ସୁଖ-

ଲଭୁଥିଲେ ଏବେ ଦେଉଛି ତ ତାହା

ହୃଦୟେ ବିଚ୍ଛେଦ ଦୁଃଖ ।

ମାଳତୀ, ନିଆଳୀ ଯୁଈ, ଜାଈ, ମଲ୍ଲୀ,

ଚମ୍ପା, ଗୋଲାପ, ଟଗର

ପାଶୁଁ ପ୍ରେମ-ଅଳି ବରଜି କି ଅଳି

ପ୍ରଦୋଷେ ଫେରନ୍ତି ଘର ?

ସୁ-ରୂପେ ସୌରଭେ ସୁମନେ କି ମୋଦେ

ମୋହୁଥିଲେ ଜନ ମନ,

ପ୍ରଦୋଷ ଆଗମେ ଦୁଃଖେ ମଉଳିଲେ

ତେଜି ଅଳି-ସମ୍ଭାଷଣ ।

ଖେଚରେ ଭୂଚରେ ଯେତେ ଜଳ ଚରେ

ସାରି ଦିନ କର୍ମ ରାଜି,

ସ୍ୱଗୃହେ ଗଗନ କରନ୍ତି ବହନ

ନେତ୍ର ସମକ୍ଷେ ବିରାଜି ।

ରସାଳ ପଲ୍ଲବ ବିପିନୁ ଯେ ପୀକ

ଢାଳୁଥିଲା କୁହୁତାନ

ସାନ୍ଧ୍ୟ ଆଗମନ ବୁଝି ବିଷାଦରେ

ମଉନେ ଲଭିଲା ମ୍ଳାନ ।

ବିପିନ ସୁଷମା ପସରା ଯେ ଶୁକ

ଶାରୀ ତେଜି ମଧୁ-ବୀଣା,

ବିଷାଦେ ରହିଲେ ସତେ କି ସେ ଦିବା

ସମ୍ପଦେ ସତତେ କିଣା ।

ଚତୁରୀଏ କଲେ ଚଞ୍ଚଳ ଅପାଙ୍ଗେ

ଚାରି ଦିଗ ନିରୀକ୍ଷଣ,

ଦେଖିଲେ ଅଦୂରେ ପାଦପ ଉଢ଼ାଳେ

ଆସେ ଏକ ତପୋଧନ ।

ଶୁକଳ ସଶ୍ମୃକୁ ଶିର ଜଟାଭାର

ଶୋଭେ କରେ କମଣ୍ଡଳୁ ।

ସାରା ତନୁ ଦେଶ ଭସ୍ମ ବିଲେପିତ

କିବା ପାପ ହନ୍ତକାରୁ ?

ଅର୍ଦ୍ଧସ୍ମିତ ହାସେ ଜରତା ସରସେ

ବୋଇଲା ‘‘ହେ ତପୀବର !

ଆସିଲାଣି ଏବେ ଘୋଟି ଚଉଦିଗେ

ବିଭାବରୀ ତମ ଘୋର ।

ଚଳିଲେଣି ସର୍ବ ପ୍ରାଣୀଏ ଏକାଳେ

ତେଜି ପ୍ରେମ-ସମ୍ଭାଷଣ,

ଯିବୁ ଆମ୍ଭ ବାସ ଦିଅ ହେ ତାପସ

ମେଲାଣି ମୋଦେ ବହନ ।

ଯାଉଅଛୁ ବୋଲି ଆସିବୁ ତ କାଲି

ନକର ଅନ୍ୟ ଭାବନା,

ରବି ଦରଶନ ବିହୁନେ କି କେବେ

ନଳିନୀ ଆନନ୍ଦ ମନା’’ ?

‘‘କି ଅମୃତେ ଆସି କି ଆଳାପେ ତୋଷି

କାହିଁ କରିବ ପ୍ରସ୍ଥାନ,

ତବ ଉତ୍ସୁଙ୍ଗରେ ପ୍ରେମ ପ୍ରସଙ୍ଗରେ

କୁତୁହଳେ ନେଲି ଦିନ ।

ସତେ କିହେ ଆସି କାଲି ପରଭାତେ

ଦେବ ମତେ ଦରଶନ,

ନହେଲେ ନିଶ୍ଚୟେ ଏ ପର୍ଣ୍ଣକୁଟୀରେ

ହୋଇବି ସିନା ବିଷର୍ଣ୍ଣ ।

‘‘ଆସିବୁ ହେ’’ କହି ଲତା ଅନ୍ତରାଳେ

ଲୁଚିଲେ ସର୍ବ ଲାଳନା,

ନିଶି ଶେଷେ ଆସି ତାପସ ମାନସ

ମୋହିବା କରି ଭାବନା ।

ଦିବା ଅବସାନ ହୁଅନ୍ତେ ଫେରିଲେ

ବିଭାଣ୍ଡକ ତପୋଧନ,

ଆଶ୍ରମ କୁଟିରେ ପୁତ୍ରସଙ୍ଗେ ବସି

କରିବେ ରାତ୍ରି ଯାପନ ।

ନିରେଖି ସମକ୍ଷେ ଜନକ ଆଗମ

ଧୋଇଦେଲେ ନୀରେ ପାଦ,

ଆଣି କୁଶାସନ ପାରିଲେ ହେବାକୁ

ପଥଶ୍ରମ ଅବସାଦ ।

ବିଷୟା ଜଞ୍ଜାଳ ମାୟିକ ଅଝାଲ

ଜନମୁ ଯା ସ୍ପର୍ଶନାହିଁ,

ସଂପଦ ବିଳାସ କପଟ-କୁହୁକ-

ଭାବ ସେ ବୁଝିବେ କାହିଁ ?

ବର୍ଣ୍ଣି ବସିଲେ ସେ ପିତା ଆଗେ ବେଶ୍ୟା

ସ୍ନେହ-ପୂର୍ଣ୍ଣ ସମ୍ଭାଷଣ,

ହିମାଦ୍ରି ଆଶ୍ରମ ନବ ଅତିଥିଙ୍କ

ଦିବସର ଆଗମନ ।

ଆସିଥିଲେ କେତେ ତାପସ ପହରି

ସୁନ୍ଦର ତରୁ ବକ୍ୱଳ,

ଭୁଞ୍ଜାଇଲେ ମତେ ଆଶ୍ରମ ଆନୀତ

ସୁପକ୍ୱ ସୁସ୍ୱାଦୁ ଫଳ ।

ଦେଖ ହେ ଜନକ ! କି ସୌରଭ ପୂର୍ଣ୍ଣ

ମୋ ଅଙ୍ଗବୋଳା ବିଭୁତି,

ଯା ଯୋଗେ ଆମ୍ଭର ଆଶ୍ରମ ବିଭୂତି,

ଭଜୁଛି କ୍ରମେ ବିସ୍ମୃତି ।

ଆଣିଥିଲେ ସଙ୍ଗେ ମଧୁର ଯନ୍ତ୍ର ହେ

ବାଇଲେ କି ମଧୁରଙ୍ଗେ,

ଆମ୍ଭ ଏ ଆଶ୍ରମ ବନ ମଧୁତାନ

ଧଇଲା ନବ ଉତ୍ସୁଙ୍ଗେ ।

ବର୍ଣ୍ଣିଲେ ଯା ବସି ହୋଇ ଅତି ତୋଷି

ସେ ଆଶ୍ରମ-ମଧୁରତା,

ମନେ ହେଲେ ପିତା ଦେଖିବା ନିମନ୍ତେ

ଉପୁଜେ ସ୍ନେହ-ମମତା ।

ମରକାୟେ ଦେଖି ଅମର ବୈଭବ

ପ୍ରକୃତିର ଚିତ୍ର-ଶାଳା,

ଜୀବନେ ସେ ଚିନ୍ତା କରିବି ସତତେ

ଜନନ ହେ ! ଗଳାମାଳା’’ ।

ଶୁଣି ବିଭାଣ୍ଡକ ହୋଇଣ ସଂଶଙ୍କ

ବସିଲେ ଗୂଢ଼ ଧିଆନେ,

ବସି ସେ ବାସର ବିଷୟ ସକଳ

ଜାଣିଲେ ଆପଣା ମନେ ।

ବେଶ୍ୟା ପ୍ରତାରଣା ବୁଝି ମହାମନା

ଭାଷିଲେ ଆଶ୍ୱାସ ବାଣୀ,

‘‘ବାଲ୍ୟ ଚପଳତା ବଶେ ବୁଦ୍ଧି ବଣା

ହେବା କି ଯୋଗାଏ ଜ୍ଞାନୀ ।

ମୁନି ବୋଲି ଯାକୁ ଭାବିଛ ସଂପ୍ରତି

ଅଟନ୍ତି ସେ ବାର ବାମା,

ମୃଦୁଭାଷେ ତବ ମନୁ ନେବେ କିଣି

ନିମିଷରେ ମନୋରମା ।

ଆଶ୍ରମ ପାଳିତ ସନ୍ତାନ ନିମନ୍ତେ

ସତତେ ସିନା ସଂଯତ,

ଯୋଗାଏରେ ଧନ ଅନ୍ୟ ଧର୍ମେ ଯିବା

ଅଟେ ଘୋର ଅସଙ୍ଗତ ।

ଧର୍ମ ଅଟେ ସତ୍ୟ ନୁହଇ କଳ୍ପିତ

କିବା ପ୍ରଚାରିତ କଥା,

ଧର୍ମେ ଚରାଚର ଲୋକର ପ୍ରତିଷ୍ଠା

ଆତ ଯାତ ତ ସର୍ବଥା ।

ନ ଥାଇ ଏହାର ଉତ୍ପତ୍ତି ସଂହାର

ନ ହୁଏ ପରିବର୍ତ୍ତିତ,

ଜନମନୁ ତ୍ରାସ ଦୂର କରି ଦିଏ

ଜଗତେ ସୁଖ ବାଞ୍ଚିତ ।

ସ୍ୱଧର୍ମ ପାଳନ ଅଟେ ବଡ଼ପଣ

ପର ଧର୍ମ ଅତିହୀନ,

ସ୍ୱଧର୍ମେ ନିଧନ ଶ୍ରେୟ ବୋଲି ଜାଣ

ଆନେ ସୁଖ ଘୋର ଘୃଣ୍ୟ ।

ବିଷୟା ଭୟରେ ଏଥି ମୁଁ ବଳାରେ

ତପକର୍ମେ ଥିଲି ରତ,

ଈର୍ଷାବଶେ ଇନ୍ଦ୍ର ଆଦେଶେ ଉର୍ବସୀ

କଲା ସହସା ବିରତ,

ଘୋର ସାଧନାର ବିନିମୟେ ତତେ

ପାଇଲି କୁମର କରି,

ଆଶ୍ରମ ଧରମେ ଆଜନ୍ମୁ ପାଳିଲି

ଚିତ୍ତେ ପ୍ରସନ୍ନତା ଭରି ।

ଅନୁସରି ଏବେ ନାରୀ ପ୍ରତାରଣା

ଆଶ୍ରମ କରମେ ହେଳା,

କଲେ କୁମରରେ ଅତଳ ସାଗରେ

ନିଶ୍ଚେ ବୁଡ଼ିବ ମୋ ଭେଳା ।

ଉଭେଇବ ତେଜ ଲୁଚିଯିବ ଓଜ

ଭାଙ୍ଗି ଘୋର ସାଧନା,

ବିଷୟା ପଙ୍କରେ ନିମଜ୍ଜି ଶେଷରେ

ହେବୁ ସିନା ଦୁଃଖ ମନା ।

ଏ ଘୋର ସାଧନ ଲଭିବ ନିଧନ

ଶିଶିରେ କମଳ ସରି,

ନ ଭୁଲ ସେ ନାରୀ କୁଟୀଳ ଚାତୁରୀ

ଦେଖି ହେବୁ ହତଶୀରି ।

କାମ-ବଡ଼ଶୀରେ ନେବେ ଗୋପନରେ

ଟାଣିତବ ମନ-ମୀନ,

ପଶିଲେ ବିଷୟା ପଙ୍କରେ କି ଆଉ

ହେବ ଧରମ ସ୍ପନ୍ଦନ ।

କହି ବିଭାଣ୍ଡକ ବିଶ୍ରମିଲେ ଯାଇ

ପ୍ରବେଶନ୍ତେ ବିଭାବରୀ,

ବିଭୀଷିକା ପୂର୍ଣ୍ଣ ତାମସ ଶେଷରେ

ବିରାଜିଲା ଉଷାଶୀରୀ ।

ପ୍ରତିକ୍ଷଣ ଡେଣା ପ୍ରତିକ୍ଷଣେ ଚାଳି

ଗଗନେ ବାୟସ ଗଣ,

ଶର୍ବରୀ ସୁଷୁପ୍ତ ମାନବ ଦୁଆରେ

ଡାକଦେଲେ ଘନ ଘନ ।

ଗଲେ ଛାଡ଼ିହୃଦ ପ୍ରେମ ଗଣ୍ଠିଧନ

ନୟନାନନ୍ଦ ପସରା,

ଭୀଷଣ ବିରହ ବାଧାରେ ପ୍ରେମିକା

ହୁଏ ଯେହ୍ନେ ବୁଦ୍ଧି ହରା ।

ଦେଖି ତେହ୍ନେ ପରା ରବି ଅବସାନ

ସରସୀରେ ସରୋଜିନୀ,

ମଳିନ ବଦନେ ଭାବି ବସିଥିଲା

ସଲିଳେ ଅଭିମାନିନୀ ।

ନିଶା ନିନାଦିତ ଅଶିବ ସଂକେତ

ଉଲ୍ଲୁକ ରାବ ଶ୍ରବଣେ,

ବିଚ୍ଛେଦ ବେଦନା ସଙ୍ଗେ ପରା ସତେ

ବହିଥିଲା ଭୟମନେ ।

ସ୍ୱଭାବ ସୁଧୀର ପୂତ ମୁ ବିମଳ

ସୁଷମ ପଦ୍ମିନୀ-ରାଣୀ,

ଶୁଣନ୍ତା କେସନେ ଶୁଭ୍ର ସରସୀରେ

ଅଶିବ ସଙ୍କେତ ବାଣି ।

ସରୋବର ଜଳେ ହୋଇ ଦଳେ ଦଳେ

ଖେଳିଲେ ମରାଳ ପଂକ୍ତି,

ଉଷା ମନ୍ଦଶୀତ ସମୀରଣେ କେଡ଼େ

ସୁନ୍ଦରେ ପୁଷ୍ପେ ଦୋଳନ୍ତି ।

ଉଡ଼ିଲେ ମଧୁପେ ମଧୁପାନ ଆଶେ

ମଧୁର ଗୁଣୁ ନିସ୍ୱନେ,

ମାଧବୀ ମାଳତୀ ମୋହି ନେଲେ ମନ

ସଉରଭ ବିତରଣେ

ବିଭାବରୀ କାଳେ ଥିଲା କି ନିଶ୍ଚଳେ

ଏହି ବିଶାଳ ସଂସାର,

ପ୍ରତ୍ୟୁଷେ ପ୍ରକୃତି ଶୀରିରେ ଫୁଟିଲା

ଶୁଭ୍ର ଝଳି ଲାବଣ୍ୟର ।

ନୟନ ରଞ୍ଜନ ଲୋହିତ ଅରୁଣ

ଦିଶିଲା ପରାଚୀ କୋଣେ,

ବିଦାୟସ କୋଳେ ବିବିଧ କାକଳୀ

କରିଗଲେ ପକ୍ଷୀଗଣେ ।

ନିଶା ଅବସାନ ଜାଣି ବିଭାଣ୍ଡକ

କୁଟୀରୁ ଉଠି ବହନ,

ପବିତ୍ର ପ୍ରଭାତେ ସୁବିମଳ ଚିତ୍ତେ

କଲେ ସେ ଅବଗାହନ ।

ଋଷି ଶ୍ରେଷ୍ଠ ଋଷ୍ୟ ଶୃଙ୍ଗ ହୋଇ ତୋଷ

ପିତା ସଙ୍ଗେ ସ୍ନାନସାରି,

ପ୍ରକୃତି ପରମା- ନନ୍ଦ ସ୍ୱଚ୍ଛ ଦିବା–

ଭାଗେ ହେଲେ ତପଶ୍ଚାରୀ ।

ପ୍ରାଚୀ ଦିଗାଙ୍ଗନା କପୋଳ ଶୋଭନ

ଦିଶିଲେ ପଦ୍ମିନୀ ବନ୍ଧୁ,

ହସଇ ପ୍ରକୃତି କି ନବ ସମ୍ଭାରେ

ଘେନି ସଉନ୍ଦର୍ଯ୍ୟ-ସିନ୍ଧୁ ।

କମଳ ବିକାଶେ- ବ୍ୟାଜେ ସରସୀରେ

ହସି ଉଠେ ଶତ ମୁଖେ,

ଅପୂର୍ବ ଆହ୍ଲାଦ ଜାଗେ ସର୍ବ ହୃଦ

ସତ୍ୱର ସକଳେ ସୁଖେ ।

ନିଶି ବିଷାଦିତ କିଶଳୟ-ନେତ୍ର-

ଲୋତକ ଅରୁଣ କରେ,

ପୋଛି ଦିଅନ୍ତି କି ଉଲ୍ଲାସେ ଉଷାରେ

ଉଇଁ ସେହି ପ୍ରାଚୀ ମୂଳେ ?

ପ୍ରତ୍ୟୁଷ ସୁଷମ ଗୁଣ ମନୋରମ

ନିରେଖି ମହା ସାଗର,

ଅଲିଙ୍ଗନେ ସତେ ତତ୍ୱର ହୋଇକି

ପ୍ରସାରେ କଲ୍ଲୋକ କର ।

ପବିତ୍ର ପ୍ରଭାତେ ବିଭାଣ୍ଡକ କେତେ

କୁମରକୁ କରି ମନା,

ଗଲେ ଶେଷେ ଦୂରେ ତପ ସାଧନରେ

ନିବେଶି ସ୍ୱୀୟ ବାସନା ।

ଅମୃତ ସନ୍ତାନ ଅମୃତ ସନ୍ଧାନ

ଆଶେ ସଦା ତାଙ୍କ ଲୟ,

ବିଶ୍ୱ-ବିଷ-ମୋହ ଅପତ୍ୟ ସେନେହ

କରି କି ପାରେ ଅଥୟ ?

ସଜ୍ଜିତ ତରଣୀ ବକ୍ଷେ ଚତୁରୀ ଏ

ଶୟନେ କାଟି ଶର୍ବରୀ,

ପ୍ରଭାତ ଆଗମେ ମୁନି-ମନ ମୋହେ

ଭୂଷିତ ହେଲେ ସୁନ୍ଦରୀ !

କେହୁ କଳ କଣ୍ଠ- କଣ୍ଠି କଙ୍କତିକା

ଧାରେ ସଜାଡ଼ି କୁନ୍ତଳ,

ଶତ ଦାହ-ବଦ୍ଧ ମୁକୁରେ ବଦନ

ଶୋଭା ଦେଖେ ଥରୁ ଥର ।

ପ୍ରୀତି-ମୂର୍ତ୍ତି-ଲତା ହେବାକୁ ବନିତା

କେ ପିନ୍ଧି ଝୀନ ବସନ,

ଦିଗନ୍ତ କମ୍ପାଏ ବିନ୍ଧି ମନ୍ଦହାସେ

କଟାକ୍ଷ ଶର ମୋହନ ।

କେ ଧରି ମର୍ଦ୍ଦଳ ଟିପେ ଖରତର

ମୋହିବ ବୋଲି ମାନସ,

କେତକୀ ପାଖୁଡ଼ା କେ କରଇ ବେଢ଼ା

ଖୋଷାରେ ହୋଇ ସରସ ।

ବୀଣା-ଗୁଣ-ଜିଣା ଭାଷି କେ ଲଳନା

ଝୁଣ୍ଟିଆ ବାନ୍ଧି ପାଦରେ,

ମନ୍ଦ ହାସେ ସତେ ! ପରଖେ ତ ଥରେ

ଚାଲି ସେ ବନ ପଥରେ ।

ବାର ବାର ବାମା ହୋଇ ମନୋରମା

ବିବିଧ ଦେଶ ଭୂଷଣେ,

ଋଷ୍ୟ ଶୃଙ୍ଗ ଋଷି ପାଶେ ହୋଇ ତୋଷି

ଗଲେ ଦେଖି ନିକାଞ୍ଚନେ ।

ବାଇ ବୀଣା ରଙ୍ଗେ ଆଳାପ ଉତ୍ସୁଙ୍ଗେ

ହରି ନେଲେ ମୁନି ମନ,

ଧ୍ୟାନ ଭାଙ୍ଗି ତପୀ ହୋଇ ମହାତାପୀ

ଲୋଡ଼ିଲେ ସ୍ୱାଦୁ ଭୋଜନ ।

ଏକାଳେ ଜରତା ହୋଇ ଅନୁରକ୍ତା

ମିଷ୍ଟାନ୍ନ ଥୋଇ ଅଗ୍ରତେ,

ବୋଇଲା ‘‘ବହୁତ ଦ୍ୱରୁ ଆଣିଛୁ ହେ

ଯଥାବିଧି ଜାଗରତେ ।’’

ଦେଇ ନାନାବିଧ ଭୋଜନ ବିଶିଷ୍ଟ

ଇନ୍ଦ୍ରିୟ ଚାଳିଲେ ନାରୀ,

ସ୍ୱୀକାର ବିକାର ସ୍ମିତ ତପୀବର

ବଦନେ ତ ହେଲା ବାରି ।

ତପୀ ଅଙ୍ଗ ଭଙ୍ଗୀ ଚାହିଁ କୋମଳାଙ୍ଗୀ

ଜାଣି ଅଙ୍ଗୀକାର ସଙ୍ଗ,

ଅତି ପ୍ରସନ୍ନରେ କାନନ କୁଟୀରେ

ପ୍ରକାଶିଲେ ନବରଙ୍ଗ ।

କେ ସଖୀ ସତ୍ୱରେ ଗମି ସମ୍ମୁଖରେ

ଥୋଇଲା ମାଜି ଦର୍ପଣ,

ବୋଲାଇ ‘‘ଆପଣା ମୁଖ ଶୋଭା ତପୀ

କରବାରେ ଦରଶନ ।

ଆଉ କେ ଲଳନା ହୋଇ ସୁପ୍ରସନ୍ନା

ଫିଟା ଅନ୍ତେ ଜଟାଭାର,

ହିମାଳୟ ପର କୃଷ୍ଣ ଘନ ଧାଡ଼ି

ନିନ୍ଦିଲା ତ ବାରମ୍ୱାର ।

ସୁବାସିତ ତୈଳେ ମାଜି କି ମଞ୍ଜୁଳେ

ସାଜି ଦେଲା ଜଟା-ରାଜି,

କେତକୀ ପାଖୁଡ଼ା ବେଢ଼ା ବିଶ୍ୱ କେତୁ-

କେତୁ ସମ ଦୂରେ ରାଜି ।

ଆଉ କେ ନାୟିକ ଉଭା ହୋଇ ଏକା

ଖୋଷି ଦେଲା ମଲ୍ଲୀ-ଗଭା,

ନୀଳ ଘନ କୋଳ ଉଦିତ ତପନ

ଭଳି ବିକାଶିଲା ପ୍ରଭା ।

ଜରତା ସେ କାଳେ କି ହୁନ୍ଦରେ ତପୀ

କପୋଳେ ସିନ୍ଦୁର ଗାର,

କାଟିଲା ପ୍ରସନ୍ନେ କନ୍ଦର୍ପ ବନ୍ଧନେ

ସେ କି କୁହୁକିନୀ ଧାର ।

କାନନ-ଆଶ୍ରମ ପୂତ ଧର୍ମ-କର୍ମ

ପ୍ରବେଶରେ ଅନ୍ତରାୟ,

ହେଉ ବୋଲି ସତେ ସରସେ ସୁନ୍ଦରୀ

କଲା କିବା ମନ୍ତ୍ରଚୟ ।

ଜ୍ୟୋତି ଯୁକ୍ତ ମୋତି ମାଳ କେ ସିମନ୍ତୀ

ଶ୍ରଦ୍ଧାରେ ବାହାର କରି,

ମୁନି ଗ୍ରୀବା ଦେଶେ ମଣ୍ଡିଲା ସରସେ

ପ୍ରୀତି-ପଥ ଅନୁସରି ।

କୋଟି ଦୃଷ୍ଟି ହରା ମୁକୁତାର ଝରା

ନୟନ-ସୁଖ-ପସରା,

ବହି ଅଙ୍ଗେ ମୋଦେ ବସିଲେ ତାପସ

ନବ କାମେ ହୋଇ ତୋରା ।

ଅସିତ ଲୋହିତ ପୀତ ସୁମନସ

ଗୁନ୍ଥା ମାଳଟିଏ ଆଣି,

ଲମ୍ୱାଉ କେ ସଖୀ ଋଷ୍ୟଶୃଙ୍ଗ ଦେଖି

ଆଲିଙ୍ଗିଲେ ଟେକି ଠାଣି ।

ଶମ୍ପ କମ୍ପ ଚମ୍ପା ଚରନା ଚତୁରୀ

କେ ଧରି କୋଳେ ଚଞ୍ଚଳ

ବୋଲେ ‘‘ତୁମ୍ଭେ ତପୀ ତରଣୀ-ରତନ

ତାରଣେ କାମ-ସାଗର !

ଭାସେ ଚାଟୁ ଗିର ଅବୟବ ପୂରି

ପୁଲକେ ଥରିଲା ତନୁ,

ଜୃମ୍ଭାଦି ଆଳସ୍ୟ ଭଙ୍ଗି ସୁସରସ

ବିକାରେ ବିକାଶି ମନୁ ।

ଦେଖି ନାରୀ ରୀତି ଋଷ୍ୟଶୃଙ୍ଗ ମତି

ସମ୍ଭୋଗେ ହେଲା ଆସକ୍ତ,

ବେଶ୍ୟା ଅଙ୍ଗ ଭଙ୍ଗୀ ବସନ ଭୂଷଣ

ଦିଶିଲା ତ କାମ ଯୁତ ।

ଋଷ୍ୟଶୃଙ୍ଗ କୋଳେ ଚତୁରୀ ଆସୀନ

ଦର୍ଶନେ ହେଲା ପରତେ,

କନକ-ପିତୁଳା ଯନ୍ତ୍ର ନୃତ୍ୟ ତୁଳା

ସତେ କି ହେବ ଏ ମର୍ତ୍ତ୍ୟେ ?

ତହୁଁ ସେ ନାଗରୀ କୋଳରୁ ଉତୁରି

ଗଲା ସସ୍ମିତେ ଅଳପ,

ବସିଲା ତ୍ୱରିତ ଜରତା ରଚିତ

କୁସୁମ ସଜ୍ଜିତ ତଳ୍ପ ।

ସେ ବାମା ଚାତୁରୀ କଟାକ୍ଷ ମାଧୁରୀ

ନିରେଖି କାମେ ବିକଳ,

ହୋଇ ତପୀବର ଚଳିଲେ ଚଞ୍ଚଳ

ପୁଷ୍ପେ ଯଥା ଅଳିକୁଳ ।

ତପୀ ଆଗମନ ନାଗରୀ-ରତନ

ଦେଖି କଲା ଆଲିଙ୍ଗନ,

ବାମ ଭୂଜ ତୋଳି ଆଶ୍ଲେଷେ ସେ ଆଳୀ

ଆଉ ଜାଇ ଉରେ ତୂର୍ଣ୍ଣ ।

ବାମେ ତର କର ଚିବୁକରେ ଦେଇ

ପକାଇ ବାଙ୍କ ଚାହାଁଣୀ ।

ବୋଇଲା ରସିକା ‘‘ହେ ରସିକ ବର !

ତୁମ୍ଭେ ମୋ ହୃଦୟ-ମଣି ।

ତବ ଯୋଗ ଯୋଗେ କନ୍ଦର୍ପ ତ ବେଗେ

ତଳିବ ବାହି ତା ବଳ,

ନବ ସୁରସରେ ନବୀନ ତାପସ

ହେବ ଯେବେ ଖରେ ମେଳ ।

ଯୋଗୀ ହେଲେ ଭୋଗୀ ନୁହନ୍ତି କି ଲଭି

ପ୍ରମଦା-ପ୍ରେମ-ବଲ୍ଲରୀ,

ପକ୍ୱ-ରତି-ଫଳ ସର୍ବ ସୁଖ ମୂଳ

ଅପାର ପୁଲକ ଭରି ।

ସୁଧା-କୁମ୍ଭ-ସ୍ତନ ବହିବ ଯେ ଜନ

ଶିବ-ସେବା-ଫଳ ହେବ,

ତପ କର୍ମେ ତପୀ ହେଉଥିବ ତାପୀ

ସେକି ସଦ୍ୟ ଫଳ ଦେବ ।

ମହତ ପୀରତି ଶୁଣ ଆହେ ଯତି

ନତୁଟେ ତିଳେ ବିଷାଦେ,

ଚର୍ବିତ ହୋଇଲେ ବେଳୁ ବେଳ କେବେ

କମଇ କି ଇକ୍ଷୁ ସ୍ୱାଦେ ।

ଦୀପ୍ତ ଦହନରେ ଦହି ଦେଲେ ନେଇ

ନିଷ୍ପ୍ରଭ କି ହେମ ଭାତି,

ନିର୍ମଳ ପୀରତି ଅନ୍ତରାୟେ ଅତି

ଉଠେ ପ୍ରକାଶି ତା କାନ୍ତି ।

ମାନ-ଅଭିମାନ ବିଧାତା-ବିଧାନ

ପ୍ରେମ ପରମ ସମ୍ୱଳ,

କ୍ଷୁଦ୍ର ଶାଖା ଚ୍ଛେଦି ଯେସନେ ସମ୍ପାଦି

ଥାଏ ମୂଳ ଶାଖା-ବଳ ।

ନିକୃଷ୍ଟ ପୀରତି କେହି ନ ବରନ୍ତି

ଉତ୍ତମ ଅତି ମୋହନ,

କୁସୁମ-ସୁବାସ କରେ ସିନା ଧରା

ଧରାକୁ କି ପୁଷ୍ପ-ମନ ।

କେତେ ବାଧା ବିଘ୍ନ ଆସି ତପୋଧନ

ନଟଳାଏ ପ୍ରେମ-ବଳ,

ଶଶି-ସୂର୍ଯ୍ୟ କେବେ ତିମିର ଦାଉରେ

ଭୁଲିଛନ୍ତି ସ୍ୱୀୟ କର ?

ପୀରତି ହିଲ୍ଲୋଳେ ପ୍ରେମିକ ସତତେ

ହୁଏ ଖରେ ନିମଜ୍ଜିତ,

ପ୍ରେମିକ-ପୀରତି- ଅକୂପାରେ ସଦା

ନିବେଶି ମନ-ସରିତ ।’’

ବେଶ୍ୟା ବାଣୀ ଶୁଣି ଋଷ୍ୟଶୃଙ୍ଗ ମୁନି

ହେଲେ ମନେ ମନେ ଗୁଣି,

ରତିରସ ଆଶେ ବାର ନାରୀ ପାଶେ

ଚାଟୁରେ କଲେ ମାଗୁଣୀ ।

ଆଜନମ ତପୀ ହୋଇ କାମେ ତାପି

ପାଶୋରି ଆଶ୍ରମ କର୍ମ,

ନାରୀ ସମ୍ଭାଷଣ ଶିଖିଲେ ବହନ

ମାର ମାରିଲାତ ମର୍ମ ।

ବୋଇଲେ ତାପସ ‘‘ଆଗୋ ! ନାରୀ ଈଶ

ଦେଖ ମୁଁ ମାର ମାରଣେ,

ମରି ଯାଉଅଛି ତାର ତୁ ଚଞ୍ଚଳେ

ରତି ସଞ୍ଜିବନୀ ଦାନେ ।

ପର ଉପକାର କରନ୍ତିରେ ବାଳା

ସର୍ବ ସ୍ଥାବର ଜଙ୍ଗମ,

ରତ୍ନାକର-ରତ୍ନ ନିକର କି ଆସି

ନ ଶୋଭଇ ରାଜ-ହର୍ମ୍ମ୍ୟ ।

ବିନ୍ଧ୍ୟ ସାନୁ ମାନ ବିହାରୀ ବାରଣ

ଗଣ କି ନୃପ-ଉଲ୍ଲାସ,

ନ କରନ୍ତି ସତେ ବିହରି ଉଷତେ

ଅବିରତେ ଭୂପ-ବାସ ।

ମଳୟ ପର୍ବତ ନିର୍ଗତ ମହତ

ଚନ୍ଦନ ସୁବାସ ରାଶି,

ସ୍ୱୀୟ ଭୋଗ ଆଶ ନ ରଖିଣ ଲେଶ

ଅପରେ ଥାଏ ପ୍ରକାଶି ।

ନ ଜାଣୁ କି ସଖୀ ସମୁଦ୍ର ପରଖି

ଜାତକରି ହଳାହଳ,

ସୁର-ନର-ପ୍ରାଣ ଉଦ୍ଧାରଣ ଭାବି

ପାନ କଲେ ମହାକାଳ ।

ବିପିନ ନିବାସୀ ପୂତ ତାପସକୁ

ବିହିଲେ ଏଥି ମରଣ,

କି ଯଶ ଲଭିବୁ ଚଳାପାଙ୍ଗୀ କହ

ନିନ୍ଦାରେ ହେବୁ ଭାଜନ ।’’

ଭକ୍ତି ପ୍ରତ୍ୟୁକ୍ତିରେ ଯାନ୍ତେ କେତେକାଳ

ରତିରସେ ହେଲେ ମଗ୍ନ,

ମନସିଜ-କଳା କୁଶଳା ପାଶରେ

କରି ସେ ଅନୁକରଣ ।

ପୀରତି-ସନ୍ଦର୍ଭ- ଗର୍ଭ-ପଦ-ନ୍ୟାସ

ଏ ପଦୁ ସେ ପଦସୁଖ,

କଳା କାଗଜରେ ରଙ୍ଗ ବର୍ଣ୍ଣାବଳୀ

ମଧୁରେ ଯେହ୍ନେ ପରଖ ।

ସରୋଜ ବଦନା କୁନ୍ଦଦନ୍ତୀ ବାଳ ।

କୋମଳାକୁ ନେଇ କୋଳେ,

ସଦାଶିବ କୋଳ ପାର୍ବତୀ ସୁଷମା

ବଳାଇଲେ ସେହି କାଳେ ।

ବଦନେ ବଦନ ମିଶାନ୍ତେ କିମନ୍ତ୍ର

ତରଳାଷୀ ତୁନିକରି,

ଦେଲା ଯା ବଶରେ ମଧୁ ପରିଣୟେ

ମାତିଲେ ତପୀ-କେଶରୀ ।

ଲାଜ ବ୍ୟାଜ ଧୈର୍ଯ୍ୟ କିଅବା ଗାମ୍ଭୀର୍ଯ୍ୟ

ନବାରି ମାତିଲେ ରସେ,

ମହୀ ମୋହନାର ମଦନ ମୋହରେ

ଆଜନ୍ମ ତାପସ ହର୍ଷେ ।

ରତିଶେଷେ ନବ ଆସକତି ଘେନି

ମିଳିଲେ ଅନ୍ୟ ସୁନ୍ଦରୀ,

ଏକମେଳ ହୋଇ ମୁନି ଅଗ୍ରତରେ

ଟେକିଲେ ଗୀତ ଲହରୀ ।

କହିଲେ ସଂଗୀତେ ‘‘ଆସ ମହାମତେ

ଯିବାଆମ୍ଭ ତପୋବନ,

ପ୍ରକୃତି ସୁଷମ ପସରା ସେ ସ୍ଥଳ

ହରିବ ଦର୍ଶକ ମନ ।

‘ପରାଣୁ କି କେବେ କରିପାରୁ ଦୂର

ପରାଣ-ପରଶ-ମଣି,’

ବାରିଦ-ବିହୀନେ ଚାତକ ସତତେ

ଦୁଃଖ ନଥାଏ କି ଗଣି ।

ତବ ଅଙ୍ଗସଙ୍ଗ ପାଇ ହେଲା ଭଙ୍ଗ

ପଥ-କଷଣ-ସଂହତି,

ଶ୍ୱାପଦ ସଂକୁଳ ବିଜନ ବିପିନ

ଭୀତ ନ ଆଣିଲୁ ମତି ।

ତବ ଦରଶନ ବିହୁନେ ତ ହେବୁ

ବିଧୁହୀନ କୁମୁଦିନୀ,

ବିରହ ବିଷାଦ ତାପେ ସିନାତପୀ

ଯାପିବୁ ଦିବା-ଯାମିନୀ ।

ବହୁଦିନୁ ତେଜି ଆସିଛୁ ତ ଆମ୍ଭେ

ଆଶ୍ରମ ପଡ଼ୁଛି ମନେ,

ସରଗ ସମ୍ପଦ ଲଭିହେବୁ ମୋଦ

ତବ ତହିଁ ପଦାର୍ପଣେ ।’’

ଋଷ୍ୟଶୃଙ୍ଗ ଋଷି କାହୁଁବା ବୁଝିବେ

ବାର ବାମା କୂଟନୀତି,

ରସି ସେ ଆଶ୍ରମ ସୁଷମା ଦର୍ଶନେ

ବଳାଇଲେ ଖରେ ପ୍ରୀତି ।

ବୁକୁତଳେ ନାଚେ ବନ ତାପସର

ନବୀନ ଉତ୍ସାହ-ରେଖା,

ତାକୁ ନେଇ ବେଶ୍ୟା ବିଶିଷ୍ଟ ଜରତା

ଲେଖେ କେତେ ମନେ ଲେଖା ।

‘‘ହା ଅନ୍ନ’’ ନାଦିତ ବହୁ ବିଷାଦିତ

ନୀରସ ଅଙ୍ଗ-ମାଟିରେ,

ଋଷ୍ୟଶୃଙ୍ଗ ଋଷି ଗମନେ କି ସତେ

ବର୍ଷିବେ ନୀରଦେ ନୀରେ ।

ପୂତ ତପ ହୋମ ମନ୍ତ୍ର ଉଚ୍ଚାରିତ

ବାୟୁରୁ ବିମୁକ୍ତ ହୋଇ,

ଚତୁରୀ ଗହଳେ ଚାଲିଲେ ଚଞ୍ଚଳେ

ନବସୁଖ ତୃଷ୍ଣା ଥୋଇ ।

ବିଷୟା ବିଷମ ବିଷେ ଦେଖି ବନ

ତାପସ ଆସକ୍ତ ମନ,

ବିବିଧ ବିହଙ୍ଗ କାକଳୀ ବ୍ୟାଜେକି

ମନାକଲେ ରହି ବନ ।

ଡାକିଲା ଡାହୁକ କରି ସ୍ୱର ଟେକ

ତରୁଲତା ଅନ୍ତରାଳେ,

ଯାଉଅଛ କାହିଁ କୁଟୀର ନିବାସୀ

ନାୟିକା ମାୟା-ଅଝାଲେ ।

ଦିବା ମଧ୍ୟ ବେଳ ଦକ୍ଷିଣା ସମୀର

କହିଲା ମୃଦୁ ମନ୍ଦରେ,

ବିଷୟା ବିମୁକ୍ତ ମରଧାମ ପୂତ

ଆଶ୍ରମ ନ ତେଜ ଖରେ ।

ବାର ଯୋଷା କୂଟ କରିବେ ପ୍ରକଟ

ବୋଲି ବସି ତରୁଗଣେ,

ଖଗ ଶ୍ରେଷ୍ଠ ଶୁକ ଶାରୀକା ସୁସ୍ୱର

ପ୍ରକାଶିଲେ ତତକ୍ଷଣେ ।

ବାର ବାମା ହେୟ କପଟ ଅଥୟ

ପାପ ଆଡ଼ମ୍ୱରେ ଦୁଃଖୀ,

ହୋଇ ପକ୍ଷୀ ଦ୍ୱୟ କହିଲେ ଅସ୍ପଷ୍ଟେ

‘‘ତାପସ ନୋହିବ ସୁଖୀ ।’’

କହିଲେ କି ହେବ ସେ ଖଗ-ଦମ୍ପତ୍ତି

ଜାତ ତ ବିହଙ୍ଗ କୂଳେ,

ଅଜଣା ହେଲା ସେ ଭାଷା ଭାସି ଯାଇ

ସମୀରେ ନର୍ମଦା କୂଳେ ।

ପ୍ରେମ-ମାଦକତା ପୁଣି ସେ ତାପସ

ପାଇଥିଲେ ସେହିବେଳେ,

ତେଣୁ ସେ କାନନ କୃଷ୍ଣସାର ଦେଖି

ତରଳି ତିଳେ ନ ଗଲେ ।

ଅଜନ୍ମ ପାଳିତ ନିଆଳୀ ଲତାର

କୁସୁମ ଦେଖି ନୟନେ,

ଆଜନ୍ମ ତାପସ ନଭାବିଲେ ଲେଶ

ବରଜିବାକୁ ତା ବନେ ।

ଭୃଙ୍ଗ ମୁଖରିତ ମାଧବୀ ଲଳିତ

କୁସୁମ ଚୟନେ ନିତି,

କଟାନ୍ତି ପ୍ରତ୍ୟୁଷ ଯେ ଯତି ସେ ଗଲେ

ଅନିତ୍ୟେ ମଜ୍ଜାଇ ମତି ।

ବାରନାରୀ ସଙ୍ଗ ହୋଇ ଋଷ୍ୟଶୃଙ୍ଗ

ରସିଗଲେ ଆଶ୍ରମରୁ,

କି ନ ଘଟେ ଆସି ଏ ମର ସଂସାରେ

ବିଷୟା ବିଷ ପଙ୍କରୁ ।

Image

 

ସପ୍ତମ ସର୍ଗ

(ରାଗ-ଚୋଖୀ)

 

ନଳିନ-ବଦନ ଝଳି ଝସ-ଜିତ ନେତ୍ର ଚାଳି

ଝସ କେତନକୁ କରେ ଯେ ଆରାଧନା,

ଝଟକ ହାସ ବଦନେ ଝରାଏତ ଅବିଚ୍ଛିନ୍ନେ

କୂଟିଳ ଆବିଳ ପ୍ରେମ ମନ ମୋହନା ।

ଝଲକାଙ୍ଗୀ ଝଙ୍କାର ବାଣୀ,

ଝଟତି ହୃଦୟ ପ୍ରତି କି ବୀଣାଜାଣି ।

ଭଙ୍ଗୀ ଗିର ସୁମଧୁର ଭେଳା ସେ ପ୍ରୀତି-ସାଗର

ଭୂତି ଧୃତି ଆହରଣେ ସାର-ତସ୍କର,

ବନ୍ଧୁବୋଲି କଲେ ଆଶା ବହନ ସେ ମଦାଳସା

ସତ୍ୱ ଶୋଷି ଶେଷେ ଦିଏ ଦୁଃଖ ନିକର ।

ସାରା ବିଶ୍ୱେ ଏମନ୍ତ ଜନ,

ଅଛିକେ ନ ହେବ (ତା) ପ୍ରେମ-ଫାନ୍ଦେ ବନ୍ଧନ ?

ବାଞ୍ଛାବଟ କାମୁକର ସକଳ ସୁଖ ଆକର

କାମ ପାଦପର ସତେ ସୁପକ୍ୱ ଫଳ,

ସଂପଦ ପଦ ହରାଇ ସର୍ବ ଧର୍ମ-ନୀତି ଦେଇ

ସରାଗେ କି କରୁଥାନ୍ତି ତାରେ ସମ୍ୱଳ ।

ଶଶି-ମୁଖୀ ଭକ୍ତି ଚ୍ଛଳରେ

ପଡ଼ନ୍ତି ଯେହ୍ନେ ପତଙ୍ଗ ଦୀପ୍ତ ଅନଳେ ।

ଆଜନମ ତପଚାରୀ ନ ଜାଣି ବେଶ୍ୟା ଚାତୁରୀ

ଚାଲିଛନ୍ତି ଏବେ ତେଜି ତପ ବହନ,

କଳୁଷ ପଙ୍କ ଉଦ୍ଧାର ପିତା ପୂତ ପ୍ରୀୟ-ଗିର

ବରଜି ତ କଲେ ନାରୀ-ଅନୁସରଣ

ମିଳିଲେ ସେ ନର୍ମଦା ପାଶେ,

ଚାରୁ ହାସିନୀଙ୍କ ସଙ୍ଗେ ନବ ଉଲ୍ଲାସେ ।

ମଧ୍ୟାହ୍ନ ତପନ କରେ ମଜ୍ଜି ଚାଲନ୍ତେ ପ୍ରଖରେ

ନାରୀ ମୁଖେ ସ୍ୱେଦ ବିନ୍ଦୁ ଝଳି ଫୁଟିଲା,

ନୟନ କଜ୍ୱଳ ଗାର ହୋଇ ସ୍ୱେଦେ ଜର ଜର

ମୁଖ-ବିଧୁ ଅଙ୍କେ କଳଙ୍କ କି ଥାପିଲା ?

ଗଭା ଶୋଭା ସୁଷମା ଫୁଲ,

ସୁ ସଞ୍ଚ ଗଭାରୁ ଖସି କେଡ଼େ ଅତୁଲ ।

ତର ତରେ ଚାଲି ପଥ କେତେ ବା ତରୁଣୀ କ୍ଲାନ୍ତ

କାହାର ବସନ ହେଲା ତ ଅସମ୍ଭାଳ,

ମହା କାଳ ଶିର ପ୍ରତେ ଉରଜ ଦିଶନ୍ତେ ନେତ୍ରେ

ନାଶନେ ଶଶି-ଶେଖର-ଅରାତି-ଜାଳ ।

ନେତ୍ର କୋଣେ ମୁନି ଚାହିଁଲେ,

ଚମ୍ପାଗାତ୍ରି ଚଞ୍ଚଳାଏ ଚାହିଁ ହସିଲେ ।

ବାରୁଣୀ ନଭ ସୁଷମ କରି ନେତ୍ର ମନୋରମ

ବୁଡ଼ିଲେ ଫେନିଳ-ସିନ୍ଧୁ ପଦ୍ମିନୀ-ମଣି,

ପ୍ରବେଶନ୍ତେ ସାୟଂ କାଳ ସଙ୍ଗେ ଘେନି ତପୀବାଳ

ମିଳିଲେ ତରଣୀ କକ୍ଷେ ସର୍ବରମଣି ।

ତରଣୀରେ ବସାଇ ଖରେ

ଖରତରେ ବାହିନେଲେ ନର୍ମଦା ନୀରେ ।

ଦେଇ ମଧୁରେ ଆଶ୍ୱାସ କିଞ୍ଚିତେ ମୁନି ମାନସ

ମୋହିଲେ ସେ ବାର ବାମା ମଧୁ ଆଳାପେ,

ମୃଦୁଳ ମନ୍ଦ ଖଞ୍ଜର ବାଇଲା କେ ନାରୀବର

କେ କଲା ବୀଣା-ଝଙ୍କାର କାମନା-ତାପେ ।

କାମନା ତ ଦେଶ ଦୁର୍ଭିକ୍ଷ,

ନାଶନେ କେ ନାରୀଦିଏ ତୋଷେ ସୁ-ଭକ୍ଷ ।

ତରୀରେ ପାଇ ଆହାର ଉତ୍ସୃଙ୍ଗେ ଯତି ପ୍ରବର

ମାତିକଟାଇଲେ ମୋଦେ ସେ ନିଶାକାଳେ,

ବେନି କରରେ କ୍ଷେପଣୀ ଘେନି କେତେକ ତରୁଣୀ

ବାହିଲେ ନିଦ୍ରା ବରଜି ତରୀ ସଲିଳେ ।

କାମ ସିଦ୍ଧ ବୋଲି ହରଷେ,

ହସି ହସି ଚାଳୁଥାନ୍ତି କି ଅନାୟାସେ ।

ଖରେଚାଳି ତରୀ ନାରୀ ଗଲେ ପଥ ଅନୁସରି

ତରଣୀ ବକ୍ଷୁ ଓହ୍ଲାଇ ଶେଷେ ସ୍ୟନ୍ଦନେ,

ବସନ୍ତେ ଘେନି ତାପସ ତୃପତରେ ବାନ୍ଧି ଅଶ୍ୱ

ବାହିଲା ସେ ସୂତ ରହୁବର ବହନେ ।

କେତେ ଦିନେ ଅଙ୍ଗ ଦେଶରେ,

ମିଳିଲେ ପଥେ ବିଶ୍ରମି ମୋଦ ଅନ୍ତରେ ।

ଡଗର ରାଇ ବହନ ଋଷ୍ୟଶୃଙ୍ଗ ଆଗମନ

ବାରତା ରାଜନେ ଦେଲେ ମନ-ମୋହନା,

ଶ୍ରବଣେ ଶୁଣି ଖବର ବାହାରିଲେ ନରବର

ପାଛୋଟିବେ ବୋଲି ତପୀ ସଙ୍ଗେ ନବୀନା ।

ପ୍ରେମ ବୀଜ କରି ବପନ,

ଆଣିଥିବେ ବାର ନାରୀ ଭାଳିଲେ ମନ ।

ସେତ ପ୍ରଣୟ ଲମ୍ପଟୀ ଚତୁରୀ ଶ୍ରେଷ୍ଠ କପଟୀ

କିଞ୍ଚିତେ ସତେ ମୋହିଲେ ତାପସ ମନ,

କମଳ-କୋଷ ବନ୍ଧନ ନ ଚିନ୍ତି ଭୃଙ୍ଗ ଗମନ

କରଇ ଅତି ପୁଲକେ ନଚାଇ ମନ ।

ନ ଜାଣେ ତ ଆପେ ଆଶାରେ,

ପରେ ସିନାହୁଏ ବନ୍ଦୀ ପ୍ରେମ କାରାରେ ।

ଅମାନିଶା ଶେଷ ରବି ଉଦୟ ମୋହନ ଛବି

ବଳି ହେଲେ ପ୍ରତିଭାତ ସେ ଅଙ୍ଗ-ନଭେ,

ନିରାଶ-ଦୁଃଖ-ଅନ୍ଧାର ହେଲା ଜନ ମନୁଦୂର

ବିନୟେ ଅଭିବାଦନ କଲେ ସରବେ ।

ନିଦାଘ ତପନ ଧରଣୀ,

ମୁନି ଅଗମନେ ତେଜୁ ବିକଟ ଠାଣି ।

ଅପାର ମୋଦ ଅନ୍ତରେ ବିନୟ ଭକତି ଭରେ

କନକଥାଳୀରେ ରତ୍ନ ପ୍ରଦୀପ ଜାଳି,

କଲେ ସେ ମୁନି ବନ୍ଦନ ଅଙ୍ଗ ଦେଶ ନରରାଣ

ଜନଜୟ ନାଦେ ଧରା ଗଲା ଉଚ୍ଛୁଳି ।

ନୃପ ନଇଁ ଆପଣା ଶିର,

ବାସ୍ପରୁଦ୍ଧ କଣ୍ଠେ ଧୀରେ କହିଲେ ଗିର ।

ହେ ତପୀ ! ଏ ଅଙ୍ଗ ଦେଶ ଅମ୍ୱରେ କ୍ଷୁଧା ହତାଶ

କଳଙ୍କ କାଳିମା ଘୋଟି ଦିବସ-ରାତି,

କୋଟି ବୁଭୁକ୍ଷୁ ନୟନ କୋଣୁ ବାରି ଅବିଚ୍ଛିନ୍ନ

ବୁହାଇଲା ଅବିରତେ ଫୁଟାଇ ଛାତି ।

ମୁର୍ଦ୍ଦାରର ସେ ପୂତି ବାସ,

ଚହଟିଲା ଧରି ସଙ୍ଗେ ବିକଟ ହାସ ।

ଅତଳ ଗର୍ଭୁ କାଳର ବାହାରି ପ୍ରେତ ନିକର

ଅଟ୍ଟହାସେ ବୁଲିଲେ ଏ ଅଙ୍ଗ ଧରଣୀ,

ମରଣ ବିଦ୍ଧ ନିଶ୍ୱାସ ଉପୁଜାଇ ମହାତ୍ରାସ

କଲା ଜୀବନ ଯୋଜନା ସ୍ତବଧ ଆଣି ।

କେ ସହୁ ସେ ଘୋର ଚିତ୍କାର,

ଚିନ୍ତିଲେ ହୃଦ ବିଦୀର୍ଣ୍ଣ ହେବାଟି ସାର ।

ଦାନ କର୍ମେ ବିସ୍ମରଣ ହୁଅନ୍ତେ ଘୋଟିଲା ଦୈନ୍ୟ

ଦୁର୍ଦ୍ଦଶା ମୋ ଅଙ୍ଗଦେଶ ଦ୍ୱିଜ ଶାପରେ,

ଦ୍ୱାଦଶ ବରଷ କାଳ ନ ବର୍ଷିଲେ ଆଖଣ୍ଡଳ

ଶତଆଶା ଆକାଂକ୍ଷାକୁ ଜାଳି ସତ୍ୱରେ ।

ଚାହିଁଥିଲି ତବ ଆଗମ,

ଘନନୀର ଆଶେ ତପୀ ଚାତକ ସମ ।

ଦେବର୍ଷି ନାରଦ ସଙ୍ଗେ ଦିନେ ଭାଳୁ ଏ ପ୍ରସଙ୍ଗେ

କହିଥିଲେ ଆଶୁ ପ୍ରତିକାର ଏହାର,

ହେଲେ ତବ ଆଗମନ ଆଜ୍ଞାରେ ବର୍ଷିବେ ଘନ

ଦୁର୍ଭିକ୍ଷ ପୀଡ଼ିତ ଅଙ୍ଗେ କରି ଶୀତଳ ।

ତୁଟିଯାଉ ଦୁର୍ଭିକ୍ଷ ଦାଉ,

ନିଶାମଣି କରେ ତମ ପରାୟେ ଯାଉ ।

ସ୍ୱାଗତ ହେ ଋଷିମଣି ପାଇ ତବ କୃପାରସ୍ମି

ନିମିଷେ ହତାଶ ନାଶହେବ ମୁଁ ଭାଳେ ?,

ତୁମରି ବାଣି ଅନଳ ପରଶେ ମେଘ ତୁଷାର

ତରଳି ଢାଳିବେ ଜଳ ଅଙ୍ଗ-ଭୂତଳେ ।

ନବୀନ ସ୍ପନ୍ଦନ ମୟ,

ଜୀବନେ ନାଚିବେ ଧରା ପରାଣୀ-ଚୟ ।

ଅର୍ଘ୍ୟକୁ ଆମ୍ଭର ନିଅ ଛଡ଼ାଅ ବିଷାଦ ଭୟ

ନ ଦିଶୁ ଧରା ମଳିନ ନ ହେଉ ଖାର,

ଉତ୍ତୋଳ ପତକା ସୁଖେ ଏ ମୃତ୍ୟୁ ରାଇଜମୁଖେ

ଫୁଟୁ ରକ୍ତହାସ ତୁଟୁ ବିଷାଦ ଧାରା ।

ଏହିପ୍ରାସ ଲଭୁ ବିଲୟ,

କୋଟିକଣ୍ଠ ବୀଣା ଉଠୁ ଝଙ୍କାରି ଜୟ ।

‘‘କିପାଇଁ ହେ ନରଦେବ ହେଲେ ସେ ବିପ୍ର ବିରାଗ

କି ଦୋଷେ ବିହିଲେ ଘୋର ଶାପଏସନ,’’

ମୁନି ଅଗ୍ରେ ନରପତି କହିଲେ ହେ ପୂତଯତି

ଜନୈକ ବ୍ରାହ୍ମଣେ ଦେଲି ଏକ ଗୋଧନ ।

ସେହି ଗାଈ ପୁଣି ଗୋଠରେ,

ରହିଲା ଚଞ୍ଚଳେଆସି ମୋ ଅଜ୍ଞାତରେ ।

ଠଉରାଇ ତା ନ ପାରି ଦେଲି ଅନ୍ୟ ବିପ୍ରେଧରି

କେତେଦିନେ ବ୍ରାହ୍ମଣ ଚିହ୍ନି ଗୋଧନ,

ମାଗିଲେ ସେ ଗାଭୀପୁଣ ଆନେ ନକଲେ ତ ମନ

ତା ଫଳେ ଦୁଃଖ ଦୁର୍ଦ୍ଦଶା ରହୁ ଆଚ୍ଛନ୍ନ ।

ତବ ଆଗମନେ ସଂହାର,

ହେଉ ବୋଲି ତାପସ ହେ ପ୍ରାର୍ଥନା ମୋର ।

ରସହୀନ ଅଙ୍ଗଧର କଙ୍କାଳ ବିଶିଷ୍ଟ କାର

କପାଳ କୁଞ୍ଚିତ ବୁଭୁକ୍ଷିତ ପରଜା,

ଦେଖି ଋଷ୍ୟଶୃଙ୍ଗ ତପୀ ହୃଦେ ହେଲେ ମହାତାପୀ

ପରହିତେ ଯେଣୁ ମହାଜନର ମଜ୍ଜା ।

ଘନେଚାହିଁ ଖରେ ବୋଇଲେ,

‘‘ଘନ ଘନ ବାରିବର୍ଷ ଅଙ୍ଗ ଭୂତଳେ ।

ବର୍ଷିଲେ ଜନ ଜଳଦ କରି ପରଜା ପ୍ରମୋଦ

ଦୁର୍ଭିକ୍ଷ ଅନଳ ଲିଭି ହେଲା ଶୀତଳ,

ରଜତ ଶୁଭ୍ର ମେଖଳା ଜିଣି କି ଶୋଭିତ ହେଲା

ଅଙ୍ଗ ଲଳନାର ବକ୍ଷେ ତଟିନୀ ଜଳ,

ଶତ୍ରୁ ଚାପ ବର୍ଣ୍ଣେ କରିଲା ଠାବ ।

ସକଳ କ୍ଳମ ହାରିଣୀ ପ୍ରାଣ ତର୍ପଣ କାରିଣୀ

ପୁଷ୍ପମୋଦ ମାଦକତା ବଳେ ପ୍ରକାଶେ,

ଅଦୂରୁ ନୟନ ମନ ହରି ସେ ନେଲା ବହନ

ଅଳି ସମ୍ଭାଷଣେ କଲା ସେନେହ ଆସି ।

ବଷ୍‍ଟା କାର ସ୍ୱାହା ନାଦରେ,

ବନାଶ୍ରମ ହେଲା ନିନାଦିତ ସ୍ୱରରେ ।

ଅପାର୍ଥିବ ଶୋଭା ପୂର୍ଣ୍ଣା ଜ୍ୟୋତ୍ସ୍ନାମୟୀ ସେ ପୂର୍ଣ୍ଣିମା

ଶୁଭ୍ରବିଧୁ ଅଙ୍କେ ଧରି ସୁଖେ ହସିଲା,

ପ୍ରଦୋଷ ପ୍ରତ୍ୟୁଷ କାଳ ଅଲକ୍ତ ଦ୍ରବ ଅତୁଳ

ଭାସ୍କର ସୁଷମା ଜନ-ଚିତ୍ତ ମୋହିଲା ।

ଅଗଣିତ ରାକା ଭୂଷଣେ,

ସୁଷମ ପ୍ରତୀତ ଅମା ନିଶା ନୟନେ ।

ପାଇ ନୀରଦର ନୀର ସମ୍ପୂର୍ଣ୍ଣ ଶସ୍ୟ ସମ୍ଭାର

ଘେନିଲେ ଭୂଦେବୀ ଅଙ୍କେ ମନ ମୋହନେ,

ଦୁର୍ଭିକ୍ଷ-ଦାଉ ନାଶନ ଯେଗେ ଅଙ୍ଗ ବାସୀ ଜନ

ହେଲେ ପରସ୍ପରେ ସର୍ବେ ପ୍ରୀତି ଭାଜନ ।

ଅପାର୍ଥିବ ସ୍ନେହ ଖେଳିଲା,

ବିଶୁଦ୍ଧ ମମତା ପୂର୍ଣ୍ଣ ଭାବ ଜାଗିଲା ।

ନବ ଦାମ୍ପତ୍ତ୍ୟ ପ୍ରଣୟ ଶୁଦ୍ଧ ପିତୃ ଭକ୍ତିଚୟ

ସ୍ୱର୍ଗୀୟ ପୀୟୁଷ ସିକ୍ତ ଜନନୀ ଭାବ,

ବିମଳତ ଆଧ୍ୟାତ୍ମିକ ଗୁରୁ ଉପଦେଶ ଯାକ

ମାନବ ମାନସୁ ଦୂର କଲା ଅଭାବ ।

ନୃପ ମନ ମହାହରଷ,

ପୂଜିଲେ ମୁନିଙ୍କୁ କରି ଭକ୍ତି ସରସ ।

ସୁ ବୟସୀ ସୁକୁମାରୀ ଶାନ୍ତା କନ୍ୟା ମନୋହାରୀ

ପାଳିଥିଲେ ନୃପ କରି ଅତିଯତନ,

ଶୁକ୍ଳପକ୍ଷ ସୁଧାକର ପ୍ରାୟ ବଢ଼ି କନ୍ୟାସାର

ରୂପଗୁଣେ ହୋଇଥିଲା ନେତ୍ର ମୋହନ ।

କଞ୍ଜ ଖଞ୍ଜ-ଗଞ୍ଜ ନୟନା,

ରସିକରମ୍ୟ ଆରାମ ବାସ କାମନା ।

କନକ ଗଉରୀ ତନୁ ଦୁଃଖ ହରି ନିଏ ମନୁ

ମୁଗ୍ଧ-ବିଧୁ ହୃଦ-କୁମୁଦକୁ ପ୍ରମୋଦ,

କରେ ସୁକାନ୍ତି ପ୍ରକାଶି ମଞ୍ଜୁଳ ହାସ ବିକାଶି

କମଳ-ସୁଷମା ଜିଣି ସୂଚାରୁ ପାଦ ।

ନବସ୍ମିତ ବଦନା ଶାନ୍ତା,

ଭାବିଲେ କରିବେ ବୋଲି ତାପସ କାନ୍ତା ।

ମହଦ ଉଦାର ଋଷି ନବ ପ୍ରଣୟରେ ରସି

ନିଃସ୍ୱ ଚକ୍ଷୁ କ୍ଷୁଧାପୁର ତାରକା ଆଣି,

କକାଂଳ କଲେ ବିନାଶ ଲିଭାଇ ଦୁର୍ଭିକ୍ଷହାସ

ଲେଖିଦେଲେ ନବ ପ୍ରାଣେ ଉଜ୍ୱଳବାଣୀ ।

ସେ ପ୍ରଣୟ ସୁଖ ଧାର ପ୍ଲାବୁଚିରେ ମନସାର

ବୋଲିକନ୍ୟା ସମର୍ପଣେ ଦେଲେ ମାନସ,

ଉଠି ଆମୋଦ ତରଙ୍ଗ ଉଦବେଳିତ କଲାଅଙ୍ଗ

ନବୀନ ଆଶାରେ ସର୍ବେ ହେଲେ ହରଷ ।

ସବୁଜ ଫସଲ ଶିସା,

ଶ୍ମଶାନେ ଶୋଭିଲା ନାଶି ବିଷାଦ ନିଶା ।

କନକ ବେଦି ତୟାର କରି ହର୍ଷେ ନରବର

ତାପସଙ୍କୁ ସମର୍ପିଲେ ପୀରତି କାରା,

ବିନୟ ଭକ୍ତି ବଚନେ କହିଲେ ସେ ସନ୍ନିଧାନେ

‘‘ଚିର ତୃଷାତୁରେ ଦେଲ ସଲିଳ ଧାରା ।

କୃତଜ୍ଞତା ପାଶେ ଆବଦ୍ଧ,

ୟେଣୁ ତପୀ ଘେନ ଏହା କରିଣ ସଧ ।

ଅବକୃତ ଉପକାର ରହିବ ଯୁଗ ଯୁଗର

ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ଭୂତଳେ,

ଯେବଣ ଦେଶେ ବରଷା ନହୋଇ ନାଶିବ ଆଶା

ତବମନ୍ତ୍ର କର୍ଣ୍ଣଧାରେ ଜନ ସକଳେ ।

ପାର ହେବେ ହତାଶ-ସିନ୍ଧୁ,

ଯୁଗେ ଯୁଗେ ଢାଳି ତପୀ ଭକତି-ସିନ୍ଧୁ ।’’

ରଙ୍ଗ ଅଧରେ ସୁହାସ ରଖି ମନ୍ଦାକ୍ଷ ଉଲ୍ଲାସ

ରସା ମୋହୀ ଶାନ୍ତ ତପି-ପାଣି-ଧାରଣ,

କଲେ କନକ ବେଦିରେ ନବ ପୁଲକ ମନରେ

ଉଠିଲା ଭେଦି ଗଗନ ବାଦ୍ୟ-ବାଦନ ।

ଉଚ୍ଚାରିଲେ ବ୍ରାହ୍ମଣେ ଶ୍ଳୋକ,

ମଙ୍ଗଳ ନିନାଦେ ଜନେ ହେଲେ ପୁଲକ ।

କନ୍ୟା କରି ସମର୍ପଣ ବିନୟେ ଅଙ୍ଗ ରାଜନ

ହେଲେ ନାନା ଯଉତୁକ ଦ୍ରବ୍ୟ ସମ୍ଭାରେ,

ଗଜ ବାଜି ଧନରତ୍ନ ଦୁଗ୍‍ଧବତୀ ଧେନୁ ଗଣ

ଶୁକ୍ଳତଳ୍ପ ମନୋହର ଖଟ ବିଚାରେ ।

ପିତା ବିଭାଣ୍ଡକ ବ୍ୟଥିତ,

ହେଉଥିବେ ବୋଲି ପଠାଇଲେ ତ୍ୱରିତ ।

ବିଭାଣ୍ଡକ ତପ ସାରି କୁଟୀର ସରଣୀ ବାରି

ପ୍ରଦୋଷ ପ୍ରତ୍ୟାଗମନ କଲେ ସତ୍ୱରେ,

ଆସୁ ଆସୁ ପଥେ ମନ ହେଲା ଶଙ୍କା-ନିମଗନ

କୁମର ପୂର୍ବ କଥନ ବେଶ୍ୟା-ଭାବରେ ।

ସର୍ବାନର୍ଥ ମୂଳ ଚତୁରୀ,

ଦେଲେ କି ସତେ ! ନନ୍ଦନ ଧର୍ମ କତୁରୀ ।

ଆଶ୍ରମେ କରି ପ୍ରବେଶ ‘‘ପୁତ୍ର’’ ବୋଲି ତପୀ-ଈଶ

ଡାକିଲେ ବହୁତ ଥର ଉଚ୍ଚ ସ୍ୱରରେ,

ନପାଇ କିଛି ଉତ୍ତର ବିସ୍ମିତେ ହେଲେ କାତର

‘‘କେଣେ ଗଲା ବା କିହେଲା ଆଜ ବାସରେ ?’’

ମନେ ମନେ ଅତି ଆକୁଳ,

ହେଜି ମର୍ମ୍ମେ ସ୍ୱୀୟ ସୁତ ଖେଳା ହୁନ୍ଦର ।

ତପୀ-ତପ କର୍ମବିନା ଆନେ ତ ତାରେ ଅଜଣ

ଜନମୁ ରାଜ୍ୟ ପରଜା ନାହିଁ ଗୋଚର,

ବନ ପଶୁ ବିହଙ୍ଗମ ପାଦପ ଲତିକା ଗୁଳ୍ମ

ଜାଣିଅଛି ଏଥିସିନା ପର୍ଣ୍ଣ କୁଟୀର ।

ଆହା ‘କିଏ କିକରି ନେଲା,

ଭାଳୁ କରୁ କମଣ୍ଡଳୁ ଖସି ଖଡ଼ିଲା ।

କୁମର ଚିନ୍ତାରେ ଲୟ ନିବେଶି ହେଲେ ଅଥୟ

ଆପଣାର ସ୍ଥିତ ଆପେ ଆସ୍ତେ ଭୁଲିଲେ,

ହାରି ଦେହ ଦିବ୍ୟ ଜ୍ଞାନ ହୋଇଣ ସେ ଅଚେତନ

ପିତୁଳା-ପାତକୁ ବଳି ତଳେ ପଡ଼ିଲେ ।

କି ମଧୁର ବାତ୍ସଲ୍ୟ ସୁଖ,

ଯା ବିଚ୍ଛେଦେ ପିତା ଏକା ଜାଣେ ତା ଦୁଃଖ ।

ଜ୍ଞାନ ପାଇ କିଛିକ୍ଷଣେ ମରମ ଘାରି କଷଣେ

ବାତୁଳ ପରାୟେ ଚଉଦିଗ ଚାହିଁଲେ,

ପୁତ-ପ୍ରୟାଣ-ଉଦନ୍ତ ପୁଚ୍ଛିବାକୁ ଦପୋବନ୍ତ

ସହସା ଉଠିଲେ ପଡ଼ି ମାୟା-ଅଝାଲେ ।

ନ ହେରିଣ କାହା ବଦନ,

ସ୍ଥାବର ଜଙ୍ଗମେ ହେଲା ପୁଚ୍ଛିବା ମନ ।

ଶୋକରେ ହୋଇ ଅଧୀର ପଚାରନ୍ତି ମୁନିବର

ବେଳେ ବେଳେ ଚାହିଁ ତରୁ ଗୁଳ୍ମ ବଲ୍ଲରୀ,

‘‘ମୋ ହୃଦୟ ଗଣ୍ଠି-ଦନ ଗଲା ଆଶ୍ରମୁ କେସନ

କହ ଚିତ୍ତୁ କପଟ ତାକୁ ପରିହରି ।

ବାଳକାଳୁ ତବ ପାଳନ,

ପାଇଁ ଘଟେ ନୀର ଆଣି କରେ ସେଚନ ।

କିଶଳୟେ ହେଲେ କୀଟ କାଢ଼ଇ ହୋଇ କି ହୃଷ୍ଟ

ଅପୂର୍ବ ସ୍ନେହ ମମତା ମାନେସ ଧରି,

ପ୍ରତି ପ୍ରତ୍ୟୁକ୍ଷେ ବହନ କୁସୁମ କରେ ଚୟନ

ବିଭୁ ପାଦେ ଅରପଣେ ଅସ୍ମିତା ମାରି ।

ତପକର୍ମ ଶେଷେ ପ୍ରଦୋଷେ,

ନଦେଖି ସୁଷମ ଆଭା ବିରସେ ଘୋଷେ ।

ସେ ତବ ପ୍ରାଣ ସମ୍ୱଳ ସୁଖ ଦୁଃଖରେ ବିହ୍ୱଳ

ଗଲା କେଣେ ବରଜିଲ ନ ରୋଧି ପଥି,

ମାନବ ମାନସ ଭୁଲା ପ୍ରତାରଣେ ସୁ କୁଶଳା

ପୂର୍ଣ୍ଣ କଲେ ଅବାଧରେ ତ ମନୋରଥ ।

ମୂକହେଲ କି ମନେ ହେଜି,

ଆବାଲ୍ୟ ସଙ୍ଗୀକୁ କେଉଁ ରାଇଜେ ତେଜି ।’’

ଆଶ୍ରମ କୁରଙ୍ଗ ଚାହିଁ ବାଇ ପ୍ରାୟ ପୁଣି ହୋଇ

ପଚାରନ୍ତି ମୋ କୁମର ଦେଖିଛୁ ସତେ,

କାହାର କେଉଁ ବଚନେ ଗଲା କି ଅଜଣା ସ୍ଥାନେ

ଜାଣିଥିଲେ ତଥ୍ୟ କହ ଫେଡ଼ି ଅଗ୍ରତେ,

ବାଲ୍ୟକାଳୁ ସିଞ୍ଚି ସଲିଳ

ପାଳିଥିଲା ସ୍ନେହେ ମନ କି ଅନାବିଳ ।

ଚାହିଁ ଆଶ୍ରମ କୁରଙ୍ଗ କରି ଚିତ୍ତଜ୍ଞାନ ଭଙ୍ଗ

ଚଳନ୍ତି ତାପାଶେ ପୁତ୍ର ସନ୍ଦେଶ ପାଇଁ,

ଶଶକ ଶାବକ ଦେଖି ପୁଚ୍ଛିବାକୁ ହୋଇ ଦୁଃଖୀ

ଗଲେ ସେ ଭୟେ ପଳାଏ ବହନେ ଧାଇଁ

ତାପସ ଏସନେ ବାତୁଳ-

ପ୍ରାୟେ ବୁଲି ହେଲେ ପୁତ୍ରପାଇଁ ବ୍ୟାକୁଳ ।

ଅବଶେଷେ ଅଭିଶାପ ବିହିବାକୁ କଲେ ତାପ

ବିଜନ ବିପିନେ ହୋଇ ଚିନ୍ତାରେ ମଗ୍ନ,

ଏସନ ବେଳେ ବାହକ ଧରି ନାନା ଯଉତୁକ

ମିଳିଲେ ଆଶ୍ରମେ ବୁଲି ଘୋର କାନନ,

ପଚାରିଲେ ମୁନିଙ୍କୁ ଚାହିଁ,

‘‘ଋଷ୍ୟଶୃଙ୍ଗ ଋଷିପିତା ଅଛନ୍ତି କାହିଁ ?’’

ଦେଇ ସ୍ୱୀୟ ପରିଚୟ ଯଉତୁକ ଦ୍ରବ୍ୟ ଚୟ

ରଖିଲେ ଆଶ୍ରମେ ଅତି ମନ ହରଷେ,

ଲୋମପାଦ କନ୍ୟା ଶାନ୍ତା କରି ଋଷ୍ୟଶୃଙ୍ଗ କାନ୍ତା

ଶୁଣିଲେ ଅଛନ୍ତି ବୋଲି ଅଙ୍ଗେ ସରସେ ।

ବାରବର୍ଷ ଦୁର୍ଭିକ୍ଷ ନାଶ,

କଲେ ତମେ ଯଥା ଶଶି-କର ପ୍ରକାଶ ।

ମେଲାଣି ଦେଇ ବାହକେ ଆଶ୍ରମେ ବସି ପୁଲକେ

ଭାଳିଲେ କରିଲା ପୁତ୍ର ବିଷୟା ସାର,

ଲିଳାମୟ ଲୀଳା ଖେଳ ବିଚିତ୍ର ବଡ଼ ହୃନ୍ଦର

ତପିକର୍ମୁ ଅଳପକେ ହୁଏ ବାହାର ।

ଏବେ ଗୋ-ତପୀ ଆଶ୍ରମେ,

ନବୀନ ନୀତି ଉଠିବ ପୁତ୍ର ବିଭ୍ରମେ ।

Image

 

ଅଷ୍ଟମ ସର୍ଗ

 

ଧରି ଶାନ୍ତା ପାରି ଋଷ୍ୟଶୃଙ୍ଗ ମୁନି

ଅଙ୍କ ଉଆସରେ କାଳ,

କଟାଇଲେ କେତେ ପୁଲକେ ପାଶୋରି

ତାପସ-କରମ-ଜାଳ ।

ଉଷା-ସାୟଂକାଳେ ଉଦ୍ୟାନ ବିହାରେ

ଶୁଣି ମଧୂପ ଗୁଞ୍ଜନ,

ଭାବିଲେ କି ତାହା ନବ ପ୍ରଣୟର

ମଧୁର ଶଙ୍ଖ ନିସ୍ୱନ ।

ବେଳେ ବେଳେ ଚାହିଁ ଭ୍ରମରର ଭ୍ରମ

ସୁନ୍ଦର ସୁମନ ପରେ,

ବିଷାଦିତ ହୋନ୍ତି ବିରହ ବେଦନା

ଉପୁଜାଇ ଅନ୍ତରରେ ।

ମୁକୁଳ ବକୁଳ କୁଳ ପୀତ ଚେଳ

ଅଙ୍ଗ ଭଙ୍ଗି ଅନଙ୍ଗର,

ସୁତୀକ୍ଷ୍ଣ ସାୟକ ପରାୟେ ପ୍ରତୀତ

ହୁଏ ତପୀ ନୟନର ।

କୁମ୍ଭାଟୁଆ ଡାକ କନ୍ଦର୍ପ ଟମକ

ପରାଏ ହେଲା ଗୋଚର,

ଭ୍ରମୁ ଛୁରିଅନା ଅନାଇ ଭାବିଲେ

ସତେ ଛୁରୀ କନ୍ଦର୍ପର ।

ବାଲ୍ୟ ବ୍ରହ୍ମଚାରୀ ଉପବନ ଚାରୀ

ହୋଇ ଏବେ କି ସରସେ,

ବିଶ୍ୱ-ପଟେ ବିଶ୍ୱ- କେତୁ ବିଚିତ୍ରତା

ଦେହନ୍ତି ନେତ୍ର ମାନସେ ।

ମଦନ କଦନ ବୃଦ୍ଧି ଉଦ୍ଦୀପନ

ଉଦ୍ୟାନ ଶୋଭା ସକଳ,

ତାପସ ନୟନେ ସୁଷମେ ବିରାଜି

ଦେଲେ କି ତୃପ୍ତି ଅତୁଳ ।

ସମ୍ମୁଚ୍ଚ ପାଦପ କଳେବରେ ରାଜି

ମୃଦୁ ନବ କିଶଳୟ,

ପ୍ରତେ ହେଲା ସତେ ମୋହନ କେତନ

ଉଡ଼େ କି ମାର-ଆଳୟ ।

ପୀକ ଭାଷ ଶୁଣି ଋଷ୍ୟଶୃଙ୍ଗ ମୁନି

ଚିନ୍ତିଲେ ଚିତ୍ତେ ସରସେ,

ଭାଟ ପଣେ ଅବା ସୁର-ସ୍ତୁତିକରେ

କାନନେ ବସି ହରଷେ ।

କଳାପି-କୁଶଳ ନୃତ୍ୟ କଳାପକୁ

ନିରେଖି ଭାବିଲେ ଏହା,

କନ୍ଦର୍ପ ଆଗମେ ନାଚନ୍ତି ନଚାଇ

କି ଅବା ଚନ୍ଦ୍ରିକା ବାହା ।

କଳ କଣ୍ଠ-କଣ୍ଠି ପ୍ରେମ ରତ୍ନ-ଗଣ୍ଠି

ଚମ୍ପାଗାତ୍ରୀ ଶାନ୍ତା ସଙ୍ଗେ,

କମଳ ମୃଣାଳ କରିଧରି ମୁନି

ବିହରନ୍ତି ନାନା ରଙ୍ଗେ ।

ବାର ବାମା ଶିକ୍ଷା ଯୋଗେ କରି ଦିକ୍ଷା

ଅଚିର କାମ-ଧରମ,

ଭୁଲିଲେ ସେ କାଳେ ବନ ତରୁତଳ

ତପସ୍ୟା ପୂତ କରମ ।

ଥିଲାତ ବତାଇ ଜରତା ନିଠାଇ

କାମ କଳା କଉଶଳ,

କଳାନିଧି ମୁଖୀ ଶାନ୍ତା ପାଇସୁଖୀ

ହେଲେ ପ୍ରକାଶି ସେ ବଳ ।

ଉପବନ ଗାରୁ ବିହାର ଶେଷରେ

ମଣୋହିକୁ ସମାପନ,

କରି ଋଷ୍ୟଶୃଙ୍ଗ କାନ୍ତାକୋଳେ ମୋଦେ

ମଜ୍ଜାଇ ଦିଅନ୍ତି ମନ ।

ଧରମ କରମ ମରମକୁ ପୋଡ଼ି

ପ୍ରୀୟ ଭାଷି ପ୍ରୀୟା ସଙ୍ଗେ,

ମାତି କି ମଧୁର ଆଳାପରେ ନିଶା

କାଟିଲେ ପ୍ରେମ ଉତ୍ସୁଙ୍ଗେ ।

ଦଣ୍ଡକେ ଉଦଣ୍ଡ ଫୁଲକାଣ୍ଡ ପ୍ରତେ

ହୁଏ ପ୍ରିୟା ଭିନ୍ନଭାବେ,

ପୁରୁଷ ଗରୀମା ପଣ ଅନୁପମା

ବୁଡ଼ାଇ ଘୋର ଅଭାବେ ।

ମୁକୁରକୁ ଚାହିଁ ବିକାର ବଦନେ

ଚୁମ୍ୱଦେଲେ ଘନ ଘନ,

ସେ ନବ ନାଗରୀ ଯୁବା ମନୋହାରୀ

ହୁଏ ପ୍ରେମ ଜଳେମଗ୍ନ ।

ସଞ୍ଚ ଘଞ୍ଚ ଉଚ୍ଚ ଶତ ଦାହ କୁଚ

ପରେ ରଖି ମୁଖ-ବିଧୁ,

ବେଳେ ବେଳେ ଶାନ୍ତା ଉଚ୍ଛୁଳାଇ ଥାଏ

ତାପସ-ପୀରତି ସିନ୍ଧୁ ।

ଭ୍ରୂଲତା କାର୍ମୁକେ ଅପାଙ୍ଗ ସାୟକେ

ବିନ୍ଧ ସେ ନବ ନବୀନା,

ତେବେ ବା ଫଟାଏ ତପୀ-ହୃଦ-ଦମ୍ଭ

ଭରି ପୀରତି-ବାସନା ।

ପ୍ରେମିକ ପ୍ରେମିକା ମାତିଲେ ଉତ୍ସୁକେ

ନବ ପରିଶୟେ ରସି,

ସ୍ୱୀକାର ବିକାର ସ୍ମିତ ଜକ ଜକ

ଚାରୁ ବଦନେ ପ୍ରକାଶି ।

ମହତ ଜନର ବିଷୟା ନୁକୂଳ

କାମ ଉଦ୍ଦୀପନା ନେଇ,

ମାନବ ସମାଜ ସର୍ବ ଆନୁକୂଲ୍ୟ

ପଚ୍ଛନ୍ନେ କି ଥାଏ ଥୋଇ ।

ଦ୍ୱାଦଶ ବରଷ ଦୁର୍ଭିକ୍ଷ ପୀଡ଼ିତ

ନିରସ ଅଙ୍ଗ ଧରଣୀ,

ନିମିଷକେ ଜଳେ ସରସ ହୋଇଲା

ଆଉ ପ୍ରମାଦ ନଗଣି ।

ବାହାର ଭିତର ବିଚାର ଯାହାର

ସେ କି ହୁଏ କଳୁଷିତ,

ସଂସାର ବାହାରେ କେତେ ଅନାଚାର

ଲୀଳା ନିତି ଅଭିନୀତ ।

ଭିତରକୁ କିନ୍ତୁ ଦେବ ଯେବେ ହେତୁ

ଦେଖିବ ନିର୍ମଳ ଜ୍ୟୋତି,

ରୂପ ସନାତନ ସବୁରି କାରଣ

ନିତ୍ୟ ବିଭାବନ୍ତ ଅତି ।

ସ୍ପର୍ଶି ପାରଇକି ତିଳେ ତନୁତାର

ବାହାର ନିର୍ମମ କର୍ମ,

ନର ମୁକ୍ତିଲାଗି ବ୍ୟାକୁଳ ଯେ ସଦା

ଅତତ୍ୱ ମସି ଯା ଧର୍ମ ।

ଦିବାକର ବଂଶ ଅବତଂସ ନୃପ

ଆଜ ସୁଯୋଗ୍ୟ କୁମାର,

ଦଶ ଦିଗେ ରଥ ଗମେ ବୋଲି ପରା

ଦଶରଥ ନାମ ଯାର ।

ସ୍ନେହ ସୁଧା ଗୋଳା ବଦନା ଛଇଳା

ରାଣୀଙ୍କ ପାଣି ଧାରଣ,

କରି ବହୁ ଦିନୁ କୁମର ନିମନ୍ତେ

ବିଷାଦିତ ସେ ରାଜନ ।

କୌଶଲ୍ୟା, କୈକେୟୀ ସୁମିତ୍ରା ଅଯୋଧ୍ୟା

ଉଆସର ତିନିରତ୍ନ,

ବିମଳାଷୀ ଭକ୍ତି ଅନ୍ତରେ ପୂଜନ୍ତି

ପତି-ପାଦ କରି ଯତ୍ନ ।

ଦାସ ବଶକାରୀ ହୁଅନ୍ତେ ସତତେ

ଅତିଥି ପୂଜନେ ମନ

ଦେଇ କି ମୋଦରେ ଦୟା ଧର୍ମବଳେ

ଦୀନେ ବିତରନ୍ତି ଧନ ।

ସନ୍ତାନ ନିମନ୍ତେ ବ୍ରତ ଉପବାସେ

କରି କ୍ଷୀଣ କଳେବର,

କଟାନ୍ତି ନିରତେ ମୃଗାକ୍ଷିଏ ପୁରେ

ବିଷର୍ଣ୍ଣେ ନିଶି-ବାସର ।

ଅଶନ ଶୟନ ପାନରେ ତ ମନ

ନ ବଳେ କାହାର ବେଳେ,

କୁମର ବିହିନେ ସିଂହାସନ ଶୀରି

ତୁଟିଯିବ ବୋଲି ହେଳେ ।

ଫୁଲ ଗୁନ୍ଥା ମାଳୀ ବେଶ କଲା ଆଳୀ

ଆଉ ନ ଗୁନ୍ଥିଲେ ହାର,

ସୁ ଚାରୁ ସୁଝିନ ମୋହନ ବସନ

ନ କଲେ କେହି ବାହାର ।

ଲିଭି ଆସୁଥିଲା ହୃଦୟ-ମନ୍ଦିର

ଉଜ୍ୱଳ-ସୁଖ-ଆଲୋକ,

ବିଷାଦ-ତାମସ ଆଚ୍ଛାଦନ ଦୂରୁ

ହୁଏ ସହଜେ ବିଲୋକ ।

ମାଳତୀ ମାଳିକା ଗୋଲାପ ମଲ୍ଲୀକା

ଗଭାରେ କି ଦେବେ ଖୋସି,

ଆଳି-କର-ସ୍ଥିତ ସୁବାସିତ ପୁଷ୍ପେ

ନ ଚାହାଁନ୍ତି ବେଳେ ରସି ।

କୁମର-ବିଧୁରା ଅଧରେ ନ ଫୁଟେ

ମଧୁର-ଧୀର-ବଚନ,

ବାସର ଯାମିନୀ ବିଫଳେ ଗଲାଣି

ବୋଲି ହୋନ୍ତି ଅବସନ୍ନ ।

ଆକ୍ଷିର କଜ୍ୱଳ ହୋଇ ଢଳ ଢଳ

ଲୋତକେ ହୁଅଇ ଧୋଇ,

ଚୀର ହାହା କାରେ ମାନସ ମନ୍ଦିରେ

ଥାନ୍ତି ନିରସତା ଥୋଇ ।

ରାଣୀ-ବିଷାଦରେ ଦୁଃଖିତ ନୃପତି

ଦଶରଥ ହୋଇ ମନେ,

ସତେ ରଘୁକୂଳ ଶୀରି ଶେଷ ହେବ

ବୋଲି ଭାବନ୍ତି ବିଷର୍ଣ୍ଣେ ।

ଦାନ ଧର୍ମ ହୋମ ଆଦି ପୂତ କର୍ମ

କରି ସଦା ସମାପନ,

ମହା ବିନୟରେ ଉତ୍ତମ ବିପ୍ରରେ

ବିତରନ୍ତି ବହୁ ଧନ ।

ଦିନେ ଦଶରଥ ହୋଇଣ ବ୍ୟଥିତ

ବିକଳେ ଚିନ୍ତିଲେ ମନେ,

କୁମର କଳ୍ପନା ନାଚିଲା ହୃଦୟେ

ଯେସନେ ଛବି ସ୍ୱପନେ ।

ବସିଥିଲେ ପାଶେ ବ୍ରହ୍ମର୍ଷି ବଶିଷ୍ଠ

ରଘୁକୂଳ ପୁରୋହିତ,

ନୃପତି ବ୍ୟାକୁଳ ମତି ଦେଖି ଚିତ୍ତେ

ପାଞ୍ଚିଲେ କରିବା ହିତ ।

ରାଜା ସିନା ପ୍ରଜା ପିଅର ସ୍ୱରୂପ

ସୁଖ-ଦୁଃଖର ସମ୍ୱଳ,

ନୃପତି ବିଷାଦେ ରାଜ୍ୟର କି କେବେ

ହୋଇ ପାରଇ କୁଶଳ ।

ଜନକ ଜନନୀ ଜନ୍ମ ଦେଇ ପୁଣି

ପାଳନେ ସିନା ତତ୍ୱର,

ମାନସେ ଉଷର ରୁଷ ଭୂମେ ବହେ

ବାତ୍ସଲ୍ୟ-ପ୍ରେମ-ନିର୍ଝର ।

ଗୁରୁ ଉପଦେଶେ ମାନସ କୁଟୀରେ

ହୁଏ ଶିକ୍ଷା-ଅଧିବାସ,

ଆଜିର ଯେ ଶିଶୁ କାଲି ନାଗରୀକ

ରୂପେ ସଂସାରେ ପ୍ରକାଶ ।

ହେଲେ କି ସେ ହେବ ନୃପତି ବିହିନେ

ଘୋଟେ ବିଶୃଙ୍ଖଳା ମହୀ,

ପ୍ରବଳର ଘୋର ଅତ୍ୟାଚାର କେତେ

ଦୁର୍ବଳ ରହଇ ସହି ।

ବାଟର ବୋଟୋଇ ପ୍ରମାଦ ଗଣଇ

ବସଇ କେବେ ଏକାକୀ,

ଦସ୍ୟୁ ଆକ୍ରମଣେ ଅପହୃତ ଧନେ

ସଂଜଳିତ କରି ଆକ୍ଷି ।

ପିତା ମାତା ସ୍ନେହ ଗୁରୁ ଶିକ୍ଷା ସହ

ଶେଷ ହୁଏ ସର୍ବାଧାର,

ଛିନ୍ନ ହୁଏ ସତେ ଗୋଟି ଗୋଟି ସୂକ୍ଷ୍ମ

ସବୁ ସୁଖ-ବୀଣା-ତାର ।

ନନ୍ଦନ ନ ଲଭି ଦଶରଥ ଯେବେ

ଅବଶ ସକଳ ଅଙ୍ଗେ,

କୁଳ ପୁରୋହିତ ମହର୍ଷି ବଶିଷ୍ଟ

କହିଲେ ହିତ ପ୍ରସଙ୍ଗେ ।

‘‘ଅଙ୍ଗ ଅଧିପତି ଲୋମ ପାଦ ନୃପ

ଖ୍ୟାତ ତବ ମିତ୍ର ପଣେ,

ଦାନ ପ୍ରତି ଗ୍ରହ ହେତୁ ବିପ୍ର ଶାପେ

ଦୁର୍ଭିକ୍ଷେ ପଡ଼ିଲେ ଜନେ ।

ପରଜା ଗହଳେ ଉଗ୍ରେ ବ୍ୟାପି ଉଠି

ଗଲା କ୍ଷିପ୍ତ କୋଳା ହଳ,

ଲୋମପାଦ କ୍ଷୀଣ ତନ୍ତ୍ରୀ ସ୍ୱର ହଜି

ଗଲା ସେ ଯୋଗୁ ନିଷ୍ଫଳ ।

ବୃଷ୍ଟି ହୀନ ବାର- ବରଷ ଦେଶରେ

ଲଭି ନୃପ ଘୋର ତାପ,

ଅଣାଇଲେ ଭାଙ୍ଗି ବିଭାଣ୍ଡକ ସୂତ

ଋଷ୍ୟଶୃଙ୍ଗ-ମୁନି-ତପ ।

ତାପସ ଆଦେଶ ଘେନି ଅଙ୍ଗଦେଶ

ବୃଷ୍ଟିରେ ହେଲା ଶୀତଳ,

ତଟିନୀ ସରସୀ ଭରସେ ଉଚ୍ଛୁଳି

ଉଠିଲା ନିର୍ମଳ ଜଳ ।

ଯେବେ ହେ ନୃପତି ଚିନ୍ତିଛନ୍ତି ମତି

ଲଭିବ ନବ କୁମାର,

ଅଙ୍ଗଦେଶୁ ଏବେ ଆଣ ଯାଇ ଖରେ

ଋଷ୍ୟଶୃଙ୍ଗ ତପୀବର ।

ଅଭୀଷ୍ଟ ସାଧନେ ତୋଷହେବ ମନେ

ସେ ତପୀ କରିବେ ଯାଗ,

ଅମର ନିବାସୀ ସୁରଗଣ ମୋଦେ

ଆସନେବେ ଯେଝା ଭାଗ ।’’

ନୃପହୃଦ ତପ୍ତ ପଥରେ ପଡ଼ନ୍ତେ

ତପୀ-ବାକ୍ୟ-ଶାନ୍ତି-ନୀର,

ବିଷମ ନୈରାଶ୍ୟ ପ୍ରଖରତା ତେଜି

ହେଲେ ନରପତି ଧୀର ।

ସୁନୀଳ-ବିସ୍ତାରୀ ତରଙ୍ଗ ତାଳରେ

ଦଶରଥ-ହୃଦ-ସିନ୍ଧୁ,

ଉଚ୍ଛ୍ୱସିତ ହେଲା ବେଳୁବେଳ ପାଇ

ସୁତ-ନବ ଆଶା-ଇନ୍ଦୁ ।

ସଚିବ ରତନ ସୁମନ୍ତ ବହନ

ବୁଝି ସେ କଥା ସକଳ,

କନକ ସ୍ୟନ୍ଦନେ ବସାଇ ନୃପତି

ଗଲେ ଅଙ୍ଗ ଧରାତଳ ।

ବେଳହୁଁ ତ ମିତ୍ର ଅଙ୍ଗଦେଶ ନାଥ

ଥିଲେ ଦଶରଥଙ୍କର,

ସଂପ୍ରତି ତାହାଙ୍କ ଆଗମରେ ରଙ୍କ

ହୋଇ ପାଛୋଟିଲେ ଖର ।

ଆନନ୍ଦାଶ୍ରୁ ପୂର୍ଣ୍ଣ ନୟନେ ଅନାଇ

ଭାଷିଲେ ସସ୍ମିତ ଗିର,

‘‘ଭାଗ୍ୟ ଅନୁକୂଳ ହେଲା ଆଜି ମୋର

ତବଦର୍ଶନେ ହେ ବୀର ।

କେତେକାଳ ଅନ୍ତେ ପଦାର୍ପଣ କଲ

ଏ ଅଙ୍ଗ ଧରଣୀ ପରେ,

ତବ ଆଗମନେ ନାଚେ ମୋ ହୃଦୟ

ଅପୂର୍ବ ସୁଖ ରାଜ୍ୟରେ ।

କି କହିବି ସଖା ଯାହାହେଲା ଦେଖା

ଦ୍ୱାଦଶ ବରଷ କାଳ,

ବିପ୍ର ଶାପ ଯୋଗେ ରାଜ୍ୟେ ମୋ ଦୁର୍ଯୋଗେ

ମଲେ ପ୍ରଜା ବାରମ୍ୱାର ।

ଧ୍ୱଂସର କୀର୍ତ୍ତନେ କବର ଭେଦି ହେ

ନାଚିଲେ ତ ପ୍ରେତଗଣ,

କଙ୍କାଳ ବିଶିଷ୍ଟ ପ୍ରଜାକୁଳ ମୋର

ତେଜିଲେ ଦୁଃଖେ ଜୀବନ ।

ନାରଦ ବଚନେ କରତା ଗମନେ

ଋଷ୍ୟଶୃଙ୍ଗ ଆଣି ବନୁ,

ବରଷାନ୍ତେ ନୀର ଗଲାହେ ପାଶୋର

ଦୁର୍ଭିକ୍ଷ ଦାଉଟି ମନୁ’’ ।

ଅନ୍ତଃପୁରେ ଯାଇ ଅଙ୍ଗଦେଶ ସାଇଁ

ଅଯୋଧ୍ୟା ନୃପ ସଙ୍ଗତେ,

ମଣୋହି ବିଧାନ କଲେ ସମାପନ

ନା ନା ଆଳାପ ଇଙ୍ଗିତେ ।

ଆଜନ୍ମ ପାଳିତା ସୁକୁମାରୀ ଶାନ୍ତା

ତାପସ କରେ ଅର୍ପଣ,

କରିବା ରାଜନ କହିଲେ ବହନ

ଭକ୍ତିରେ ମଜ୍ଜାଇ ମନ ।

‘‘ବିଭାଣ୍ଡକ ସୂତ ତାପସ ମହତ

ଋଷ୍ୟଶୃଙ୍ଗ କୀର୍ତ୍ତିରାଜି,

ଯୁଗେ ଯୁଗେ ସଦା ଅମର ଅକ୍ଷରେ

ଥିବହେ ସଖା ବିରାଜି’’ ।

ବୋଲି ଲୋମପାଦ ଲଭିଲେ ପ୍ରମୋଦ

ଦଶରଥ ନୃପ ଆଗେ,

ରବିକୁଳ ଅବ- ତଂସ ନରନାଥ

ଶୁଣିଲେ ତାହା ସରାଗେ ।

ସ୍ୱୀୟକନ୍ୟା ଶାନ୍ତା ପାଇ ଶୁଦ୍ଧଚେତା

ଉଚ୍ଛ୍ୱଳିବ ବୋଲି କୁଳ

ମୁକ୍ତ ଛନ୍ଦେ ମନେ ମୁକତ ଆକାଶୁ

ଖେଳାଇ ଆନନ୍ଦ ତାଳ ।

Image

 

ନବମ ସର୍ଗ

(ନଟବାଣୀ)

 

ଶୁଣୁଥିଲେ ହେଲେ ମୋଦେ ନପ କଥା,

ଦଶରଥ ନୃପ ହୃଦେ ଥାଏ ବ୍ୟଥା ।

ତା ଜାଣି ଅଧୀରେ ଅଙ୍ଗ ଅଧିପତି,

ବୋଇଲେ ‘‘ହେ ସଖା କିପାଁ ଦୁଃଖ ମତି ?

କିଲାଗି କି ହାନି-କଲା କେ ଦୁର୍ବୋଧ,

ସେ ଲାଗି କି ମନେ ଲୋଡ଼ ପ୍ରତିଶୋଧ ?

କେବଣ ଚିନ୍ତାରେ ଅଧୀର ଚଞ୍ଚଳ,

କି ହେତୁ ଏଚିନ୍ତା-ସିନ୍ଧୁ ଉଚ୍ଛୃଙ୍ଖଳ ।

କେବେ ଅବା କେଉଁ ଘଟିଲା ଦୁର୍ଗତି,

ତା ଲାଗି କି ସଖା, ଏ ବିଷର୍ଣ୍ଣ ମତି ।

ଜାଣିଲେ ମୁଁ ଧରି ସେ କାଳ-ନାଗୁଣୀ,

ବିଷଲିପ୍ତ ଫଣା କରେ ଘେନି ପୁଣି ।

ଉଦ୍‍ଗାରନ୍ତି ଧରି ତା ଗରଳ ବଳେ,

ଉତ୍କଟ କରମ ତେଜନ୍ତା ଚଞ୍ଚଳେ ।

ଅନ୍ତଃପୁରେ କିବା ଘଟିଲା ଅଭାବ,

ଅବାକେଉଁ ବିପ୍ର ତେଜିଲେ ସଦ୍ଭାବ ।

ଦିଗେ ଦିଗେ ଧ୍ୱଂସନଳ ଜାଳି ପ୍ରଜା,

ବିଦ୍ରୋହ ଦାଉରେ ଥରାଇଲେ ମଜ୍ଜା ।

ରୋଷ ଅଟ୍ଟହାସେ ଦେଇ କରତାଳି,

ସେ ଭୟ କି ଆସେ ହୃଦ କ୍ଷେତ୍ର-ଜାଳି ।

ଦୁର୍ଦ୍ଦଷ ଅରାତି ଚିନ୍ତା କିହେ ମାଡ଼ି,

ବସିଛି ମାନସେ ଧ୍ୱଂସ ମନ୍ତ୍ର ବାଢ଼ି ।

ବଶିଷ୍ଠ ବିରାଗ ଚିନ୍ତା ଅନ୍ତରାଳେ,

ମନ ନଟରାଜ ଛନ୍ଦହୀନ ଢାଳେ ।

ନାଚେ କି ହେ ସଖା ଉଗ୍ରଠାଣି କରି,

ଉତ୍କଟ ତାଣ୍ଡବେ ସୁଖ ପରିହରି ।

ଅବା ଚିନ୍ତି ଅଙ୍ଗ ଦୁର୍ଦ୍ଦଶାକୁ ମନେ,

ବସିଛ ଆପଣେ ମାନସ ବିଷର୍ଣ୍ଣେ ।

ଶାପେ ହେଲା ରାଜ୍ୟ ତମାମେ ତ ମଡ଼ା,

କଙ୍କାଳେ ଶ୍ମଶାନ ହେଲାଟି ହେ ଗଢ଼ା ।

ନାଚିଲେ କି ଉଗ୍ରେ ପ୍ରେତ ଆତ୍ମାଗଣ,

ଲକ୍ଷ ଲକ୍ଷ ପ୍ରାଣ କରି ଆହରଣ ।

ନାହିଁ ସେ ଉଗ୍ରତା ନାହିଁ ସେ ନିରାଶ,

ଜନମନେ ଏବେ ଖେଳେ ନବ ଆଶ ।

ଋଷ୍ୟଶୃଙ୍ଗ ଆଶିର୍ବାଦେ ହେ ନୃପତି,

ସର୍ବ ହା ହା କାର ଭଜିଲା ବିସ୍ମୃତି ।

କୂଟ ବାସ୍ତବର ଜୀବନ ଶୁଷ୍କତା,

ହେଜି ହେ ସଖା ମୁଁ ଲଭେ ମଉନତା ।

ଟାଣିଆଣେ ମନେ ଅପାର ସାନ୍ତ୍ୱନା ।

ସୁଖ ପରେ ଦୁଃଖ ଆସେ ପ୍ରତିଦିନେ,

ତିଳ ତଣ୍ଡୁଳିତ ଏ ମର ଜୀବନେ ।

ସର୍ବ ଶକ୍ତିମାନ ସକଳ ଈଶ୍ୱର,

ଅଛନ୍ତି ଖଣ୍ଡିବେ ଯାତନା ତୁମ୍ଭର ।

କହ କହ ସଖା ଫେଡ଼ିଣ ଅନ୍ତର,

କି ଚିନ୍ତାରେ କର ହୃଦୟ ବିକଳ ।

ସଖା ଆଶ୍ୱାସନା ପାଇ ଦଶରଥ,

ଭାବିଲେ ପୂରିବ ସତେ ମନୋରଥ ।

ବୋଇଲେ ହେ ସଖା ମୋ କର୍ମ ଅସାର,

ନ ପାଇଲି ପୁତ୍ର କୁଳ ରତ୍ନ ସାର ।

ବିପୁଳ ବିଭବ ଭରା ମୋ ଅଯୋଧ୍ୟା,

ନ ଦିଅଇ ତିଳେ ମାନସେ ଶରଧା ।

ପାର୍ଥିବ ବିଭବ ଭିତରେ କୁମର,

ସବୁଠାରୁ ସାର ମଣିଥାନ୍ତି ନର ।

ସେଥି ପାଇଁ ଚିନ୍ତାକୂଳ ମୋ ପରାଣ,

କି ସମ୍ପଦ ସଖା ଅଛି ତା ସମାନ ।

ଦେଖୁ ଦେଖୁ ଦିନ ଯାଉଅଛି ଉଦ୍ଧରି ।

ଅନନ୍ତ ନୀଳିମାମୟ ବିହାୟସ,

ଅନ୍ତର ମୋ ଆଉ ନକରେ ସରସ ।

ଶଶି-ତାରକିତ ଅନ୍ତରୀକ୍ଷ ଚାହିଁ,

ଶରଧା ଉପେକ୍ଷି ଚିନ୍ତାକରେ ମୁହିଁ ।

ମୋ ଅନ୍ତରେ ରଘୁକୁଳର ବିଭବ,

ପୁତ୍ରହିନେ ହେବ ବୋଲିତ ନିଷ୍ପ୍ରଭ ।

ରାଣୀଙ୍କ ଯାତନା କେ କରେ ବଖାଣ,

କୁମର ପାଇଁ ହେଲେଣି ମ୍ରୀୟମାଣ ।

ଦେଖି ଦୁଃଖ କଷ୍ଟ ଅପାର ଆମ୍ଭର,

ଦୟା ଉପୁଜିଲା ବଶିଷ୍ଠ ଚିତ୍ତର ।

ଋଷ୍ୟଶୃଙ୍ଗ ଋଷି ଆନୟକେ ଯାଗ,

କରିଦିଅ ସ୍ୱର୍ଗ-ଦେବେ ଯେଝାଭାଗ ।

ତେବେ ହେ କୁମର ହୋଇବ ଜନମ,

ବୋଲି କହିଛନ୍ତି ମହର୍ଷି ଉତ୍ତମ ।

କେହ୍ନେ ଋଷ୍ୟଶୃଙ୍ଗ ଅଯୋଧ୍ୟା ଗମନ,

କରିବେ ହେ ସଖା ଚିନ୍ତବାରେ ମନ ।

ଦଶରଥ ମୁଖୁ ଶୁଣି ଅଙ୍ଗ-ପତି,

ସଖାସଙ୍ଗେ ଗଲେ ଋଷ୍ୟଶୃଙ୍ଗ କତି ।

ଅତି ଅନୁନୟ ବିନୟେ ଭାଷଣ,

କଲେ ସର୍ବକଥା ସେ ଅଙ୍ଗ-ରାଜନ ।

‘‘ବିଶ୍ୱ ଭୂବନେ ଏ ନୃପତି ଜୀବନେ,

କୁମାର ନ ଜନ୍ମି କଷ୍ଟଦିଏ ମନେ ।

କୁଳୋଜ୍ୱଳ ଏକା ପୁତ୍ର ସିନା ସାର,

ପୁତ୍ର ଯୋଗେ ପିତୃ ତୃପତ ଅପାର ।

ଦଶରଥ ନୃପ କୋଶଳାଧିପତି,

ଜଳାଞ୍ଜଳୀ ଯେବେ ପିତୃଙ୍କୁ ଦିଅନ୍ତି ।

ନୃପ ଅନ୍ତେ ଆଉ ନ ପାଇବେ ଜଳ,

ବୋଲି ପିତୃଲୋକେ ହୁଅନ୍ତି ବିକଳ ।

ତେଜନ୍ତି ସୁଦୀର୍ଘ ତାପିତ ନିଶ୍ୱାସ,

ଯା ଯୋଗେ ସେ ଜଳେ ଭଷ୍ମତା ପ୍ରକାଶ ।

ଏଣୁ ହେ ତାପସ ଶୀତଳ ସଲିଳ,

ନ ପାଇ ସନ୍ତତେ ପାନ୍ତି ଭଷ୍ମଜଳ ।

ରାଣୀଙ୍କ ବେଦନା ତା ତହୁଁ ଅଧିକ,

ମଣିଲେଣି ଜୀବନକୁ ଶତଧିକ ।

ମୋର ବାଲ୍ୟସଖା ନୃପ ଦଶରଥ,

ଆସିଛନ୍ତି ଏଥି କରି ମନୋରଥ ।

ନେବେ ତୁମ୍ଭଙ୍କୁ ସେ ଅଯୋଧ୍ୟା ନଗର,

ପୁତ୍ର ଲଭ୍ୟ ଯାଗ ନିମନ୍ତେ ସତ୍ୱର ।

ଖେଳୁଥିଲା ଯେଉଁ ନୃପେ ସୁଖ-ଢେଉ,

କୁମର ଚିନ୍ତାରେ ଆଝି ଶୁଷ୍କ ଦେହୁଁ ।

ପୁତ୍ର ଚିନ୍ତା ଅଗ୍ନି କମାଣର ବଳେ,

ଅମିତ ପରାଣ ଭସ୍ମ ଧରାତଳେ ।

ସେ ଭୈରବ ଚିନ୍ତା ଚଳ ବିଦ୍ୟୁପରି,

ହୃଦ-ଦିକ୍‍ ଦେଶ ଯାଉଛି ସଞ୍ଚରି ।

ତା ଉଗ୍ର-ତାଣ୍ଡବ-ଲୀଳା ମହାଦାଉ,

ଜୀବନ ଶଶିକି ଗ୍ରାସେ ଯେହ୍ନେ ରାହୁ ।

ପଲକେ ପ୍ରତୀତ ହୁଏ ଏ ଭୂବନ,

ଦୁଃଖ କଷ୍ଟ କାରା ନିରସ ନୟନ ।

ମୋ ସଖାତ ମୋର ଜୀବ ସମ୍ୱଳ,

ତାହାଙ୍କ ବିଷାଦେ ହୁଏ ମୁଁ ବିକଳ ।

ତବ ଆଶୀର୍ବାଦେ ମୋ ଦୁଃଖ-କଷଣ,

ଉଭେଇଲା ଅଙ୍ଗ ରାଜ୍ୟୁ ତପୀ ରତ୍ନ ।

କିନ୍ତୁ ସଖା ମୋର ସନ୍ତାପ-ସାଗରେ,

ଭାସୁଛନ୍ତି ଭେଳା ବିହିନେ ଶୋକରେ ।

କର ଆଶିର୍ବାଦ ହୋଇ କର୍ଣ୍ଣଧାର,

ହୁଅନ୍ତୁ ସେ ଶୋକ-ସିନ୍ଧୁ କରେ ପାର’’ ।

ଲୋମ ପାଦ ବାକ୍ୟେ ମଣି ସେ ଉଚିତ,

ଅଯୋଧ୍ୟା ଗମନେ ବଳାଇଲେ ଚିତ୍ତ ।

ଛବିଳ ପୁରରେ ମୁନିଙ୍କୁ ରଖାଇ,

ସେବିଲେ ବିବିଧେ ମାନସ ରଞ୍ଜାଇ ।

ଅଭିଶପ୍ତ ପ୍ରାଣେ କର୍ମଚକ୍ର ତଳେ,

ନୃପ ମନ ଚିନ୍ତା ରଦ୍ଧ କି ବିକଳେ ।

ବିଭାବରୀ ଶେଷେ ଋଷ୍ୟଶୃଙ୍ଗ ତପୀ-

ଦ୍ୱାରା ପୁତ୍ରଲଭ୍ୟ ଯାଗକୁ କଳପି ।

ନିଶାରେ ନୃପଙ୍କୁ ନିଦ୍ରା ନ ଆସଇ,

ଉଠନ୍ତି ଶୋଇଲେ ତନ୍ଦ୍ରାଧୀନ ହୋଇ ।

ଦେଖୁ ଦେଖୁ ପ୍ରକାଶିଲା ଉଷା ଶୀରି,

ଅରୁଣ କିରଣ ଖେଳେ ବନଗିରି ।

ବିଭାବରୀ ଶେଷେ ଦଶରଥ ନୃପ,

ବାହାରିଲେ ତର ତରେ ତେଜି ତଳ୍ପ ।

ପ୍ରଭାବ କରମ କରି ସମାପନ,

ମହର୍ଶି ବଶିଷ୍ଠେ ହକାରି ବହନ ।

କରାଇଲେ ବେଗେ ଯାଗ ଆୟୋଜନ,

କୁମର ପ୍ରାପତେ ବିହ୍ୱଳିତ ମନ ।

ଋଷ୍ୟଶୃଙ୍ଗ ଋଷି ପ୍ରାତଃକର୍ମ ସାରି,

ହୋମ ଧ୍ୟାନ କଲେ ବିଭୁଙ୍କୁ ସୁମରି ।

ଅଛିକି ଅଲଭ୍ୟ ଦଶରଥଙ୍କର,

ଅଳ୍ପକାଳେ ହେଲା ସଂଗ୍ରହ ସକଳ ।

ଲଭି ନିମନ୍ତ୍ରଣ ଆସିଲେ ବହନ,

ଅଗସ୍ତି, ଜାବାଳୀ, ପର୍ଶୁରମା, କଣ୍ୱ ।

ମହାମତି ବ୍ୟାସ, ଅଙ୍ଗିରା, ସନକ,

ଦୁର୍ବାସା ଆସିଲେ ହୋଇ କି ପୁଲକ ।

ଦଶରଥ ଦୈନ୍ୟ ବିନୟେ ସକଳେ,

ପୁତ୍ରଲାଭ ଯାଗେ ଯୋଗ ହର୍ଷେଦେଲେ

ହେଲା ପରଦିନ ଯଜ୍ଞ ଅନୁଷ୍ଠାନ,

ଋଷି ଋଷ୍ୟଶୃଙ୍ଗ କଲେତ ଭିଆଣ ।

ଯଜ୍ଞ ଅବଶେଷେ ଚଡ଼ୁଦେଲେ ହର୍ଷେ,

ଖାଇଲେ ତା ତିନି ରାଣୀଏ ସରସେ ।

ଯଜ୍ଞ ଅବଶେଷେ ବିଦାୟକୁ ଘେନି,

ଗଲେ ଯେଝାସ୍ଥାନେ ନିମନ୍ତ୍ରିତ ମୁନି ।

ଆଉ ଅଯୋଧ୍ୟାରେ ନକରି ଲାଳସା,

ଅଙ୍ଗଦେଶେ ଗଲେ ଋଷ୍ୟଶୃଙ୍ଗ ଯଶା ।

ବୋଇଲେ ‘‘ହେ ନୃପ ନୁହ ବୁଦ୍ଧି ହରା,

ଦୁଃଖଶେଷେ ସୁଖ ଉପୁଜେ ଏ ଧରା ।

ଅଳପେ ଲଭିବ କୁମର-ରତନ,

ଶୀତଳ ତ ହେବ ବ୍ୟାକୁଳ-ଜୀବନ ।

ନିଷ୍ଫଳ ପରାଣେ ଅସୀମ ବେଦନା,

ତୁଟିଯିବ ହେଳେ ହେବ ସୁଖ ମନା ।

ନହୁଅ ମୋ ବାକ୍ୟେ ଆଉ ଆତ୍ମହରା,

ପାଳ ରାଜ ଧର୍ମ୍ମେ ଏ ଅଯୋଧ୍ୟା ଧରା’’ ।

ଏତେ ଉପଦେଶ ଦେଇ ତପୀବର,

ଚାଲିଲେ ବିପିନେ ବରଜି ସକଳ ।

ଆଶ୍ରମର ସତେ ସ୍ମୃତି କି ଉଦାର,

ଖେଳେ ମଧୁ-ଭାବ ମନେ ହେଲେ ଯାର ।

ଚକ୍ଷୁର ପଲକେ ତା ରୂପ ମାଧୂରୀ,

ଭୁଲିଥିଲେ ପାଇ ଜରତା ଚାତୁରୀ ।

ଅଙ୍ଗ ଅଙ୍ଗ-ଦାଉ ନାଶି ମୁନି-ମଣି,

ମାତିଲେ ପ୍ରଣୟେ ସୁଖ କେତେ ମଣି ।

ଅବଶେଷେ ଏବେ ପାଶୋରି ସକଳ,

ଜଟାଭାର ବହି ପିନ୍ଧିଲେ ବକ୍ୱଳ ।

ମହା ମନିଷୀଙ୍କ ପ୍ରେମ ଆକର୍ଷଣ,

ସତତେ ସଂସାରେ ମଙ୍ଗଳ ବିଧାନ ।

କରଇତା ଅବକାଶ ତାହାଙ୍କର,

ନିତ୍ୟ ତପ ମଗ୍ନ-କର୍ମ-ଜୀବନର ।

ଦୁଃଖୀର ନୟନ ଦୁଃଖୀର ବେଦନା,

ଦେଲା ଅଙ୍ଗଦେଶେ ସକଳେ ଯାତନା ।

ପତିତ ବ୍ୟଥିତ ଜନ ଦୀର୍ଘ ଶ୍ୱାସ,

ଆଣିଲା ତାପସ ମାନସେ ପରାସ ।

ଉପବାସ କ୍ଲିଷ୍ଟ ପ୍ରଜା ପରିବାର,

କପାଳ କୁଞ୍ଜିତ ତନୁରେ କଙ୍କାଳ ।

ଦେଖି ଦୟାହେଲା ତାପସ ମାନସେ,

ପରଦୁଃଖେ ରତ ସଦା ଯେ ବିରସେ ।

ଉଦ୍ଧରିଲେ ରାଜ୍ୟ ବରଷାଇ ଜଳ,

ସରସେ ପାଳିଲେ ଅଙ୍ଗ ଆଖଣ୍ଡଳ ।

ଫେରିଲେ ଆଶ୍ରମେ ସାରି ଏ କରମ,

ଯାଇ ସ୍ମୃତି ଆଜି ଜାଣେ ସର୍ବ ମର୍ମ୍ମ ।

କାମ ଅନ୍ଧକାର ପ୍ରେମ ତ ଭାସ୍କର,

ଅନ୍ଧକାରେ ଥିଲେ ଜଡ଼ କନ୍ୟା-ବର ।

ପାଇ ଋଷ୍ୟଶୃଙ୍ଗ ପୂର୍ବ ଜ୍ଞାନାଲୋକ,

ଶାନ୍ତା ମନେ କଲେ ଆଶ୍ରମ ବିଲୋକ ।

ପତି ସେବା ନାରୀ ଜୀବନେ ସଫଳ,

ଅନ୍ୟ କିଛି କର୍ମ ଅଟଇ ବିଫଳ ।

ସୀତା, ଦମୟନ୍ତି ବରଜି ବିଳାସ,

ସ୍ୱାମୀ ସେବା ଲାଗି ବିପିନେ ଉଲ୍ଲସ ।

ଲଭିଥିଲେ କ୍ଲେଶ ମାନସୁ ପାଶୋରି,

ନାରୀଅଗ୍ରେ ଯାହା ରହିଛି ଉତ୍ତୋଳି ।

ଋଷ୍ୟଶୃଙ୍ଗ ସେବା ଜୀବନରେ ସାର,

କରି ଶାନ୍ତା ମୋଦେ କଟାଇଲେ କାଳ ।

Image